ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଡିଏଭି ନିକଟରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଡିଏଭି. ସ୍କୁଲ ନିକଟସ୍ଥ ମୁଖ୍ୟ ରାସ୍ତାପାର୍ଶ୍ୱରେ ଥିବା ଏକ ଆମ୍ବ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ଲିଙ୍ଗାଗଡ଼ ଗ୍ରାମର ୨୬ବର୍ଷୀୟ କ୍ଳେମନ୍ତ ପ୍ରଧାନ (ଚିକୁ)। ସେ ପେଶାରେ ଜଣେ ଡ୍ରାଇଭର ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସୋମବାର ସକାଳେ କିଛି ସ୍ଥାନୀୟ ଲୋକ ଜଙ୍ଗଲକୁ ଯାଉଥିବା ବେଳେ ଆମ୍ବ ଗଛରେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ଏହାପରେ ସେମାନେ ତୁରନ୍ତ ଘୁ.ଉଦୟଗିରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏଏସ୍ଆଇ ରବି ସେଠୀ, ବୁଲୁ ବେହେରା, ବିଷ୍ଣୁ ସେଠୀ, ଯୁବରାଜ ସାହାଣୀ ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।
ତଦନ୍ତର ଅଂଶ ଭାବେ ଫୁଲବାଣୀରୁ ସନ୍ଧାନି କୁକୁର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ସନ୍ଧାନି କୁକୁରଟି ଶବ ଝୁଲୁଥିବା ସ୍ଥାନରୁ କିଛି ଦୂର ପର୍ଯ୍ୟନ୍ତ ଘୁରିବା ପରେ ମୃତ ଯୁବକ ରହୁଥିବା ଘରକୁ ଯାଇ ସେଠାରେ ଅଟକି ଯାଇଥିଲା। ଏହି ଘଟଣାକୁ ନେଇ ଘୁ.ଉଦୟଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିବା ସହ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ କଳିଙ୍ଗା ଅଞ୍ଚଳରେ ଚର୍ଚ୍ଚା ଧରିଛି।
ସୌଜନ୍ୟ ସମ୍ବାଦ

