ସ୍ତ୍ରୀକୁ ବୁଝାଇବାକୁ ଶ୍ବଶୁର ଘରକୁ ଯାଇଥିଲେ ବ୍ୟକ୍ତି, ନିଆଁ ଲଗାଇଦେଲା ଶାଳକ; ସାମ୍ନାକୁ ଆସିଲା Video
Punjab Man Visiting In-Laws To Reconcile With Wife: ଲଭପ୍ରୀତଙ୍କ ଦେହରେ ନିଆଁ ଲାଗିଯିବା ଦେଖି ସାଜନ ସିଂହଙ୍କ ଶାଳୀ ଗୁରଜିତ କୌର ତାଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଗୁରଜିତ ମଧ୍ୟ ସେହି ନିଆଁର ସଂସ୍ପର୍ଶରେ ଆସି ପୋଡ଼ି ଯାଇଥିଲେ।

ନୂଆଦିଲ୍ଲୀ: ପଞ୍ଜାବର ତରନତାରନ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ବୁଝାଇ ଘରକୁ ଫେରାଇ ଆଣିବାକୁ ଶ୍ୱଶୁର ଘରକୁ ଯାଇଥିବା ସମୟରେ ତାଙ୍କ ଶାଳକ ବ୍ୟକ୍ତିଙ୍କ ଦେହରେ ନିଆଁ ଲଗାଇ ଦେଇଛି । ଏହି ଘଟଣାରେ ବ୍ୟକ୍ତିଙ୍କ ସହ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଅନ୍ୟ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ଲଭପ୍ରୀତ ସିଂହ ଏବଂ ଗୁରଜିତ କୌର।
ରିପୋର୍ଟ ଅନୁସାରେ, ପତ୍ନୀ ସନ୍ଦୀପ କୌରଙ୍କ ସହ କୌଣସି କାରଣରୁ ଲଭପ୍ରୀତ ସିଂହଙ୍କ ମନୋମାଳିନ୍ୟ ହୋଇଥିଲା, ଏହା ପରେ ସନ୍ଦୀପ ନିଜ ବାପଘରକୁ ଚାଲିଯାଇଥିଲେ। ଗତ ଜୁନ୍ ୧୩ ତାରିଖରେ ଲଭପ୍ରୀତ ନିଜ ପତ୍ନୀଙ୍କୁ ବୁଝାଇ-ସୁଝାଇ ପୁଣି ଘରକୁ ଫେରାଇ ଆଣିବା ପାଇଁ ଶ୍ୱଶୁର ଘରକୁ ଯାଇଥିଲେ। କିନ୍ତୁ ସେଠାରେ କଥାବାର୍ତ୍ତା ସମୟରେ ପରିସ୍ଥିତି ବିଗିଡ଼ି ଯାଇଥିଲା। ଲଭପ୍ରୀତଙ୍କ ଶାଳକ ସାଜନ ସିଂହ ହଠାତ୍ ତାଙ୍କ ଉପରକୁ ଏକ ଜ୍ୱଳନଶୀଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିଲା।
ଲଭପ୍ରୀତଙ୍କ ଦେହରେ ନିଆଁ ଲାଗିଯିବା ଦେଖି ସାଜନ ସିଂହଙ୍କ ଶାଳୀ ଗୁରଜିତ କୌର ତାଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଗୁରଜିତ ମଧ୍ୟ ସେହି ନିଆଁର ସଂସ୍ପର୍ଶରେ ଆସି ପୋଡ଼ି ଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅଭିଯୁକ୍ତ ସାଜନ ସିଂହ ମଧ୍ୟ ସାମାନ୍ୟ ପୋଡ଼ି ଯାଇଥିବା ବେଳେ ଚିକିତ୍ସିତ ହେଉଛି।
ସିସିଟିଭି (CCTV) ରେ କଏଦ ହେଲା ଦୃଶ୍ୟ
ଏହି ସମ୍ପୂର୍ଣ୍ଣ ଜଘନ୍ୟ କାଣ୍ଡର ସିସିଟିଭି ଫୁଟେଜ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ହଠାତ୍ ଅନ୍ୟ ଜଣଙ୍କ ଦେହରେ ନିଆଁ ଲଗାଇ ଦେଉଛନ୍ତି ଏବଂ ପୀଡ଼ିତ ଜଣକ ନିଆଁ ଲିଭାଇବା ପାଇଁ ଏପଟ ସେପଟ ଦୌଡୁଛନ୍ତି। ସେହି ସମୟରେ ତାଙ୍କୁ ବଞ୍ଚାଇବାକୁ ଯାଇ ଗୁରଜିତ କୌର ମଧ୍ୟ ନିଆଁରେ ପୋଡ଼ି ହୋଇଯାଉଛନ୍ତି । କିଛି ସେକେଣ୍ଡ ମଧ୍ୟରେ ନିଆଁ ବହୁତ ଦ୍ରୁତ ଗତିରେ ବ୍ୟାପିଯାଉଛି ଏବଂ ଉଭୟ ଲଭପ୍ରୀତ ଓ ଗୁରଜିତ ନିଆଁରେ ଜଳୁଥିବା ଅବସ୍ଥାରେ ଭୟଭୀତ ହୋଇ ଦୌଡୁଥିବା ଦେଖାଯାଉଛି। ଏହାକୁ ନେଇ ସ୍ଥାନୀୟ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସାଜନ ସିଂହ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ସୌଜନ୍ୟ Prameya News7




