Silent Tuberculosis: ବିନା ଲକ୍ଷଣରେ ବୃଦ୍ଧି ପାଉଛି ଯକ୍ଷ୍ମା: ପ୍ରତି ୩ ଜଣଙ୍କ ମଧ୍ୟରୁ ଜଣେ ସଂକ୍ରମିତ
ସାଇଲେଣ୍ଟ ଟ୍ୟୁବରକୁଲୋସିସ: ଦେଶର ଉତ୍ତର-ପୂର୍ବରେ କୌଣସି ଲକ୍ଷଣ ନଥାଇ ବୃଦ୍ଧି ପାଉଛି ଯନ୍ତ୍ରଣାଦାୟକ ରୋଗ । ପ୍ରତି ୩ ଜଣ ମଧ୍ୟରୁ ଜଣେ ଏହାର ସଂକ୍ରମଣ। ସ୍କ୍ରିନିଂ ଅଭିଯାନ ବଢ଼ାଇଛି ଚିନ୍ତା।

ନୂଆଦିଲ୍ଲୀ: ଦେଶର ଉତ୍ତର-ପୂର୍ବ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି। ପୂର୍ବୋତ୍ତରରେ ଯକ୍ଷ୍ମାକୁ ନେଇ କରାଯାଇଥିବା ଏକ ବଡ଼ ସ୍କ୍ରିନିଂ ଅଭିଯାନ ଚିନ୍ତା ବଢ଼ାଇଛି। ଏହି ଅଭିଯାନ ରିପୋର୍ଟରୁ ଜଣାପଡ଼ିଛି ଯେ ଯକ୍ଷ୍ମା ସଂକ୍ରମିତ ଲୋକମାନଙ୍କ ମଧ୍ୟରୁ ବହୁତ ସଂଖ୍ୟକ ଏମିତି ରୋଗୀ ଥିଲେ, ଯାହାଙ୍କ ମଧ୍ୟରେ ରୋଗର କୌଣସି ସ୍ପଷ୍ଟ ଲକ୍ଷଣ ଦେଖାଯାଉ ନଥିଲା। ଅର୍ଥାତ୍, ଏହି ଲୋକମାନେ ସାଧାରଣ ଭାବରେ ନିଜ ଦୈନିକ ଜୀବନରେ ବ୍ୟସ୍ତ ଥିଲେ ଏବଂ ତାଙ୍କୁ ନିଜେ ମଧ୍ୟ ଏହି ସଂକ୍ରମଣ ବିଷୟରେ କୌଣସି ଧାରଣା ନଥିଲା।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ୨୦୨୫-୨୬ ଅନୁସାରେ, ନ୍ୟାସନାଲ ଟ୍ୟୁବରକ୍ୟୁଲୋସିସ ଏଲିମିନେସନ ପ୍ରୋଗ୍ରାମ ଅଧୀନରେ ଜାନୁଆରିରୁ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ଦୁର୍ବଳ ଏବଂ ବିପଦଜନକ ଥିବା ବର୍ଗର ଲୋକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ସମୟରେ ମୋଟ ୪୧,୭୨୭ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା, ଯାହାମଧ୍ୟରୁ ୧୪,୩୫୬ ଜଣ ରୋଗୀ ଏମିତି ଥିଲେ ଯେଉଁମାନଙ୍କର କୌଣସି ଲକ୍ଷଣ ନଥିଲା। ଏହି ସଂଖ୍ୟା ମୋଟ ମାମଲାର ପ୍ରାୟ ୩୪ ପ୍ରତିଶତ ଅଟେ।
ଏହି ଅଭିଯାନ ଅଧୀନରେ ପୂର୍ବୋତ୍ତରର ଆଠଟି ରାଜ୍ୟରେ ପ୍ରାୟ ୩୯ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯାଇଥିଲା। ଏହାମଧ୍ୟରୁ ପ୍ରାୟ ୬ ଲକ୍ଷ ଲୋକଙ୍କର ଛାତିର ଏକ୍ସ-ରେ ମଧ୍ୟ କରାଯାଇଥିଲା। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତାନୁସାରେ ସକ୍ରିୟ ଯାଞ୍ଚ ଅଭିଯାନ ଦ୍ୱାରା ଏମିତି ରୋଗୀମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇଛି, ଯେଉଁମାନେ ସାଧାରଣ ପରିସ୍ଥିତିରେ ହସ୍ପିଟାଲକୁ ଆସୁନାହାନ୍ତି।
