
ହାଇଦ୍ରାବାଦ: ଆମେରିକାର ଫିଲାଡେଲଫିଆରେ ବିଳମ୍ବିତ ରାତିରେ ପିଜ୍ଜା ଡେଲିଭରୀ କରିବାକୁ ଯାଇଥିବା ଜଣେ ଭାରତୀୟ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତ ଭାରତୀୟ ଯୁବକ ୨୮ ବର୍ଷୀୟ ଅଂଶୁଲ କୁଞ୍ଚା ବୋଲି ଜଣାପଡ଼ିଛି। ତାଙ୍କ ଘର ହାଇଦ୍ରାବାଦରେ। ଅଂଶୁଲଙ୍କୁ ଷଡ଼୍ଯନ୍ତ୍ର କରି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ଅଂଶୁଲଙ୍କ ମୁଣ୍ଡକୁ ତିନି ଥର ଗୁଳି କରାଯାଇଥିଲା ଓ ତାଙ୍କୁ ରାସ୍ତାରେ ସେହିଭଳି ଛାଡ଼ି ଦିଆଯାଇଥିଲା ବୋଲି ଆମକୁ ସୂଚନା ଦିଆଯାଇଥିବା ଭଉଣୀ ତନ୍ଭୀ କହିଛନ୍ତି। ଅଂଶୁଲଙ୍କଠାରୁ ସେମାନେ କିଛି ନେଇ ନାହାନ୍ତି, କିନ୍ତୁ ନିଛାଟିଆ ସ୍ଥାନକୁ ପିଜ୍ଜା ଦେବାକୁ ବିଳମ୍ବିତ ରାତିରେ ଡାକିଥିଲେ। ତାଙ୍କ ଭାଇକୁ ହତ୍ୟା କରିବାକୁ ଏପରି ଷଡ଼୍ଯନ୍ତ୍ର କରାଯାଇଥିବା ତନ୍ଭୀ କହିଛନ୍ତି।
ଅଂଶୁଲ ଉତ୍ତର ଫିଲାଡେଲଫିଆର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ ଓ ସପ୍ତାହାନ୍ତରେ ପାର୍ଟ-ଟାଇମ୍ ଚାକିରି ଭାବରେ ପିଜା ଡେଲିଭରି କରୁଥିଲେ। ଅଂଶୁଲଙ୍କୁ ଗୁଳି କରି ହତ୍ୟା କରାଯିବାର କିଛି ସମୟ ପୂର୍ବରୁ ସେ ଏକ ଅର୍ଡର ଡେଲିଭରୀ କରିଥିଲେ। ଆକ୍ରମଣକାରୀଙ୍କ ସଂଖ୍ୟା ସମେତ ଗୁଳିକାଣ୍ଡର ପରିସ୍ଥିତି ଅସ୍ପଷ୍ଟ ରହିଛି ଓ ଆମେରିକାର କର୍ତ୍ତୃପକ୍ଷ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରୁଛନ୍ତି।
ନ୍ୟୁୟର୍କସ୍ଥିତ ଭାରତୀୟ କନସୁଲେଟ୍ ଅଂଶୁଲଙ୍କ ମୃତ୍ୟୁ ହୋଇଥିବା ‘ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛି। ତନଭୀ ଭାଇଙ୍କୁ ହତ୍ୟା କରାଯିବା ନେଇ ନ୍ୟାୟ ଦାବି କରିଛନ୍ତି ଓ ତାଙ୍କ ଭାଇର ମୃତଦେହକୁ ଯଥାଶୀଘ୍ର ଫେରାଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ନିବେଦନ କରିଥିଲେ। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦୁଇ ଜଣ ବନ୍ଧୁକଧାରୀ କଳା ମୁଖା ପିନ୍ଧି ବ୍ୟାକପ୍ୟାକ୍ ସହିତ ଥିଲେ ବୋଲି ତନ୍ଭୀ କହିଛନ୍ତି।
ସୌଜନ୍ୟ ସମ୍ବାଦ




