ରାଜ୍ୟ

OHPC’s: ବିଦ୍ୟୁତ୍‌ ଟାରିଫ୍ ବୃଦ୍ଧି ପାଇଁ ଓଏଚ୍‌ପିସିର ଆବେଦନ, ୟୁନିଟ୍‌ ପିଛା ୧୪ ପଇସା ବଢ଼ିବ!

ଚଳିତ ଆର୍ଥିକବର୍ଷ ୨୦୨୬-୨୭ ପାଇଁ ଓଡ଼ିଶା ବିଦ୍ୟୁତ୍ ନିୟାମିକ ଆୟୋଗ(ଓଇଆର୍‌ସି) ଅନୁମୋଦନ କରିଥିବା ସମୁଦାୟ ରାଜସ୍ୱ ପରିମାଣ ଓ ଟାରିଫ୍ ଆଦେଶ ଉପରେ ଅସନ୍ତୋଷ ପ୍ରକାଶ....

ଭୁବନେଶ୍ବର:  ଚଳିତ ଆର୍ଥିକବର୍ଷ ୨୦୨୬-୨୭ ପାଇଁ  ଓଡ଼ିଶା ବିଦ୍ୟୁତ୍ ନିୟାମିକ ଆୟୋଗ(ଓଇଆର୍‌ସି) ଅନୁମୋଦନ କରିଥିବା ସମୁଦାୟ ରାଜସ୍ୱ ପରିମାଣ ଓ ଟାରିଫ୍ ଆଦେଶ ଉପରେ ଅସନ୍ତୋଷ ପ୍ରକାଶ କରି ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (ଓଏଚ୍‌ପିସି) ତାହାର ପୁନର୍ବାର ସମୀକ୍ଷା ପାଇଁ ଗତ ୬ତାରିଖରେ  ଦରଖାସ୍ତ କରିଛି। ନାଗରିକ କାର୍ଯ୍ୟପଦ୍ଧତି ସଂହିତା ୧୯୦୮ର ଆଦେଶ ସଂଖ୍ୟା ୪୭ ରୁଲ୍ ୧ ଅନୁସାରେ ଓଏଚ୍‌ପିସି ଦରଖାସ୍ତ ଦାଖଲ କରିଛି।  ଗତ ମାର୍ଚ୍ଚ ୨୪ତାରିଖରେ ଓଇଆର୍‌ସି ଜାରି କରିଥିବା ଟାରିଫ୍ ଆଦେଶରେ ୭ଟି ତ୍ରୁଟି ଥିବା  ଦର୍ଶାଇ ତାହାକୁ ସୁଧାରିବା ପାଇଁ ଓଏଚପିସି ଆବେଦନ କରିଛି।

ଅତିରିକ୍ତ ପୁଞ୍ଜିନିବେଶ ପରିମାଣ, ସୁଧ,  ସମ୍ପତ୍ତି କ୍ଷୟ, ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଆୟକର ପ୍ରଭୃତି ପ୍ରସଙ୍ଗରେ ତ୍ରୁଟି ରହିଥିବା ଓଏଚ୍‌ପିସି ଦର୍ଶାଇଛି। ଏହାକୁ ସମୀକ୍ଷା କରି ଚଳିତବର୍ଷ ପାଇଁ ଅନୁମୋଦିତ ସମୁଦାୟ  ରାଜସ୍ୱ ଆବଶ୍ୟକତା ପରିମାଣକୁ ୭୬ କୋଟି ୫୭ ଲକ୍ଷ ଟଙ୍କା ବୃଦ୍ଧି କରିବା ପାଇଁ ସତ୍ୟପାଠରେ ଦର୍ଶାଇଛି। ସେଥିପାଇଁ ଓଏଚ୍‌ପିସିର ହାରାହାରି ଟାରିଫ୍ ୟୁନିଟ୍ ପିଛା ୧୩.୬୬ ପଇସା ବୃଦ୍ଧି ଘଟିବ। ତେବେ ଓଡ଼ିଶାର ବଳକା ବିଦ୍ୟୁତ୍‌କୁ ବାଦଦେଇ  ଓଇଆର୍‌ସି ୨୦୨୬-୨୭ରେ ସମୁଦାୟ ୪୧୧୦୯ ନିୟୁତ ୟୁନିଟ୍ ବ୍ୟବସାୟ ପାଇଁ ଗ୍ରିଡ୍‌କୋକୁ ଅନୁମତି ଦେଇଥିବା ବେଳେ ସେଥିରୁ ଓଏଚ୍‌ପିସି ୫୮୬୧ ନିୟୁତ ୟୁନିଟ୍ ଗ୍ରିଡ୍‌କୋକୁ ଯୋଗାଇଦେବ। ଚଳିତବର୍ଷ ପାଇଁ ଓଏଚ୍‌ପିସିର ସମୁଦାୟ ରାଜସ୍ୱ ଆବଶ୍ୟକତା ପରିମାଣ ୫୫୦ କୋଟି ୧୭ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ବେଳେ ତାହାକୁ ୬୨୬ କୋଟି ୭୪ ଲକ୍ଷ ଟଙ୍କାକୁ ବୃଦ୍ଧିକରିବା ପାଇଁ ଦରଖାସ୍ତରେ ଓଇଆର୍‌ସିଙ୍କୁ ନିବେଦନ କରିଛି। ସେହିପରି ଓଏଚ୍‌ପିସିର ହାରାହାରି ଉତ୍ପାଦନ ଟାରିଫ୍ ଚଳିତବର୍ଷ ପାଇଁ ୯୮.୨୨ ପଇସା ଅନୁମୋଦନ ହୋଇଥିବାବେଳେ ତାହାକୁ ୟୁନିଟ ପିଛା ୧୩.୬୬ ପଇସା ବୃଦ୍ଧି କରି ୧୧୧.୮୮ ପଇସା ଧାର୍ଯ୍ୟ କରିବା ପାଇଁ ନିବେଦନ କରିଛି।