ଆସାମରେ ସବୁଠୁ ଅଧିକ ୧୦,୩୬୨ ଏସିମ୍ପଟୋମାଟିକ ଟିବି ରୋଗୀ ମିଳିଛନ୍ତି। ଏହାପରେ ମେଘାଳୟରେ ୧୦୫୫, ନାଗାଲ୍ୟାଣ୍ଡରେ ୮୫୭ ଏବଂ ତ୍ରିପୁରାରେ ୫୧୦ ମାମଲା ଦେଖାଯାଇଛି। ଅରୁଣାଚଳ ପ୍ରଦେଶରେ ୪୭୯, ମଣିପୁରରେ ୪୬୫, ସିକ୍କିମରେ ୩୮୦ ଏବଂ ମିଜୋରାମରେ ୨୪୮ ଏମିତି ରୋଗୀ ମିଳିଛନ୍ତି, ଯେଉଁମାନଙ୍କଠାରେ ଯକ୍ଷ୍ମାର ସାଧାରଣ ଲକ୍ଷଣ ଦେଖାଯାଇ ନଥିଲା।ବିଶେଷଜ୍ଞମାନଙ୍କ ମତାନୁସାରେ ଏମିତି ରୋଗୀମାନେ ଯକ୍ଷ୍ମା ନିୟନ୍ତ୍ରଣ ଅଭିଯାନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରୁପେ ସାବସ୍ତ୍ୟ ହୁଅନ୍ତି। କାରଣ ଏମାନଙ୍କରେ ରୋଗର କୌଣସି ଲକ୍ଷଣ ନଥିବାରୁ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିକିତ୍ସା ବିନା ରହିପାରନ୍ତି। ଏଥିରୁ ସଂକ୍ରମଣ ଆଶଙ୍କା ବଢିଯାଏ।
ଏହି କାରଣରୁ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ କେବଳ ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କ ଉପରେ ନିର୍ଭର ନ କରି, ଘରେ ଘରେ ଏବଂ ସମୁଦାୟ ସ୍ତରରେ ଯାଞ୍ଚ ଅଭିଯାନ ଆରମ୍ଭ କରିଛି।
ଲକ୍ଷଣ ବିନା ବୃଦ୍ଧି ପାଉଛି ଯକ୍ଷ୍ମା
ଯକ୍ଷ୍ମା ଶୀଘ୍ର ଚିହ୍ନଟ ପାଇଁ କିଛି ରାଜ୍ୟଗୁଡିକ ଆଧୁନିକ ପ୍ରଯୁକ୍ତିର ବିଦ୍ୟାର ସହାୟତା ନେବା ଆରମ୍ଭ କରିଛନ୍ତି। ମେଘାଳୟରେ “କଫ୍ ଏଗେନ୍ସ୍ଟ ଟିବି” ଆପ୍ ଏବଂ ଏଆଇ ଆଧାରିତ ପୋର୍ଟେବଲ୍ ଏକ୍ସ-ରେ ୟୁନିଟ୍ ବ୍ୟବହାର କରାଯାଉଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ପୂର୍ବୋତ୍ତର ଅଞ୍ଚଳରେ ୧୦.୭ଲକ୍ଷରୁ ଅଧିକ ସମ୍ଭାବ୍ୟ ଯକ୍ଷ୍ମା ରୋଗୀଙ୍କ ଯାଞ୍ଚ କରାଯାଇଛି। ଏହି ସମୟରେ ସମ୍ଭାବ୍ୟ ଟିବି ଯାଞ୍ଚ ହାରରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଦେଖାଯାଇଛି। ୨୦୨୪ ମସିହାରେ ଏହି ହାର ପ୍ରତି ଲକ୍ଷ ଜନସଂଖ୍ୟାରେ ୨୦୬୨ ଥିଲା, ଯାହା ୨୦୨୫ରେ ବଢ଼ି ୨,୬୪୫ ହୋଇଛି।
ସୌଜନ୍ୟ ସମ୍ବାଦ




