
ପୁରୀ: ରଥ ନିର୍ମାଣ କାର୍ଯ୍ୟ ୫୯ ଦିନରେ ପହଞ୍ଚିଛି। ଗତକାଲି ସକାଳ ବେଳା ହୋଇଥିବା ବିଶୃଙ୍ଖଳା ସମାଧାନ ହେବା ପରେ ଆଜି ସକାଳ ୮ଟାରୁ ଶୃଙ୍ଖଳିତ ଢଙ୍ଗରେ ରଥ ନିର୍ମାଣ ଆରମ୍ଭ ହୋଇଛି। ସେବକମାନେ ରଥଖଳାରେ ପହଞ୍ଚି ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଆଜି ଗୋଟିଏ ଦିନରେ ତିନି ରଥରେ ୧୨ଟି କଣି ଫାଉଡ଼ା ତିଆରି ହୋଇଛି। ଏହା ରଥର ଚାରି କୋଣରେ ଲାଗିବ। ଏହା ଲାଗିବା ପରେ ସାଇଜରେ ବାଉଁଶ ବାଡ଼ିଆ ହୋଇଥାଏ।
ଗତକାଲି ୨୦ ଫୁଟିଆ ଦୁଇଟି ଲେଖାଏଁ ଘୋଡ଼ା ଇଷର ଚଉପଟ କାର୍ଯ୍ୟ ଶେଷ ହୋଇଥିବା ବେଳେ ଇଷ ଜୁଆଳି କାମ ଆଜି ଶେଷ ହୋଇଛି। ସେହିଭଳି ଦ୍ୱିତୀୟ ଭୂଇଁ ବା ମଝି ଭୂଇଁ ଉଭୟ ପାର୍ଶ୍ୱରେ ଆଗ ଆଣି ପଛ ଆଣି ଅନ୍ଧାରୀ ତାଗ ବାଡ଼ିଆ ଶେଷ ହୋଇଥିବାବେଳେ ଉପରି ଅନ୍ଧାରି ତାଗ କାମ ସରିଛି। କନକ ମୁଣ୍ଡି, ଅଁଳା ପିଣ୍ଡି ଓ ଛୋଟ କଳସ ପିଣ୍ଡି ନିର୍ମାଣ ଶେଷ ହୋଇଛି। ୪ଟି ଲେଖାଏଁ ଧ୍ୱଜ ବତାରୁ ଦୁଇଟି ଲେଖାଏଁ ଧ୍ୱଜ ବତାର ଚଉପଟ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି। ରୂପକାର ସେବକମାନେ ୪ ଟି ଲେଖାଏଁ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ କାମ ଜାରି ରଖଛନ୍ତି।
ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ଦୁଆର ବେଢ଼ା ପାଇଁ କଣ୍ଟା ନିର୍ମାଣ ସହ ରଥ ଉପର ପଟା ବାଡ଼ିଆ ପାଇଁ କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି। ପାହି ମହାରଣାମାନେ ବିଜେ ଡୋରି ବୋଳିବା ପାଇଁ ହାତୀକିଆ, ଦୁଇ ହାତିଆ ଓ ତିନି ହାତିଆ ପାଟ ବୋଳା କିଳା ୨୦ ଖଣ୍ଡ ଶେଷ କରିଛନ୍ତି। ଘଣା ଲାଗି ପାଇଁ ୭ ଫୁଟର ଲମ୍ବା କାଠ କିଳା ନିର୍ମାଣ କରିଛନ୍ତି। ସେପଟେ ରଥଯାତ୍ରାରେ ଠାକୁରଙ୍କ ସେବା ପୂଜା ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରି ରହିଛି। ଚିତ୍ରକାରମାନେ ତିନିରଥର ପାର୍ଶ୍ୱ ଦେବାଦେବୀମାନଙ୍କ ଚିତ୍ର ପ୍ରତିମାରେ ରଙ୍ଗ କାର୍ଯ୍ୟ ସହ ଠାକୁରଙ୍କ ଆସ୍ଥାନ, ଶିଖର ଡମ୍ବରୁ, ଅଁଳା, ଓଲଟ ଶୁଆ ଓ ନାଟ ଗୋଡ଼ରେ ରଙ୍ଗ କାର୍ଯ୍ୟ ସହ ବାହ୍ୟ ଅଂଶଗୁଡ଼ିକର ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।
ସୌଜନ୍ୟ ସମ୍ବାଦ




