
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅଞ୍ଚଳରେ କଲରାପତରିଆ ବାଘ ଚମଡ଼ା ଚୋରାଚାଲାଣ ଏବଂ ସଂରକ୍ଷିତ ବନ୍ୟଜନ୍ତୁ ଶିକାର ସହ ଜଡିତ ଏକ ସଙ୍ଗଠିତ ଅପରାଧିକ ନେଟୱାର୍କର ସୂତ୍ର ମିଳିବା ପରେ ଏହାର ତଦନ୍ତକୁ କ୍ରାଇମବ୍ରାଞ୍ଚର ବିଶେଷ ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’କୁ ହସ୍ତାନ୍ତର କରିବା ପାଇଁ ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍ ସୁପାରିସ କରିଛନ୍ତି। ଏନେଇ ସେ ସିଆଇଡି-କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଏକ ବିସ୍ତୃତ ପତ୍ର ପ୍ରେରଣ କରିଥିବା ଜଣାପଡ଼ିଛି।
ପୁଲିସ ସୂଚନା ଅନୁଯାୟୀ, ଜରଡ଼ା ଥାନା ମାମଲା ନମ୍ବର ୧୮୬/୨୦୨୬ରେ ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨, ଅସ୍ତ୍ର ଆଇନ ଓ ବିସ୍ଫୋରକ ପଦାର୍ଥ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଗତ ୬ ଜୁନରେ ତୁମ୍ବା ଫାଣ୍ଡି ଅନ୍ତର୍ଗତ ବୁରାତାଲ ଜଙ୍ଗଲରେ କଲରାପତରିଆ ବାଘ ଚମଡ଼ା କାରବାର ହେଉଥିବା ଗୁପ୍ତ ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା। ଅଭିଯାନ ସମୟରେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦୁଇଟି ବସ୍ତା ସହ ଜଙ୍ଗଲ ଅଞ୍ଚଳରୁ କାବୁ କରାଯାଇଥିଲା।
ତଦନ୍ତ ଓ ପଚରାଉଚରା ବେଳେ ଅଭିଯୁକ୍ତମାନେ ଗଜପତି ଜିଲ୍ଲାର ରାମଗିରି ଅଞ୍ଚଳର କେଶବ ଜାମାଦାର ଏବଂ ଗଞ୍ଜାମ ଜିଲ୍ଲା ଜରଡ଼ା ଅଞ୍ଚଳର ବିରା ଜାମାଦାର ବୋଲି ଚିହ୍ନଟ ହୋଇଥିଲେ। ପୁଲିସ ଦାବି ଅନୁସାରେ, ଦୁହେଁ ଏକ ସଙ୍ଗଠିତ ବନ୍ୟଜନ୍ତୁ ଚୋରାକାରବାର ଚକ୍ର ସହ ଜଡିତ ଥିବା ସ୍ୱୀକାର କରିଥିଲେ। ସେମାନେ ଫାଶ, ଧାରୁଆ ଅସ୍ତ୍ର ଓ ବିସ୍ଫୋରକ ବ୍ୟବହାର କରି କଲରାପତରିଆ ବାଘ ଶିକାର କରୁଥିବା ଏବଂ ସମ୍ପ୍ରତି ଦୁଇଟି କଲରାପତରିଆ ବାଘକୁ ହତ୍ୟା କରି ସେମାନଙ୍କ ଚମଡ଼ା ସଂଗ୍ରହ କରିଥିବା ତଥ୍ୟ ସାମ୍ନାକୁ ଆସିଛି। ଉଚ୍ଚ ଦରରେ ବିକ୍ରି ଉଦ୍ଦେଶ୍ୟରେ ଏହି ଚମଡ଼ାଗୁଡ଼ିକୁ କାରବାର ପାଇଁ ଆଣାଯାଇଥିବା ମଧ୍ୟ ଜଣାପଡ଼ିଛି।
