ଦେଶ ବିଦେଶ

Iran-Israel: ୨୪ ଘଣ୍ଟାରେ ଭାଙ୍ଗିଲା ୬୦ ଦିନର ଶାନ୍ତି: ପୁଣି ମୁହାଁମୁହିଁ ଇରାନ-ଇସ୍ରାଏଲ୍

ବେରୁତ: ମଧ୍ୟପ୍ରାଚ୍ୟରେ ଦୀର୍ଘ ଦୁଇ ମାସର ଏକ ଅସ୍ଥାୟୀ ଶାନ୍ତି ପରେ ପୁଣି ଥରେ ଯୁଦ୍ଧର ନିଆଁ ଜଳିଉଠିଛି, ଯାହା ସମଗ୍ର ଅଞ୍ଚଳକୁ ଏକ ବ୍ୟାପକ ସଂଘର୍ଷ ଆଡ଼କୁ ଠେଲି ଦେଇଛି। ଗତ ଜୁନ୍ ୭ ତାରିଖରେ ଇରାନ ଏବଂ ଅନ୍ୟପକ୍ଷରେ ଇସ୍ରାଏଲ ଓ ଆମେରିକା ମଧ୍ୟରେ ଚାଲିଥିବା ବିବାଦକୁ ୧୦୦ ଦିନ ପୂରିଥିବା ବେଳେ, ପ୍ରଥମ ୪୦ ଦିନର ପ୍ରତ୍ୟକ୍ଷ ଯୁଦ୍ଧ ପରେ ଦୁଇ ମାସ ଧରି ଏକ ଶାନ୍ତି ସ୍ଥିତି ବଜାୟ ରହିଥିଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହି ଶାନ୍ତି ସମ୍ପୂର୍ଣ୍ଣ ରୂପେ ଭଙ୍ଗ ହୋଇଯାଇଛି। ଚଳିତ ଅସ୍ଥାୟୀ ଯୁଦ୍ଧବିରତି ପରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହେବା ପଛର ମୁଖ୍ୟ କାରଣ ସାଜିଛି ଲେବାନନର ରାଜଧାନୀ ବେରୁତ। ଇରାନ ପୂର୍ବରୁ ହିଁ ବେରୁତକୁ ନିଜର ‘ରେଡ୍ ଲାଇନ୍’ ବା ଚୂଡ଼ାନ୍ତ ସୀମା ଭାବେ ଘୋଷଣା କରିଥିଲା। ଯଦିଓ ଜୁନ୍ ୭ ଏବଂ ୮ ତାରିଖ ବିଳମ୍ବିତ ରାତିରେ ଉଭୟ ଦେଶ ମଧ୍ୟରେ କ୍ଷେପଣାସ୍ତ୍ର ବିନିମୟ ହୋଇଥିଲା, ତଥାପି ତେହେରାନ ସ୍ପଷ୍ଟ କରିଛି ଯେ ସେମାନଙ୍କ ସଂଯମତାର ଏକ ସୀମା ରହିଛି। ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ମତରେ, ଇରାନ ଦକ୍ଷିଣ ଲେବାନନ ଉପରେ ହେଉଥିବା ଆକ୍ରମଣକୁ ସହ୍ୟ କରୁଥିଲେ ମଧ୍ୟ ବେରୁତ ଉପରେ ଆକ୍ରମଣକୁ କଦାପି ବରଦାସ୍ତ କରିବ ନାହିଁ ବୋଲି ୱାଶିଂଟନକୁ ପୂର୍ବରୁ ହିଁ ଚେତାବନୀ ଦେଇଥିଲା ଏବଂ ବର୍ତ୍ତମାନର ଆକ୍ରମଣ ଦ୍ୱାରା ଏହା ପ୍ରମାଣିତ ହୋଇଛି।

ଅନୁରୋଧକୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲେ

ଗତ ମାର୍ଚ୍ଚ ୨ ତାରିଖରୁ ଇରାନ ସମର୍ଥିତ ହିଜବୁଲ୍ଲା ସଂଗଠନ ଇସ୍ରାଏଲ ଉପରେ ଆକ୍ରମଣ କରି ଦ୍ୱିତୀୟ ସମ୍ମୁଖ ସମର ଆରମ୍ଭ କରିଥିବା ବେଳେ ବେଞ୍ଜାମିନ ନେତାନ୍ୟାହୁଙ୍କ ସରକାର ଦକ୍ଷିଣ ଲେବାନନରେ ନିରନ୍ତର ସାମରିକ ଅପରେସନ ଜାରି ରଖିଥିଲେ।ଏହି କ୍ରମରେ ଗତ ରବିବାର ଦିନ ଇସ୍ରାଏଲ ପକ୍ଷରୁ ବେରୁତର ଦକ୍ଷିଣ ଉପକଣ୍ଠରେ ଥିବା ହିଜବୁଲ୍ଲାର ଏକ ଗଡ଼ ଉପରକୁ ମାଡ଼ କରାଯାଇଥିବା କ୍ଷେପଣାସ୍ତ୍ର ଦୁଇଟି ଆପାର୍ଟମେଣ୍ଟ ବିଲ୍ଡିଂରେ ବାଜିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିବା ସହ ପ୍ରାୟ ୨୦ ଜଣ ଆହତ ହୋଇଥିଲେ, ଯାହା ଇରାନ ପାଇଁ ସହ୍ୟର ସୀମା ପାର୍ କରିଦେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୱାଶିଂଟନ ପକ୍ଷରୁ ବେରୁତ ଉପରେ ଆକ୍ରମଣ ନକରିବାକୁ ବାରମ୍ବାର କରାଯାଇଥିବା ଅନୁରୋଧକୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲେ। ଇସ୍ରାଏଲର ଦାବି ଅନୁଯାୟୀ, ହିଜବୁଲ୍ଲାର ରକେଟ୍ ମାଡ଼ର ଜବାବରେ ସେମାନେ ବେରୁତର ଦହିୟା ଜିଲ୍ଲାରେ ଥିବା ଆତଙ୍କବାଦୀ ମୁଖ୍ୟାଳୟକୁ ଧ୍ୱଂସ କରିଛନ୍ତି। ଏହାର ପ୍ରତିଶୋଧ ସ୍ୱରୂପ ଇରାନ ରାତାରାତି ଇସ୍ରାଏଲ ଅଭିମୁଖେ ୩୦ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଇସ୍ରାଏଲ ପୁଣି ଥରେ ଇରାନର ସାମରିକ ପ୍ରତିରକ୍ଷା ବ୍ୟବସ୍ଥା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ୧୫ ଜଣ ଆହତ ହୋଇଛନ୍ତି। ଏହା ସହିତ ଗାଜାରେ ହୋଇଥିବା ଆକ୍ରମଣରେ ଜଣେ ଶିଶୁ ସମେତ ୫ ଜଣଙ୍କର ପ୍ରାଣହାନି ଘଟିଛି।

ଏହି ସାମରିକ ସଂଘର୍ଷ ଯୋଗୁଁ ସମଗ୍ର ଆଞ୍ଚଳିକ ସ୍ଥିତି ଗୁରୁତର ହୋଇପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ଇରାକ ନିଜର ଆକାଶମାର୍ଗକୁ ୭୨ ଘଣ୍ଟା ପାଇଁ ବନ୍ଦ କରିଦେଇଥିବା ବେଳେ ୟେମେନର ହୁତି ବିଦ୍ରୋହୀମାନେ ଇସ୍ରାଏଲ ଉପରକୁ କ୍ଷେପଣାସ୍ତ୍ର ମାଡ଼ କରିବା ସହ ଲୋହିତ ସାଗରରେ ସାମୁଦ୍ରିକ ପରିବହନ ବାଧାପ୍ରାପ୍ତ କରିବାକୁ ଧମକ ଦେଇଛନ୍ତି। ପରିସ୍ଥିତିକୁ ସମ୍ଭାଳିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ପୋଷ୍ଟ କରି ଉଭୟ ପକ୍ଷକୁ ତୁରନ୍ତ ଗୁଳିଚାଳନା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଶାନ୍ତି ଚୁକ୍ତି ପାଇଁ ଚୂଡ଼ାନ୍ତ ଆଲୋଚନା ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି। ନେତାନ୍ୟାହୁଙ୍କ ସହ ତାଙ୍କର ସମ୍ପର୍କରେ ତିକ୍ତତା ଦେଖାଦେଇଥିବା ବେଳେ ଟ୍ରମ୍ପ ଦୃଢ଼ତାର ସହ କହିଛନ୍ତି ଯେ ସମସ୍ତ ନିଷ୍ପତ୍ତି ସେ ନିଜେ ନେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଇରାନ ସେନା ପକ୍ଷରୁ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲେ ହେଁ, ଯଦି ଇସ୍ରାଏଲ କିମ୍ବା ତାର ସମର୍ଥକମାନେ ଦକ୍ଷିଣ ଲେବାନନ ସମେତ ଅନ୍ୟ କୌଣସି ସ୍ଥାନରେ ଶତ୍ରୁତାମୂଳକ ଆଚରଣ ପ୍ରଦର୍ଶନ କରନ୍ତି, ତେବେ ପୂର୍ବ ଅପେକ୍ଷା ଅତି ଭୟଙ୍କର ଓ ବ୍ୟାପକ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଇରାନ କଡ଼ା ଚେତାବନୀ ଦେଇଛି।

 

 

ସୌଜନ୍ୟ Prameya News7

 

Show More
Back to top button