ଜାଣନ୍ତୁ, ଘରର ମୁଖ୍ୟ ଦ୍ୱାରରେ ପାଣି ଛିଞ୍ଚିଲେ କେତେ ଶୁଭ ?
ଘରର ମୁଖ୍ୟ ଦ୍ୱାର ହିଁ ସକାରାତ୍ମକ ଶକ୍ତି ଓ ଧନର ପ୍ରବେଶ ଦ୍ୱାର ବୋଲି ମାନାଯାଏ | ସେଥିପାଇଁ ଘରର ମୁଖ୍ୟ ଦ୍ୱାରକୁ ସବୁବେଳେ ସଫା ସୁତୁରା ରଖିବା ଉଚିତ |

ସାଧାରଣତଃ ଘରର ମୁଖ୍ୟ ଦ୍ୱାର ହିଁ ସକାରାତ୍ମକ ଶକ୍ତି ଓ ଧନର ପ୍ରବେଶ ଦ୍ୱାର ବୋଲି ମାନାଯାଏ । ସେଥିପାଇଁ ଘରର ମୁଖ୍ୟ ଦ୍ୱାରକୁ ସବୁବେଳେ ସଫା ସୁତୁରା ରଖିବା ଉଚିତ । ଯଦି ଆପଣ ବି ନିଜ ଘରେ ଶାନ୍ତି ଓ ସମୃଦ୍ଧି ଚାହାନ୍ତି ତେବେ ଆପଣଙ୍କୁ କିଛି ବିଶେଷ ଧ୍ୟାନ ଦେବାକୁ ପଡିବ । ପ୍ରତିଦିନ ସକାଳେ ମୁଖ୍ୟ ଦ୍ୱାରରେ ପାଣି ଛିଞ୍ଚିବା ଦ୍ୱାରା ଘରେ ବେଶ ଭଲ ପ୍ରଭାବ ପଡିଥାଏ ।
ଘରେ କି ପ୍ରଭାବ ପକାଇଥାଏ ?
ଲକ୍ଷ୍ମୀଙ୍କ ଆଗମନ:- ଘରର ଦୁଆର ମୁହଁରେ ଜଳ ଛିଞ୍ଚିଲେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ମଧୁର ଜଳ ପବିତ୍ରତାର ପ୍ରତୀକ, ଯାହା ଘରକୁ ଧନ ଏବଂ ସୌଭାଗ୍ୟକୁ ଆକର୍ଷିତ କରେ।
ନକାରାତ୍ମକ ଶକ୍ତିର ନିରାକରଣ :- ଏହା ଦ୍ୱାରକୁ ଶୁଦ୍ଧ କରେ ଏବଂ ଘରେ ଥିବା ନକାରାତ୍ମକ ଶକ୍ତି ଏବଂ ଖରାପ ଦୃଷ୍ଟିକୁ ଦୂର କରେ।
ରାହୁ ଦୋଷର ପ୍ରତିକାର :- ମୁଖ୍ୟ ଦ୍ୱାର ରାହୁ ସହିତ ଜଡିତ। ସକାଳେ ସେଠାରେ ପାଣି ଛିଞ୍ଚିବା ଦ୍ୱାରା ରାହୁର ନକାରାତ୍ମକ ପ୍ରଭାବ କମିଥାଏ, ଯାହା ଦ୍ୱାରା ସମସ୍ତ ଅସୁବିଧା ଏବଂ ପାରିବାରିକ କଳହ ଦୂର ହୁଏ।
ପୂର୍ବପୁରୁଷଙ୍କ ଆଶୀର୍ବାଦ:- ପାରମ୍ପରିକ ବିଶ୍ୱାସ ଅନୁସାରେ, ସକାଳ ସମୟରେ ପୂର୍ବପୁରୁଷଙ୍କ ଆତ୍ମା ମୁଖ୍ୟ ପ୍ରବେଶ ଦ୍ୱାରକୁ ଆସିଥାନ୍ତି। ଜଳର ପବିତ୍ରତା ସେମାନଙ୍କୁ ସନ୍ତୁଷ୍ଟ କରିଥାଏ ଏବଂ ସେମାନଙ୍କର ଆଶୀର୍ବାଦ ମିଳିଥାଏ ।
