ଦେଶ ବିଦେଶ

Cuttack politics: କଟକ ରାଜନୀତି ଗୋଳମାଳ: ବିଜେଡିରୁ ଚନ୍ଦ୍ରସାରଥିଙ୍କ ୱିକେଟ୍‌ ପଡ଼ିବ!

କଟକ: ପୂର୍ବତନ ମନ୍ତ୍ରୀ, ଲଗାତାର ୩ ବିଧାନସଭା ନିର୍ବାଚନ ଜିତିଥିବା ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଚନ୍ଦ୍ରସାରଥି ବେହେରା ଏବେ ଦଳ ଛାଡ଼ିବା ଯୋଜନାରେ। ଉଭୟ ସାଲେପୁର ଓ ସଦର ଆସନରୁ ବିଧାୟକ ହୋଇଥିବା ଚନ୍ଦ୍ରସାରଥି ଉଭୟ ଅଞ୍ଚଳରେ ନିଜର ପ୍ରଭାବ ରଖିଛନ୍ତି। କିନ୍ତୁ ୨୦୨୪ ପରବର୍ତ୍ତୀ ସ୍ଥିତିରେ ସେ ବିଭିନ୍ନ କାରଣରୁ ଦଳ ଭିତରେ ଆଉ ସହଜ ହୋଇପାରୁ ନାହାନ୍ତି। ପୂର୍ବରୁ ବିଭିନ୍ନ ସମୟରେ ‘ଫାର୍ମ ହାଉସ୍‌’ ପଲିଟିକ୍‌ସରେ ଚନ୍ଦ୍ରସାରଥି ସାମିଲ ହୋଇ ଆସୁଥିଲେ। ଦେବାଶିଷ ସାମନ୍ତରାୟ ବିଜେପି ଯିବା ପରେ କଟକର ପରବର୍ତ୍ତୀ ବରିଷ୍ଠ ନେତା ଭାବେ ଏବେ ସେହି ବାଟରେ ଚନ୍ଦ୍ରସାରଥି ଯିବେ ବୋଲି ଆଲୋଚନା ହେଉଛି। ଚନ୍ଦ୍ରସାରଥିଙ୍କ ପକ୍ଷରୁ ଏଯାଏଁ କିଛି କୁହାଯାଇ ନଥିଲେ ବି ବାରବାଟୀ-କଟକରୁ ଦେବାଶିଷ, ଚୌଦ୍ବାର-କଟକରୁ ପ୍ରଭାତ ରଂଜନ ବିଶ୍ବାଳ ବିଜେଡି ଛାଡ଼ିବା ପରେ ସଦର-କଟକରୁ ଚନ୍ଦ୍ରସାରଥିଙ୍କ ୱିକେଟ୍‌ ପତନ ହେବ ବୋଲି ଏବେ ଆକଳନ କରାଯାଉଛି। ଚନ୍ଦ୍ରସାରଥିଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ଜିଲ୍ଲାସ୍ତରୀୟ ପଦବିରେ ଥିବା ଜଣେ ମହିଳା ନେତ୍ରୀ ବି ବିଜେଡି ଛାଡ଼ିବା ନେଇ ଆକଳନ ଆରମ୍ଭ ହୋଇଯାଇଛି। ଦେବାଶିଷଙ୍କ ସହିତ ଚନ୍ଦ୍ରସାରଥିଙ୍କର ଭଲ ସଂପର୍କ ରହି ଆସିଛି। ପ୍ରଭାତ ଓ ଦେବାଶିଷ ଏବେ ପରସ୍ପରର ନିକଟତର ହେବାରେ ଲାଗିଛନ୍ତି। ଏହି ୩ ନେତା ହାତ ମିଳାଇଲେ କଟକ ପୌର ନିଗମର ଚିତ୍ର ବଦଳିଯିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ।

