ରାଜ୍ୟ

Death: ଦୁଇ ବର୍ଷରେ ୧୦୦ ଦାଦନ ମୃତ, ପଶ୍ଚିମ ଓଡ଼ିଶାରେ ସ୍ଥିତି ଉଦବେଗଜନକ

ରାଉରକେଲା(ଦେବବ୍ରତ ଗଡ଼ତିଆ): ଗତ ଜାନୁଆରି ୧୮ ତାରିଖ। କେରଳର ଏର୍ଣ୍ଣାକୁଲମ ପେରୁମ୍ବାଭୁରର ଏକ ପ୍ଲାଏଉଡ୍‌ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଥିବାବେଳେ ସୁନ୍ଦରଗଡ଼ ରାଜଗାଙ୍ଗପୁର ବ୍ଲକ୍‌ର ସୁନୀଲ ଟପ୍ପୋ (୨୬)ଙ୍କ ଅକାଳ ବିୟୋଗଘଟିଥିଲା। ପ୍ଲାଏଉଡ୍ କାଟିବା ମେସିନରେ କାମ କରୁଥିବା ବେଳେ ବୈଦ୍ୟୁତିକ ସର୍ଟସର୍କିଟ୍‌ କାରଣରୁ ଆଘାତ ଲାଗିଥିଲା। କାରଖାନା ଭିତରେ ହିଁ ସେ ଆଖି ବୁଜିଦେଇଥିଲେ। ସେହିଭଳି ୨୦୨୫ ଅଗଷ୍ଟ ୧୫ ତାରିଖରେ ବେଙ୍ଗାଲୁରୁରେ ହେମଗିର ବ୍ଲକର ରାଜମିସ୍ତ୍ରି ସହାୟକ ଅମିତ କୁଜୁର (୩୧)ଙ୍କ ମୃତ୍ୟୁ ଘଟିଥିଲା। କାର୍ଯ୍ୟରତ ସମୟରେ ଅମିତ ୬ ମହଲା ଉପରୁ ପଡ଼ିଯାଇଥିଲେ। କେବଳ ଏହି ଦୁଇଟି ଘଟଣା ନୁହେଁ‌; ବରଂ କ୍ରମବର୍ଦ୍ଧିଷ୍ଣୁ ଦାଦନମୃତ୍ୟୁ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ଗତ ଦୁଇ ବର୍ଷରେ ପଶ୍ଚିମଓଡ଼ିଶାର ୧୦ଟି ଜିଲ୍ଲାରେ ପ୍ରାୟ ୧୦୦ ଜଣ ଦାଦନ ଶ୍ରମିକଙ୍କୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାର ମୋଟ୍‌ ୧୦ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗତ ଦୁଇ ବର୍ଷ, ଅର୍ଥାତ୍‌ ୨୦୨୪ ଓ ୨୦୨୫ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାର ମୋଟ୍‌ ୧୦ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ୨୦୨୪ରେ ୨ ଜଣ ଓ ୨୦୨୫ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିଭଳି ବଲାଙ୍ଗୀର ଜିଲ୍ଲାରେ ଗତ ଦୁଇ ବର୍ଷରେ ୩୪ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିର ୨୭, ବରଗଡ଼ର ୫, ବୌଦ୍ଧର ୫, ଦେବଗଡ଼ର ୨, ଝାରସୁଗୁଡ଼ାର ୧, ନୂଆପଡ଼ାର ୬, ସମ୍ବଲପୁରର ୩ ଓ ସୋନପୁରର ୭ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି କିମ୍ବା ରେଡ୍‌କ୍ରସ୍‌ ପକ୍ଷରୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନରେ ଅହେତକୁ ବିଳମ୍ବ ଘଟୁଛି। ଫେବ୍ରୁଆରି ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, କେବଳ ୬୨ ଜଣ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିଛି। ସୁନ୍ଦରଗଡ଼ ଜିଲ୍ଲାରେ କେବଳ ୫ଟି ପରିବାରକୁ ସହାୟତା ମିଳିଥିବାବେଳେ ବରଗଡ଼ ଜିଲ୍ଲାର ୧ ପରିବାର, ବଲାଙ୍ଗୀରରେ ୧୫ ପରିବାର, ବୌଦ୍ଧରେ ୪, ଦେବଗଡ଼ରେ ୨, କଳାହାଣ୍ଡିରେ ୩୦ ଓ ସୋନପୁରର ୫ଟି ପରିବାର ସରକାରୀ ସହାୟତା ପାଇଛନ୍ତି।

ସ୍ଥାୟୀ ରୋଜଗାର ଓ କୃଷି କ୍ଷେତ୍ରରେ ସଂକଟ ଯୋଗୁ ଜିଲ୍ଲାର ହଜାର ହଜାର ଆଦିବାସୀ ଓ ଗରିବ ଯୁବକ ଗୋଆ, କେରଳ, ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟକୁ କାମ ଅନ୍ୱେଷଣରେ ଯାଉଛନ୍ତି। ସେଠାରେ ବିନା ସୁରକ୍ଷା ଉପକରଣରେ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଇଟାଭାଟି ତଥା ଅଣପଞ୍ଜୀକୃତ ଶିଳ୍ପରେ ଦିନକୁ ୧୪ ରୁ ୧୬ ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି, ଯଦ୍ବାରା ସ୍ୱାସ୍ଥ୍ୟଗତ ଅବହେଳା, ଶ୍ରମିକ ଶିବିରରେ ଖରାପ ଖାଦ୍ୟପେୟ, ପ୍ରଦୂଷଣ ଯୋଗୁ ଟିବି ଓ ଶ୍ୱାସକ୍ରିୟା ଜନିତ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି।

ଗତ ଦୁଇବର୍ଷରେ ପଶ୍ଚିମ ଓଡ଼ିଶାରେ ଦାଦନ ମୃତ୍ୟୁ

ଜିଲ୍ଲା            ୨୦୨୪          ୨୦୨୫     ମୋଟ୍‌
ସୁନ୍ଦରଗଡ଼       ୨                ୮          ୧୦
ବରଗଡ଼          ୧               ୪           ୫
ବଲାଙ୍ଗୀର       ୧୧             ୨୩        ୩୪
ବୌଦ୍ଧ             ୩            ୨              ୫
ଦେବଗଡ଼         ୨             ୦             ୨
ଝାରସୁଗୁଡ଼ା     ୦             ୧              ୧
କଳାହାଣ୍ଡି        ୧୧           ୧୬           ୨୭
ନୂଆପଡ଼ା           ୨           ୪            ୬
ସମ୍ବଲପୁର        ୦           ୩              ୩
ସୋନପୁର          ୫         ୨               ୭
ସର୍ବମୋଟ୍‌      ୩୭           ୬୩         ୧୦୦

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button