ଜଳ ଛିଞ୍ଚିବାର ସଠିକ ସମୟ :
ଏହି ପଦ୍ଧତିକୁ ପ୍ରତିଦିନ ସକାଳୁ ଉଠି ସୂର୍ଯ୍ୟୋଦୟ ପୂର୍ବରୁ ବା ତୁରନ୍ତ ପରେ କରନ୍ତୁ । ପ୍ରଥମେ, ମୁଖ୍ୟ ପ୍ରବେଶ ଦ୍ୱାର ସମ୍ମୁଖ ସ୍ଥାନକୁ ଝାଡୁ ମରାନ୍ତୁ , ତା’ପରେ ପାଣି ଛିଞ୍ଚନ୍ତୁ । ଏହା ବାଦ ରାତିସାରା ଏକ ତମ୍ବା ପାତ୍ରରେ ପାଣି ରଖନ୍ତୁ ଏବଂ ସକାଳେ ଏହାକୁ ବ୍ୟବହାର କରନ୍ତୁ; ଏହା ପାଣିର ବିଶୋଧନକାରୀ ଗୁଣ ଏବଂ ତମ୍ବାର ଔଷଧୀୟ ଗୁଣକୁ ବୃଦ୍ଧି କରେ। ସେଭଳି ପାଣିରେ ଚିମୁଟାଏ ହଳଦୀ ମିଶାଇବା ଦ୍ୱାରା ଗମ୍ଭୀର ଆର୍ଥିକ ସମସ୍ୟା ଦୂର ହୋଇଥାଏ । ସେଭଳି ସପ୍ତାହରେ ଥରେ ଲୁଣ ମିଶ୍ରିତ ପାଣି ଛିଞ୍ଚନ୍ତୁ । ଏହା ନକାରାତ୍ମକ ଶକ୍ତିକୁ ଦୂର କରେ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ।ଘରପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ଗଙ୍ଗା ଜଳର ସିଞ୍ଚନ | ଏହାର କିଛି ବୁନ୍ଦା ଘରେ ଶାନ୍ତି ଏବଂ ସମୃଦ୍ଧି ବଜାୟ ରଖିବାରେ ସାହାଯ୍ୟ କରେ ।
କ’ଣ କୁହେ ବାସ୍ତୁଶାସ୍ତ୍ର ?
ବାସ୍ତୁ ନୀତି ଅନୁସାରେ ଯଦି ଘରର ମୁଖ୍ୟଦ୍ଵାର ଉତ୍ତର , ଉତ୍ତର-ପୂର୍ବ ବା ପୂର୍ବ ଦିଗରେ ଅଛି ତେବେ ଏହି ଉପାୟ ସବୁଠୁ ଅଧିକ ଫାଇଦା ଦେଇଥାଏ | ସେଭଳି ଦକ୍ଷିଣ ,ଦକ୍ଷିଣ-ପୂର୍ବ ବା ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ଦ୍ୱାର ଠାରେ ଜଳ କମ ଛିଞ୍ଚନ୍ତୁ କାରଣ ଅଗ୍ନିକୋଣରେ ଅତ୍ୟଧିକ ପାଣି ଜମା ହେବା ଦ୍ଵାରା ଅସ୍ଥିରତା କିମ୍ବା ଆର୍ଥିକ କ୍ଷତି ହୋଇପାରେ। ତେବେ ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ଘରକୁ ସୁଖ ଓ ସମୃଦ୍ଧି ଆସିଥାଏ |
ସୌଜନ୍ୟ Prameya News7




