K Annamalai: ଅନ୍ନାମଲାଇଙ୍କ ମାନଭଙ୍ଗ ପାଇଁ ବିଜେପିର ପ୍ରୟାସ…

ନୂଆଦିଲ୍ଲୀ, ୩/୬: ତାମିଲନାଡ଼ୁୁ ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଆଇପିଏସ୍‌ ଅଧିକାରୀ କେ ଅନ୍ନାମଲାଇଙ୍କ ଦଳ ଛାଡ଼ିବା ନିଷ୍ପତ୍ତି ବିଜେପି ପାଇଁ ଶକ୍ତ ଧକ୍କା ପରି ହୋଇଛି। ବିଜେପି ଅନ୍ନାମଲାଇଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନେବାକୁ କିଛି ସମୟ ମାଗିଛି। ଏହି ସମୟ ଭିତରେ ବିଜେପି ଅନ୍ନାମଲାଇଙ୍କ ମାନଭଙ୍ଗ କରିବାକୁ ଚେଷ୍ଟା କରୁଛି।

ତାମିଲନାଡ଼ୁ ବିଜେପି ମୁଖ୍ୟଙ୍କୁ ଅମିତ ଶାହଙ୍କ ସମନ

ସୂତ୍ର ଅନୁଯାୟୀ ଅନ୍ନାମଲାଇ ମଙ୍ଗଳବାର ସକାଳେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତୀନ ନବୀନ ଓ ରାଷ୍ଟ୍ରୀୟ ମହାସଚିବ (ସଙ୍ଗଠନ) ବିଏଲ ସନ୍ତୋଷଙ୍କୁ ଭେଟିଥିଲେ। ଏହାପରେ ସେ ଅପରାହ୍ଣ‌ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଅଲଗା ଏକ ବୈଠକ କରିଥିଲେ। ସୂଚନାଯୋଗ୍ୟ, ବିଏଲ୍‌ ସନ୍ତୋଷଙ୍କୁ ରାଜନୀତିରେ ଅନ୍ନାମଲାଇଙ୍କ ଗୁରୁ ଭାବେ ଗ୍ରହଣ କରାଯାଏ। ଦଳର ଶୀର୍ଷ ନେତୃତ୍ବ ସହିତ ହୋଇଥିବା ବୈଠକରେ ଅନ୍ନାମଲାଇ ଖୁବ୍‌ ସୌହାର୍ଦ୍ଦପୂର୍ଣ୍ଣ ପରିବେଶରେ ଦଳ ଛାଡ଼ିବାକୁ ନିଜ ନିଷ୍ପତ୍ତି ଜଣାଇଥିଲେ। ତେବେ ସେ କହିଥିଲେ ଯେ, ଭବିଷ୍ୟତରେ ଆବଶ୍ୟକ ହେଲେ ଦଳ ସହିତ ମିଶି ପୁଣି ଥରେ କାମ କରିବେ। ସୂତ୍ରରୁ ଜାଣିବାକୁ ମିଳିଛି ଯେ, ଅନ୍ନାମଲାଇ ଚେନ୍ନାଇ ଫେରିବାକୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବାବେଳେ ତାଙ୍କୁ କେନ୍ଦ୍ରୀୟ ନେତୃବୃନ୍ଦ ଫୋନ୍‌ କରି ପୁନଃଆଲୋଚନା କରିବାକୁ ଡାକିଥିଲେ। ବିଜେପି ନେତୃବୃନ୍ଦ ତାଙ୍କୁ ଇସ୍ତଫା ନେଇ ପୁଣି ଥରେ ବିଚାର କରିବାକୁ କହିଛନ୍ତି।

ଅନ୍ୟପକ୍ଷରେ ବିଜେପି ନେତୃତ୍ୱ ତାମିଲନାଡ଼ୁ ବିଜେପି ସଭାପତି ନୈନାର ନାଗେନ୍ଥ୍ରାନଙ୍କୁ ଦିଲ୍ଲୀ ଡକାଇଛନ୍ତି। ନାଗେନ୍ଥ୍ରାନ୍‌ ଦିଲ୍ଲୀରେ ପହଞ୍ଚି ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଅନ୍ନାମଲାଇଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କୁହାଯାଇଥିବାରୁ ସେ ଜୁନ୍ ୪ ତାରିଖରେ ଚେନ୍ନାଇ ଫେରିପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି। ଯଦିଓ ତାଙ୍କୁ ରାଜ୍ୟସଭା ଟିକେଟ୍ ଓ ମନ୍ତ୍ରୀ ପଦ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସେ ମନା କରି ଦେଇଥିଲେ। ଅନ୍ୟପକ୍ଷରେ ସେ ତାମିଲନାଡୁରେ ରହି କାମ କରିବାକୁ ପସନ୍ଦ କରିଥିଲେ ବୋଲି ସୂତ୍ରରୁ ଜଣାପଡିଛି।

 

 

 

ସୌଜନ୍ୟ Prameya News7