Action Against Police: ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ସରକାର

ଭଞ୍ଜନଗର (ବିଶ୍ବମ୍ବର ଜେନା):ଗଞ୍ଜାମଜିଲ୍ଲାକବିସୂର୍ଯ୍ୟନଗର ଥାନା ହାଜତରେ ପୁଲିସର ନିର୍ଘାତ ମାଡ଼ରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ମାମଲାରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ଏହି ମାମଲାରେ ସରକାର ୩ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।

ରାଜ୍ୟ ସରକାର ଆଇପିଏସ୍‌ ନିତିଶ କୁମାର ମିଶ୍ରଙ୍କୁ ଗଞ୍ଜାମ ମୁଖ୍ୟାଳୟକୁ ବଦଳି କରିଛନ୍ତି। ସବ୍‌ ଇନ୍‌ସପେକ୍ଟର ସମୀର କୁମାର ରାଉତ, ବାଲିଚର ଫାଣ୍ଡି ଏଏସ୍‌ଆଇ ବୈକୁଣ୍ଠ ଜେନା ଏବଂ କନେଷ୍ଟବଳ ସୁମନ କୁମାର ସାହୁଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ଡ୍ରାଇଭର କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ବହିଷ୍କାର କରିଛନ୍ତି। କବିସୂର୍ଯ୍ୟନଗର ଥାନା ଏବଂ ବାଲିଛାଇ ଫାଣ୍ଡିର ସବୁ ପୁଲିସ କର୍ମଚାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।

ସୂଚନାଯୋଗ୍ୟ, ବେଆଇନ ପଥର ଫଟା ମାମଲାରେ ସୁବଳୟା ଗ୍ରାମର ସୁଶାନ୍ତ ସାହୁଙ୍କୁ ଥାନାକୁ ଆଣି ପୁଲିସ ଅଟକ ରଖି ପଚରାଉଚରା କରୁଥିଲା। ଏହାପୂର୍ବରୁ ଏହି ମାମଲାରେ ୨ ଜଣ ଗିରଫ ହୋଇଥିଲେ। ତେବେ ସୁଶାନ୍ତଙ୍କ ସଂପୃକ୍ତି ପ୍ରମାଣିତ ହୋଇ ନଥିଲା। ୭ ଦିନ କାଳ ଥାନା ହାଜତରେ ସୁଶାନ୍ତଙ୍କୁ ଥାର୍ଡ ଡିଗ୍ରି ଚାର୍ଜ ଦିଆଯାଇଥିଲା। ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣ କରିଥିଲେ।

ଏହି ଘଟଣାକୁ ଗୁରୁତ୍ବ ମନେ କରି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ତଦନ୍ତ ପାଇଁ ଗଞ୍ଜାମ ଏସପି ହରିଶ ଵିସିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟରେ ଖବର ମିଳିବା ସୁଦ୍ଧା, ଘଟଣାକୁ ନେଇ ସୁବଳୟା ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ଥାନା ଆଗରେ ଗ୍ରାମବାସୀ ମେଳି ବାନ୍ଧିଛନ୍ତି।‌ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ ହେଉଥିବା ପରିବାରବର୍ଗ ଅଭିଯୋଗ ଆଣିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