କିଭ୍: ୟୁକ୍ରେନର ପ୍ରମୁଖ ସହରଗୁଡ଼ିକ ଉପରେ ରୁଷ ପକ୍ଷରୁ ମଙ୍ଗଳବାର ସକାଳେ ଏକ ବଡ଼ ଧରଣର କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି, ଯେଉଁଥିରେ ୫ ଜଣ ନାଗରିକଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନର ପୂର୍ବ ପ୍ରଦେଶ ଦ୍ନିପ୍ରୋରେ ହୋଇଥିବା ଆକ୍ରମଣରେ ୪ ଜଣ ପ୍ରାଣ ହରାଇଥିବା ବେଳେ ୧୬ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି ରାଜଧାନୀ କିଭରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୯ ଜଣ ଆହତ ହୋଇଛନ୍ତି। କିଭ୍ ମେୟରଙ୍କ ଅନୁଯାୟୀ, ଏକ ୨୪ ମହଲା ବିଶିଷ୍ଟ ଆବାସିକ ବିଲ୍ଡିଂ ଉପରେ ମିସାଇଲ ମାଡ଼ ହେବା ଯୋଗୁଁ ତାହା ଭୁଷୁଡ଼ି ପଡ଼ିଛି ଏବଂ ଅନେକ ଲୋକ ମାଟିତଳେ ଚାପି ହୋଇ ରହିଛନ୍ତି। ସହରର ବିଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ରର ଭଗ୍ନାବଶେଷ ପଡ଼ି ଗାଡ଼ିଗୁଡ଼ିକ ଜଳିଯାଇଛି ଏବଂ ଏକ ଶିଶୁ ଉଦ୍ୟାନ ନିକଟରେ ମଧ୍ୟ ନିଆଁ ଲାଗିଯାଇଛି। ଏହି ଭୟାବହ ଆକ୍ରମଣ ଯୋଗୁଁ ଜୀବନ ବଞ୍ଚାଇବା ପାଇଁ କିଭର ହଜାର ହଜାର ବାସିନ୍ଦା ସହରର ମେଟ୍ରୋ ଷ୍ଟେସନ ଏବଂ ଅନ୍ୟାନ୍ୟ ଭୂତଳ ଆଶ୍ରୟସ୍ଥଳୀରେ ଶରଣ ନେଇଛନ୍ତି।
ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଗତ ସୋମବାର ରାତିରେ ଦେଶବାସୀଙ୍କୁ ସତର୍କ କରାଇ କହିଥିଲେ ଯେ ରୁଷ ଏକ ବଡ଼ ଧରଣର ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି, ତେଣୁ ସମସ୍ତେ ସାଇରନ୍ ପ୍ରତି ବିଶେଷ ସତର୍କ ରୁହନ୍ତୁ। ଅନ୍ୟପଟେ ରୁଷ ଗତ ସପ୍ତାହରେ ଚେତାବନୀ ଦେଇଥିଲା ଯେ, ଗତ ମାସରେ ୟୁକ୍ରେନ ନିୟନ୍ତ୍ରିତ ଲୁହାନସ୍କ ଅଞ୍ଚଳରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ୨୧ ଜଣଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସେମାନେ କିଭର ସାମରିକ ଘାଟି ଉପରେ ଆକ୍ରମଣ କରିବେ। ଯଦିଓ ୟୁକ୍ରେନ ଏହି ଆକ୍ରମଣ ଅଭିଯୋଗକୁ ଅସ୍ୱୀକାର କରିଥିଲା। ଏହା ସହିତ ୟୁକ୍ରେନର ଉତ୍ତର-ପୂର୍ବ ଖାର୍କିଭ୍ ଅଞ୍ଚଳରେ ମଧ୍ୟ ରୁଷର ଡ୍ରୋନ୍ ଓ ମିସାଇଲ ମାଡ଼ରେ ଜଣେ ଶିଶୁ ସମେତ ୧୦ ଜଣ ଆହତ ହୋଇଛନ୍ତି।
ସୌଜନ୍ୟ ସମ୍ବାଦ