ଦେବାଶିଷ-ପ୍ରଭାତ-ଚନ୍ଦ୍ରସାରଥିଙ୍କ ନେତୃତ୍ବରେ ଏକାଠି ହେବେ ୨୫ କର୍ପୋରେଟର୍‌

କଟକର ପୌର ନିଗମରେ ଏବେ ୫୭ ଜଣ କର୍ପୋରେଟର୍‌ (୫୯ରୁ ୨ ମୃତ) ଅଛନ୍ତି। ସେମାନଙ୍କ ମଧ୍ୟରୁ ବିଜେଡିର ୩୭, ବିଜେପିର ୭, କଂଗ୍ରେସର ୮ ଓ ୫ ସ୍ବାଧୀନ ସଦସ୍ୟ ଅଛନ୍ତି। ନିୟମ ଅନୁଯାୟୀ ଯଦି ୨୫ ଜଣ ବିଜେଡି କର୍ପୋରେଟର୍‌ ଏକାଠି ବିଜେପିରେ ସାମିଲ ହୁଅନ୍ତି, ତେବେ ସେମାନଙ୍କ ପାଇଁ ହୁଏତ ଦଳବଦଳ ଆଇନରେ ସଦସ୍ୟତା ରଦ୍ଦ ନିୟମ ଲାଗୁ ହେବ ନାହିଁ। ଏଭଳି ହେଲେ ବିଜେପି ସଂଖ୍ୟାଗରିଷ୍ଠ ସ୍ଥିତିକୁ ଚାଲିଯିବ। ଏ ସଂପର୍କରେ ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ କହିଛନ୍ତି ଯେ କୌଣସି ଦଳର ଦୁଇ ତୃତୀୟାଂଶ ସଦସ୍ୟ ଏକାଠି ହୋଇ ଅନ୍ୟ ଦଳକୁ ଯିବାକୁ ଚାହିଁଲେ ସେମାନଙ୍କୁ ରାଜ୍ୟ ନିର୍ବାଚନ କମିସନଙ୍କ ସ୍ବୀକୃତି ହାସଲ କରିବାକୁ ପଡ଼ିବ। ଫଳରେ ଏହାକୁ ନେଇ ବି ଏବେ ଜୋରଦାର୍‌ ଅଙ୍କକଷା ଆରମ୍ଭ ହୋଇଥିବା କୁହାଯାଉଛି।

କଟକ ରାଜନୀତିରେ ହେଉଥିବା ଏଭଳି ଦ୍ରୁତ ପରିବର୍ତ୍ତନ ଏବେ ରାଜ୍ୟ ରାଜନୀତିର ଚିତ୍ର ବଦଳାଇବାର କ୍ଷେତ୍ର ପ୍ରସ୍ତୁତ କରୁଛି। କଟକ ଜିଲ୍ଲାର ୩ ବିଧାୟକ ନିଜନିଜ ଦଳରୁ ଦୂରେଇ ଯାଇଛନ୍ତି। ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ ବିଜେଡି ନିଷ୍ପତ୍ତି ବିରୋଧରେ ଯାଇ ଭୋଟ ଦେବା ସହିତ ଦଳରୁ ନିଲମ୍ବିତ ହୋଇଛନ୍ତି। ସେହିଭଳି ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ ବି କଂଗ୍ରେସ ନିଷ୍ପତ୍ତି ବିରୋଧରେ ଯାଇ ଦଳରୁ ନିଲମ୍ବିତ ହୋଇଛନ୍ତି। ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ଦଳବଦଳ ନିୟମ ଦୃଷ୍ଟିରୁ ସୌଭିକ ଓ ଦେବୀ ଅନ୍ୟ ଦଳରେ ମିଶି ପାରୁ ନଥିଲେ ବି ସେମାନେ ବିଜେପିକୁ ଯିବାର କ୍ଷେତ୍ର ପ୍ରସ୍ତୁତ କରି ସାରିଛନ୍ତି। ଏପଟେ ଦେବାଶିଷ ସାମନ୍ତରାୟ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ଦେବାଶିଷ ବିଜେଡି ଛାଡ଼ିବା ପରେପରେ ମଧୁସୂଦନ ସାହୁ, ରଂଜନ ବିଶ୍ବାଳ, ଜ୍ଞାନେନ୍ଦ୍ର ଗିରି ଗୋସ୍ବାମୀ, ଫିରୋଜ ମହାପାତ୍ର, ଆସିଫ ଅମିନ, ଆଶାଶ୍ରୀ ସାହୁଙ୍କ ଭଳି ବରିଷ୍ଠ, ଯୁବ ଓ ଛାତ୍ରନେତା ବିଜେଡିରୁ ଇସ୍ତଫା ଦେବା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button