
ନୂଆଦିଲ୍ଲୀ: ବିଶ୍ବ ଷ୍ଟକ୍ ବଜାର ରୢାଙ୍କିଂରେ ଭାରତକୁ ଗତ ସପ୍ତାହରେ ତାଇୱାନ ପଛରେ ପକାଇଥିଲା। ଆଜି ଦକ୍ଷିଣ କୋରିଆ ମଧ୍ୟ ଭାରତକୁ ଆହୁରି ଗୋଟିଏ ପାହାଚ ପଛକୁ ଠେଲି ଦେଇଛି। ଫଳରେ ବିଶ୍ବର ବୃହତ୍ ଷ୍ଟକ ବଜାର ତାଲିକାରେ ଭାରତ ସପ୍ତମ ସ୍ଥାନକୁ ଖସିଯାଇଛି। ଭାରତ ବିଶ୍ବର ଅନ୍ୟତମ ପ୍ରମୁଖ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ର ହୋଇଥିଲେ ମଧ୍ୟ ଷ୍ଟକ ବଜାରର ନିବେଶକଙ୍କୁ ଆକର୍ଷିତ କରିବା ଏବଂ ସେମାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇନାହିଁ। ବିଶ୍ବରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ରେ ଏବେ ଯେଉଁ କ୍ରାନ୍ତି ଦେଖାଦେଇଛି ସେ କ୍ଷେତ୍ରରେ ଭାରତ ଅପେକ୍ଷାକୃତ ଭାବେ ପଛରେ ପଡ଼ିଯାଇଛି। ଏ କ୍ଷେତ୍ରରେ ତାଇୱାନ ଓ ଦକ୍ଷିଣ କୋରିଆ ହାସଲ କରିଥିବା ଅଗ୍ରଗତି ସେମାନଙ୍କ ଷ୍ଟକ ମାର୍କେଟ ପାଇଁ ସହାୟକ ହେଉଛି।
ରଏଟର୍ସର ସୂଚନା ଅନୁଯାୟୀ, ଦକ୍ଷିଣ କୋରିଆର ଷ୍ଟକ୍ ମାର୍କେଟର ବଜାରପୁଞ୍ଜି ଆଜି ୫ ଟ୍ରିଲିଅନ ଡଲାର ଅତିକ୍ରମ କରିଛି। ଦକ୍ଷିଣ କୋରିଆର କୋସ୍ପି, କୋସଡାକ୍ ଏବଂ କୋନେକ୍ସ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାରପୁଞ୍ଜି ୫.୦୧ ଟ୍ରିଲିଅନ ଡଲାରରେ ପହଞ୍ଚିଛି। ଭାରତର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକ ବଜାରପୁଞ୍ଜି ଏହି ସମୟରେ ୪.୮୫ ଟ୍ରିଲିଅନ ଡଲାର ରହିଥିବା କୁହାଯାଇଛି। ୧୮ ମାସ ପୂର୍ବେ ଭାରତର ଇକ୍ବିଟି ମାର୍କେଟର ବଜାରପୁଞ୍ଜି ଦକ୍ଷିଣ କୋରିଆ ତୁଳନାରେ ପ୍ରାୟ ୩.୫ ଗୁଣା ଏବଂ ତାଇୱାନ ତୁଳନାରେ ଦୁଇଗୁଣା ଅଧିକ ଥିଲା। କିନ୍ତୁ ୨୦୨୬ର ଗତ ୫ ମାସ ମଧ୍ୟରେ ଭାରତର ସେହି ସ୍ଥିତି ବଦଳି ଯାଇଛି।
ରଏଟର୍ସର ରିପୋର୍ଟ ଅନୁଯାୟୀ, ନିଫ୍ଟି ୫୦ ଏବଂ ସେନସେକ୍ସ ଚଳିତବର୍ଷ ଯଥାକ୍ରମେ ୧୦.୧ ପ୍ରତିଶତ ଏବଂ ୧୨.୫ ପ୍ରତିଶତ ହ୍ରାସ ପାଇଛି। ବିଦେଶୀ ନିବେଶକମାନେ ମଧ୍ୟ ଭାରତର ଇକ୍ବିଟି ବଜାରରୁ ମୁହଁ ଫେରାଉଛନ୍ତି। ଚଳିତବର୍ଷ ସେମାନେ ୨୬.୪ ବିଲିଅନ ଡଲାର ପ୍ରତ୍ୟାହାର କରି ନେଲେଣି। ୨୦୨୫ ମସିହାରେ ସେମାନେ ୧୮.୯୧ ବିଲିଅନ ଡଲାର ପ୍ରତ୍ୟାହାର କରିଥିବାବେଳେ ଚଳିତବର୍ଷର ୫ ମାସରେ ତାଠାରୁ ବହୁ ଅଧିକ ରାଶି ଉଠାଇ ନେଇଛନ୍ତି।
ସୂଚନା ଅନୁଯାୟୀ, ଏଆଇ, ଡାଟା ସେଣ୍ଟର ଏବଂ କ୍ଲାଉଡ ଭିତ୍ତିଭୂମିରେ ପ୍ରମୁଖ ଭୂମିକା ରଖିଥିବା ସେମିକଣ୍ଡକ୍ଟର ନିର୍ମାତାଙ୍କ ପ୍ରତି ନିବେଶକମାନେ ଆକୃଷ୍ଟ ହେଉଛନ୍ତି। ତାଇୱାନ ଓ ଦକ୍ଷିଣ କୋରିଆର କେତେକ କମ୍ପାନି ଏ କ୍ଷେତ୍ରରେ ଆଗରେ ରହିଛନ୍ତି। ତାଇୱାନର ତାଇୱାନ ସେମିକଣ୍ଡକ୍ଟର ମ୍ୟାନୁଫାକ୍ଚରିଂ କମ୍ପାନି (ଟିଏସ୍ଏମ୍ସି) ପାଇଁ ସେ ଦେଶର ଷ୍ଟକ ମାର୍କେଟ ବହୁମାତ୍ରାରେ ଆଗକୁ ବଢ଼ିଯାଇଛି। ସେହିଭଳି ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ଏବଂ ଏସ୍କେ ହାଇନିକ୍ସ ଭଳି ସେମିକଣ୍ଡକ୍ଟର କମ୍ପାନି ଦକ୍ଷିଣ କୋରିଆର ଷ୍ଟକ ବଜାରକୁ ଉପରକୁ ଉଠାଉଛନ୍ତି।
ପ୍ରାୟ ୮୦ ଟ୍ରିଲିଅନ ଡଲାର ବଜାରପୁଞ୍ଜି ସହ ଆମେରିକାର ଷ୍ଟକ ମାର୍କେଟ ବିଶ୍ବର ପ୍ରଥମ ସ୍ଥାନରେ ଥିବାବେଳେ ଦ୍ବିତୀୟ ସ୍ଥାନରେ ଚୀନ, ତୃତୀୟ ସ୍ଥାନରେ ଜାପାନ, ଚତୁର୍ଥ ସ୍ଥାନରେ ହଂକଂ ରହିଛନ୍ତି। ସେହିଭଳି ତାଇୱାନ ପଞ୍ଚମ, ଦକ୍ଷିଣ କୋରିଆ ଷଷ୍ଠ, ଭାରତ ସପ୍ତମ, କାନାଡା ଅଷ୍ଟମ, ବ୍ରିଟେନ ନବମ ଏବଂ ଫ୍ରାନ୍ସ ଦଶମ ସ୍ଥାନରେ ରହିଥିବା ଜଣାଯାଇଛି।
ସୌଜନ୍ୟ ସମ୍ବାଦ