ଦୁଇଟି କଲରାପତରିଆ ବାଘର ଚମଡ଼ା, ଦୁଇଟି ଜୀବନ୍ତ ହାତବୋମା ଓ ଗୋଟିଏ ଖଣ୍ଡା ଜବତ
ଅଭିଯୁକ୍ତଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘର ଚମଡ଼ା, ଦୁଇଟି ଜୀବନ୍ତ ହାତବୋମା ଓ ଗୋଟିଏ ଖଣ୍ଡା ଜବତ କରାଯାଇଛି। ଜବତ ସାମଗ୍ରୀ ସମ୍ପର୍କରେ ସେମାନେ କୌଣସି ବୈଧ ଅନୁମତିପତ୍ର କିମ୍ବା ଲାଇସେନ୍ସ ଦେଖାଇପାରି ନଥିଲେ।
ଏସ୍ପିଙ୍କ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ର ଧାରା ୫୫ ଅନୁଯାୟୀ ଏପରି ମାମଲାରେ ସ୍ଥାନୀୟ ପୁଲିସ ସିଧାସଳଖ ପ୍ରସିକ୍ୟୁସନ୍ ପେପର ଦାଖଲ କରିବାକୁ ସ୍ପଷ୍ଟ ଭାବେ କ୍ଷମତାପ୍ରାପ୍ତ ନୁହେଁ। ଫଳରେ ମାମଲାର ଆଇନଗତ ପରିଚାଳନା, ଚାର୍ଜସିଟ୍ ଦାଖଲ ଓ ବିଚାର ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଶେଷଜ୍ଞ ତଦନ୍ତ ସଂସ୍ଥାର ହସ୍ତକ୍ଷେପ ଆବଶ୍ୟକ ବୋଲି ଦର୍ଶାଯାଇଛି।
ସେହିପରି କଲରାପତରିଆ ବାଘ ଭଳି ସଂରକ୍ଷିତ ବନ୍ୟଜନ୍ତୁର ଅବୈଧ ବ୍ୟବସାୟ, ବିସ୍ଫୋରକ ଓ ଅସ୍ତ୍ରର ବ୍ୟବହାର ଏବଂ ସମ୍ଭାବ୍ୟ ଅନ୍ତର୍ଜିଲ୍ଲା ଚୋରାଚାଲାଣ ନେଟୱାର୍କର ଲିଙ୍କ୍କୁ ଦୃଷ୍ଟିରେ ରଖି ମାମଲାକୁ କ୍ରାଇମବ୍ରାଞ୍ଚର ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’କୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରାଯାଇଛି।
ବନ୍ୟଜନ୍ତୁ ଚୋରାଚାଲାଣ ଓ ଶିକାର ପଛରେ ଏକ ବୃହତ୍ ରାକେଟ୍ କାର୍ଯ୍ୟ କରୁଥିବା ସନ୍ଦେହ ଘନୀଭୂତ ହେଉଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଯଦି ତଦନ୍ତ ଦାୟିତ୍ୱ ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’ ହାତକୁ ଯାଏ, ତେବେ ଏହି ଚୋରାଚାଲାଣ ନେଟୱାର୍କର ଅନ୍ୟ ସଦସ୍ୟ, କ୍ରେତା, ମଧ୍ୟସ୍ଥ ଏବଂ ଆର୍ଥିକ କାରବାରର ଗୁପ୍ତ ଲିଙ୍କ୍ଗୁଡ଼ିକ ଉପରୁ ମଧ୍ୟ ପରଦା ଉଠିପାରେ। ବନ୍ୟଜନ୍ତୁ ଅପରାଧ ବିରୋଧୀ ଅଭିଯାନରେ ଏହି ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିପାରେ ବୋଲି ବନ ବିଭାଗ ଓ ତଦନ୍ତକାରୀ ସଂସ୍ଥାମାନେ ଆଶା ରଖିଛନ୍ତି।
ସୌଜନ୍ୟ ସମ୍ବାଦ




