ମନୋରଞ୍ଜନ

Kala Hiran: ଅନିଶ୍ଚିତତା ଭିତରେ ‘କାଲା ହିରଣ’ ମୁକ୍ତିଲାଭ!

ବଲିଉଡ୍‌ ତାରକା ସଲମାନ ଖାଁଙ୍କ ଜୀବନର ଏକ ବିବାଦୀୟ ଅଧ୍ୟାୟ ହେଉଛି ‘ବ୍ଲାକ୍‌ବକ୍‌’ (କୃଷ୍ଣସାର ମୃଗ) ଶିକାର ମାମଲା। ସେଥିପାଇଁ ତାଙ୍କୁ ଏକଦା ଜେଲ୍‌ ଯିବାକୁ ପଡ଼ିଥିଲା ଏବଂ ନିକଟ ଅତୀତରେ ଲରେନ୍‌ସ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଛି। ୧୯୯୮ ମସିହାର ସେହି ଘଟଣାର କଳା ବାଦଲ ଆଜି ପର୍ଯ୍ୟନ୍ତ ସଲମାନଙ୍କ ମୁଣ୍ଡ ଉପରୁ ହଟିପାରିନାହିଁ। ଏବେ ସେହି କୃଷ୍ଣସାର ମୃଗ ଶିକାର ଘଟଣାକୁ ନେଇ ଏକ ଚଳଚ୍ଚିତ୍ର ନିର୍ମିତ ହେଉଛି, ଯାହାର ନାମ ‘କାଲା ହିରଣ: ଦି ବ୍ୟାଟଲ୍‌ ଫର୍‌ ଲିଗାସି’। ଏହା ସଲମାନଙ୍କ ଭାବମୂର୍ତ୍ତିକୁ ବିଗାଡ଼ିବାର ବିପଦ ରହିଥିବାରୁ ତାଙ୍କ ତରଫରୁ ଏହି ଚଳଚ୍ଚିତ୍ର ନିର୍ମାତାଙ୍କୁ ନୋଟିସ୍‌ ଜାରି କରାଯାଇଛି।

ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ନୋଟିସ୍‌ରେ ନିର୍ମାତାଙ୍କୁ ଉକ୍ତ ଚଳଚ୍ଚିତ୍ରର ମୁକ୍ତିଲାଭକୁ ସ୍ଥଗିତ ରଖିବା ସହିତ ସମସ୍ତ ପ୍ରଚାର ସାମଗ୍ରୀ ହଟାଇନେବାକୁ କୁହାଯାଇଛି। ଏହା ନ କଲେ ନିର୍ମାତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସତର୍କ କରାଯାଇଛି। ତେଣୁ ଏବେ ‘କାଲା ହିରଣ’ର ମୁକ୍ତିଲାଭ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ତେବେ ଭରତ ଏସ୍‌ ଶ୍ରୀନେତଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ରର ଟିଜର୍‌ ଆସନ୍ତା ୨୦ ତାରିଖ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ନିକଟରେ ଘୋଷଣା କରାଯାଇଥିଲା। ନିର୍ମାତାଙ୍କ କହିବା ଅନୁସାରେ ଏହି ଚଳଚ୍ଚିତ୍ରରେ ବାସ୍ତବ ଜୀବନର ଆଇନଗତ ଲଢ଼େଇ ଓ ଆକ୍ସନପୂର୍ଣ୍ଣ ଘଟଣାବଳୀର ଅବତାରଣା କରାଯାଇଛି। ତା’ ସହିତ ସଲମାନ ଖାଁଙ୍କ ସହିତ ଲରେନ୍‌ସ ବିଷ୍ଣୋଇ ଗ୍ୟାଙ୍ଗର ଶତ୍ରୁତା କଥା ବି ଏଥିରେ ସ୍ଥାନିତ ହୋଇଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button