ଓଏଚ୍‌ପିସି ଦରଖାସ୍ତକୁ ଗ୍ରହଣ କରିବାକୁ ହେଲେ ଓଇଆର୍‌ସି ଗ୍ରିଡ୍‌କୋ ପାଇକାରି ମୂଲ୍ୟକୁ ସଂଶୋଧନ କରିବା ପାଇଁ ବାଧ୍ୟ ହେବ। ପାଇକାରି ମୂଲ୍ୟ ସଂଶୋଧନ ପାଇଁ ଗ୍ରିଡ୍‌କୋ ଏପର୍ଯ୍ୟନ୍ତ ଓଇଆର୍‌ସିରେ କୌଣସି ସମୀକ୍ଷା ଦରଖାସ୍ତ ଦାଖଲ କରିନାହିଁ। ଓଡ଼ିଶା ବିଦ୍ୟୁତ୍ ସଞ୍ଚାରଣ ନିଗମ (ଓପିଟିସିଏଲ୍‌) ପାଇଁ ଅନୁମୋଦିତ ସମୁଦାୟ ରାଜସ୍ୱ ପରିମାଣ ଓ ବିଦ୍ୟୁତ୍ ସଞ୍ଚାରଣ ଟାରିଫ୍‌କୁ ସଂଶୋଧନ ଆବଶ୍ୟକ ଦର୍ଶାଇ ଓପିଟିସିଏଲ୍‌ ଏକ ଦରଖାସ୍ତ ଓଇଆର୍‌ସିରେ ଦାଖଲ କରିଥିବା ବେଳେ ଅଂଶୀଦାରମାନଙ୍କୁ ନକଲ ଦେଇନାହାନ୍ତି। ସେହିପରି ଟାଟା ବିତରଣ କମ୍ପାନି ଚଳିତ ବର୍ଷର ଟାରିଫ୍ ଆଦେଶକୁ ସମୀକ୍ଷା କରିବା ପାଇଁ ଓଇଆର୍‌ସିରେ ଆବେଦନ କରିଛି। ଓଏଚ୍‌ପିସି ଟାରିଫ୍ ସମୀକ୍ଷା ଆବେଦନ ଦରଖାସ୍ତ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି ଯେ ପ୍ରତିବର୍ଷ ଏହିପରି ଦରଖାସ୍ତ କରାଯାଉଛି। ଓଏଚ୍‌ପିସି ପୂର୍ବବର୍ଷର ଟାରିଫ୍‌ ସମୀକ୍ଷା ପାଇଁ ସତ୍ୟତା ଯାଞ୍ଚ ଦରଖାସ୍ତ ଦାଖଲ ନକରିବା ଏବଂ ବାଧ୍ୟ ବାଧ୍ୟକତାରେ ଓଇଆର୍‌ସି ଟାରିଫ୍ ନିର୍ଣ୍ଣୟ କରୁଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି। ଯାହା ଫଳରେ ଓଇଆର୍‌ସି ନିର୍ଦ୍ଧିଷ୍ଟ କାରଣ ଦର୍ଶାଇ ନିଜର ଟାରିଫ୍‌ ଆଦେଶର ପୁନଃସମୀକ୍ଷା ଆବଶ୍ୟକ ନଥିବା କହି ପୂର୍ବରୁ ନାକଚ କରିଛନ୍ତି। ଓଏଚ୍‌ପିସି ଯାହାକୁ ଏବେ ତ୍ରୁଟିପୂର୍ଣ୍ଣ କହୁଛି, ତାହା ପୂର୍ବରୁ ଓଇଆର୍‌ସି ଦ୍ବାରା ଅଗ୍ରାହ୍ୟ ହୋଇଛି। ଓଏଚ୍‌ପିସି ଦରଖାସ୍ତରେ କୌଣସି ନୂତନ ତଥ୍ୟ ଓ ଯୁକ୍ତି ନାହିଁ। ଓଏଚ୍‌ପିସି ଦରଖାସ୍ତରେ ଦର୍ଶାଇଥିବା ପ୍ରସଙ୍ଗଗୁଡିକୁ ଆସନ୍ତାବର୍ଷର ଟାରିଫ ନିର୍ଣ୍ଣୟ ପ୍ରଣାଳୀରେ ଉପସ୍ଥାପନ କରିପାରିବ ବୋଲି ସେ କହିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button