ଦେଶ ବିଦେଶ

Putin Rejects Zelenskyy’s Proposal: ବ୍ୟକ୍ତିଗତ ସାକ୍ଷାତର କୌଣସି ଅର୍ଥ ନାହିଁ: ଜେଲେନସ୍କିଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ପୁଟିନ

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନୀୟ ରାଷ୍ଟ୍ରପତି ବୋଲଡିମିର୍‌ ଜେଲେନସ୍କିଙ୍କ ସାକ୍ଷାତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କ ଜନ୍ମସ୍ଥାନ ସେଣ୍ଟ ପିଟର୍ସବର୍ଗରେ ଅନ୍ତର୍ଜାତୀୟ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରି ପୁଟିନ ଜେଲେନସ୍କିଙ୍କ ସାକ୍ଷାତ ପ୍ରସ୍ତାବିତ ଖୋଲା ଚିଠିକୁ ଅବାନ୍ତର ବୋଲି କହିଛନ୍ତି। ଜେଲେନସ୍କିଙ୍କ ଖୋଲା ଚିଠି ବିଷୟରେ ଉଲ୍ଲେଖ କରି ପୁଟିନ କହିଛନ୍ତି, ଏହା କ’ଣ ବ୍ୟକ୍ତିଗତ ବୈଠକ ଏବଂ ଆଲୋଚନା ପାଇଁ ପରିସ୍ଥିତି ସୃଷ୍ଟି କରିବାର ଏକ ଉପାୟ କି? ମୁଁ ଭାବୁଛି ଏହା ଏପରି ଏକ ପରିବେଶ ସୃଷ୍ଟି କରିବାର ଏକ ଉପାୟ ଯାହା ଯେକୌଣସି ବ୍ୟକ୍ତିଗତ ବୈଠକକୁ ଅସମ୍ଭବ କରିଥାଏ। ରୁଷ ରାଷ୍ଟ୍ରପତି କହିଛନ୍ତି ବ୍ୟକ୍ତିଗତ ସାକ୍ଷାତର କୌଣସି ଅର୍ଥ ନାହିଁ।

ମସ୍କୋ ନିଜର ବାୟୁ ପ୍ରତିରକ୍ଷାକୁ ମଜବୁତ କରୁଛି

ପୁଟିନ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବ ଆଧାରରେ ମସ୍କୋ ୟୁକ୍ରେନ ସହିତ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ରୁଷ ସେନା ଯୁଦ୍ଧକ୍ଷେତ୍ରରେ ନିଜର ପ୍ରାଧାନ୍ୟ ବଜାୟ ରଖିଛି। ୟୁକ୍ରେନୀୟ ଡ୍ରୋନ ଆକ୍ରମଣରମୁକାବିଲା କରିବା ପାଇଁ ମସ୍କୋ ନିଜର ବାୟୁ ପ୍ରତିରକ୍ଷାକୁ ମଜବୁତ କରୁଛି। ରୁଷ ଲୋକଙ୍କ ଦେଶପ୍ରେମ ଏବଂ ଇଚ୍ଛାଶକ୍ତି ୟୁକ୍ରେନରେ ସେମାନଙ୍କର ଲକ୍ଷ୍ୟ ହାସଲ କରିବାକୁ ନିଶ୍ଚିତ କରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ଏକ ଘଟଣାକ୍ରମରେ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଉଭୟ ପକ୍ଷ ମଧ୍ୟରେ ଆଲୋଚନାକୁ ସହଜ କରିବା ପାଇଁ ସମ୍ପୂର୍ଣ୍ଣ ଅସ୍ତ୍ରବିରତିକୁ ସମର୍ଥନ କରି କହିଛନ୍ତି ଯେ, ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ସିଧାସଳଖ ଆଲୋଚନା ମାଧ୍ୟମରେ ହିଁ ଶାନ୍ତି ସମ୍ଭବ। ଏନେଇ ସେ ଲେଖିଥିବା ଏକ ଚିଠି କ୍ରେମଲିନ୍ ପାଇଥିବା ମଧ୍ୟ ନିଶ୍ଚିତ କରିଛନ୍ତି। ୟୁକ୍ରେନିନ୍ ରାଷ୍ଟ୍ରପତି ଲେଖିଛନ୍ତି, ଆମ ଏବଂ ଆପଣଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ମାଧ୍ୟମରେ ୟୁକ୍ରେନ୍ ଏହି ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଉଛି। ମୁଁ ଏକ ବୈଠକ ପ୍ରସ୍ତାବ ଦେଉଛି। ସାମ୍ବାଦିକ ସମ୍ମିଳନୀରେ ପୁଟିନ ଜୋର ଦେଇ କହିଛନ୍ତି, ୟୁକ୍ରେନକୁ ଆପୋଷ ସମାଧାନ କରିବାକୁ ପଡିବ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button