Chief Minister: ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ: ଏଡିଜି ଦୟାଲ ଗଙ୍ଗୱାର୍ ନିଲମ୍ବିତ
ବାଲିଅନ୍ତାରେ ଜିଆର୍ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପୁଲିସ ଉପସ୍ଥିତିରେ ପିଟିପିଟି ହତ୍ୟା ମାମଲାରେ ବିବାଦୀୟ ହୋଇ ପଡ଼ିଥିବା ୧୯୯୮ ବ୍ୟାଚ୍ର ଆଇପିଏସ୍ ଅଫିସର ଏଡିଜି ଦୟାଲ୍ ଗଙ୍ଗୱାର୍ଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଲମ୍ବନ କରିଛନ୍ତି।

ଭୁବନେଶ୍ବର: ବାଲିଅନ୍ତାରେ ଜିଆର୍ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପୁଲିସ ଉପସ୍ଥିତିରେ ପିଟିପିଟି ହତ୍ୟା ମାମଲାରେ ବିବାଦୀୟ ହୋଇ ପଡ଼ିଥିବା ୧୯୯୮ ବ୍ୟାଚ୍ର ଆଇପିଏସ୍ ଅଫିସର ଏଡିଜି ଦୟାଲ୍ ଗଙ୍ଗୱାର୍ଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଲମ୍ବନ କରିଛନ୍ତି। ଗଙ୍ଗୱାର୍ ନିଜ ପଦବିର ଅପବ୍ୟବହାର କରି ସୌମ୍ୟଙ୍କୁ ନିଜ ବ୍ୟକ୍ତିଗତ କାମରେ ନିୟୋଜିତ କରିବା, ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଓ ନିଜସ୍ବ ଜିମ୍ରେ ଖଟାଇବା ଅଭିଯୋଗ ହୋଇଥିଲା। ଏ ନେଇ ସୌମ୍ୟଙ୍କ ବାପାମାଆ ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ। ଗଙ୍ଗୱାର୍ଙ୍କ ଆକ୍ରୋଶ ଯୋଗୁଁ ତାଙ୍କ ପୁଅ ସୌମ୍ୟ ମାନସିକ ଦୁଶ୍ଚିନ୍ତାରେ ରହିବା ସହ କାମକୁ କିଛି ଦିନ ଯାଇ ନଥିଲା। ଏଣୁ ତା’ର ଦରମା ମଧ୍ୟ ବନ୍ଦ କରିଦିଆଯାଇଥିଲା। ଏଥି ପାଇଁ ସେମାନେ ଗଙ୍ଗୱାର୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ନଚେତ ସେମାନେ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ବୋଲି ଚେତାବନୀ ଦେଇଥିଲେ।
ଦୟାଲଙ୍କ ସଂପୃକ୍ତିର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା
ଏହାକୁ ପୁଲିସ ଡିଜି ୱାଇବି ଖୁରାନିଆ ଗୁରୁତ୍ବର ସହ ନେଇ ବରିଷ୍ଠ ଆଇପିଏସ୍ ରେଳବାଇ ଓ ସୀମାସୁରକ୍ଷା ଏଡିଜି ଅରୁଣ ବୋଥ୍ରାଙ୍କୁ ଗଙ୍ଗୱାର୍ଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଦାୟିତ୍ବ ଦେଇଥିଲେ। ଶ୍ରୀ ବୋଥ୍ରା ତାଙ୍କ ତଦନ୍ତ ରିପୋର୍ଟ ଡିଜିଙ୍କୁ ଦେବା ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ପଠା ଯାଇଥିଲା। ଗଙ୍ଗୱାର୍ଙ୍କ ବିରୋଧରେ ଅଭିଯୋଗର ଯଥେଷ୍ଟ ପ୍ରମାଣ ଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ, ଗଙ୍ଗୱାର୍ଙ୍କ ସଂପୃକ୍ତି ଅଭିଯୋଗ ଉଠିବା ପରେ ତାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟର ଓଏସ୍ଡି ଭାବେ ବଦଳି କରାଯାଇଥିଲା।
ଉଲ୍ଲେଖଥାଉକି, ସୌମ୍ୟ ହତ୍ୟା ମାମଲାର ତଦନ୍ତ ଭାର ରାଜ୍ୟ ସରକାର କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ଅନ୍ୟପକ୍ଷରେ ସୌମ୍ୟଙ୍କୁ ପୁଲିସ ସାମନାରେ ପିଟିପିଟି ହତ୍ୟା କରିବା ଘଟଣାରେ ସାମାଜିକ କର୍ମୀ ଭଜମନ ବିଶ୍ବାଳ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ। ରାଜ୍ୟ ପୁଲିସ ଡିଜି ଓ ମୁଖ୍ୟ ସଚିବଙ୍କୁ ଏନ୍ଏଚ୍ଆର୍ସି ରିପୋର୍ଟ ମାଗିବା ସହ ନିଜଆଡୁ ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍ ପଠାଇଥିଲେ। ଦୁଇଜଣିଆ ଏନ୍ଏଚ୍ଆର୍ସି ତଦନ୍ତକାରୀ ଟିମ୍ ଓଡ଼ିଶା ଆସି ଘଟଣାସ୍ଥଳରେ ତଦନ୍ତ କରିବା ସହ ବାଲିଅନ୍ତାର ପ୍ରତ୍ୟକ୍ଷଦର୍ଶୀ ଜନତା, ସୌମ୍ୟଙ୍କ ବନ୍ଧୁ, ବାନ୍ଧବୀ, ପରିବାର ଲୋକ, ପୁଲିସ, ଜିଆର୍ପି ଅଧିକାରୀଙ୍କ ବୟାନ ରେକର୍ଡ କରିଥିଲେ। ଦିଲ୍ଲୀ ଫେରିବା ଦିନ ତଦନ୍ତର ଚତୁର୍ଥ ଦିନରେ ଏନ୍ଏଚ୍ଆର୍ସି ତଦନ୍ତକାରୀ ଟିମ୍ ଏଡିଜି ଗଙ୍ଗୱାର୍ଙ୍କୁ ମଧ୍ୟ ଜେରା କରିଥିଲେ।
ସୌଜନ୍ୟ ସମ୍ବାଦ




