ଜୀବନଚର୍ଯ୍ୟା

ସ୍ମାର୍ଟଫୋନରୁ ବି ହୋଇପାରେ କ୍ୟାନସର? ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ବର୍ତ୍ତମାନ ଯୁଗରେ ସ୍ମାର୍ଟଫୋନ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦୀୟ ଅଂଶ ପାଲଟିଯାଇଛି। ଯୋଗାଯୋଗ ଠାରୁ ଆରମ୍ଭ କରି ସୂଚନା ହାସଲ କରିବା ଓ ମନୋରଞ୍ଜନ ପର୍ଯ୍ୟନ୍ତ, ସବୁ କାମ ପାଇଁ ଆମର ସ୍ମାର୍ଟଫୋନ ଦରକାର ପଡ଼େ। ତେବେ ଦୀର୍ଘ ସମୟ ଧରି ମୋବାଇଲ ଫୋନ ବ୍ୟବହାର ଦ୍ୱାରା ଭୟଙ୍କ ରୋଗ ହୁଏ ବୋଲି କୁହାଯାଉଛି।

ଭୁବନେଶ୍ୱର: ବର୍ତ୍ତମାନ ଯୁଗରେ ସ୍ମାର୍ଟଫୋନ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦୀୟ ଅଂଶ ପାଲଟିଯାଇଛି। ଯୋଗାଯୋଗ ଠାରୁ ଆରମ୍ଭ କରି ସୂଚନା ହାସଲ କରିବା ଓ ମନୋରଞ୍ଜନ ପର୍ଯ୍ୟନ୍ତ, ସବୁ କାମ ପାଇଁ ଆମର ସ୍ମାର୍ଟଫୋନ ଦରକାର ପଡ଼େ। ତେବେ ଦୀର୍ଘ ସମୟ ଧରି ମୋବାଇଲ ଫୋନ ବ୍ୟବହାର ଦ୍ୱାରା ଭୟଙ୍କ ରୋଗ ହୁଏ ବୋଲି କୁହାଯାଉଛି। ସ୍ମାର୍ଟଫୋନରୁ ନିର୍ଗତ ହେଉଥିବା ରେଡିଓଫ୍ରିକ୍ୱେନ୍ସି (RF) ବିକିରଣ DNAକୁ କ୍ଷତି ପହଞ୍ଚାଇ କ୍ୟାନସରର କାରଣ ହୋଇପାରେ ବୋଲି ଅନେକ ଦାବି କରୁଛନ୍ତି। ବିଭିନ୍ନ ମିଡିଆରେ ବି ଏନେଇ ଅନେକ ରିପୋର୍ଟ ପ୍ରକାଶ ପାଇଛି। ତେବେ ପ୍ରକୃତ କଥା କ’ଣ ଆସନ୍ତୁ ଜାଣିବା।

ରିପୋର୍ଟରେ କ’ଣ କୁହାଯାଇଛି?

କିଛି ରିପୋର୍ଟ ଅନୁଯାୟୀ, ସେଲ୍ ଫୋନରୁ ରେଡିଓଫ୍ରିକ୍ୱେନ୍ସି ରେଡିଏସନ୍ ବା ସେଲ୍ ସିଗନାଲ୍ ନିର୍ଗତ ହୁଏ, ଯାହା ମଣିଷର ମୁଣ୍ଡ, ବେକ, ମସ୍ତିଷ୍କ ଓ ଶରୀରର ଅନ୍ୟ ଅଂଶ ନିକଟରେ ପହଞ୍ଚିଥାଏ। ତେବେ ଏହି ବିକିରଣ ନନ୍-ଆୟୋନାଇଜିଂ ରେଡିଓଫ୍ରିକ୍ୱେନ୍ସି ଛାଡ଼ିଥାଏ। ଏହା ସିଧାସଳଖ ଡିଏନକୁ କ୍ଷତି ପହଞ୍ଚାଏ ନାହିଁ। ଡିଏନର କ୍ଷତି କ୍ୟାନସରର କାରଣ ହୋଇପାରେ ସତ, କିନ୍ତୁ ମୋବାଇଲ ଫୋନରୁ ବାହାରୁଥିବା ରେଡିଓଫ୍ରିକ୍ୱେନ୍ସି ବିକିରଣ ଏଭଳି କ୍ଷତି କରେ ବୋଲି କୌଣସି ବୈଜ୍ଞାନିକ ପ୍ରମାଣ ମିଳିନାହିଁ।

କ୍ୟାନସର ସହ ମୋବାଇଲର ସମ୍ପର୍କ ଅଛି କି?

ଯେହେତୁ ମୋବାଇଲକୁ ଆମେ କାନ ପାଖରେ ଧରି କଥା ହେଉ, ତେଣୁ ଏହା ମସ୍ତିସ୍କ ଉପରେ ପ୍ରଭାବ ପକାଏ ବୋଲି କୁହାଯାଏ। କେହି କେହି ଫୋନ ପାଖରେ ରଖି ଶୋଇଲେ ମଧ୍ୟ କ୍ୟାନ୍ସରର ଆଶଙ୍କା ବଢ଼େ ବୋଲି ଭାବନ୍ତି। କିନ୍ତୁ ସ୍ମାର୍ଟଫୋନ ବ୍ୟବହାର ଦ୍ୱାରା ଯେ କ୍ୟାନସର ଭଳି କୌଣସି ରୋଗ ହୁଏ, ତାର କୌଣସି ପ୍ରମାଣ ଏଯାଏ ମିଳିପାରି ନାହିଁ। ନ୍ୟାସନାଲ କ୍ୟାନ୍ସର ଇନଷ୍ଟିଟ୍ୟୁଟ୍ (NCI) ସମେତ ବିଭିନ୍ନ ସ୍ୱାସ୍ଥ୍ୟ ସଂସ୍ଥାର ଅଧ୍ୟୟନରେ ମୋବାଇଲ ଫୋନ ବ୍ୟବହାର ଦ୍ୱାରା ମସ୍ତିଷ୍କ, ମୁଣ୍ଡ, ବେକ, ସ୍ତନ କିମ୍ବା ଅନ୍ୟ କୌଣସି ପ୍ରକାରର କ୍ୟାନସର ହେବାର ସ୍ପଷ୍ଟ ଲିଙ୍କ ପ୍ରମାଣିତ ହୋଇ ନାହିଁ। ବରଂ ମୋବାଇଲ ବ୍ୟବହାର ବଢ଼ିଥିଲେ ମଧ୍ୟ କ୍ୟାନ୍ସର ମାମଲାରେ ସେହି ଅନୁପାତରେ ବୃଦ୍ଧି ଦେଖାଯାଇ ନାହିଁ।

ପିଲାମାନଙ୍କ ପାଇଁ କେତେ ସୁରକ୍ଷିତ?

କ୍ୟାନସରରେ ପୀଡ଼ିତ ଶିଶୁମାନଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ମଧ୍ୟ ଏପରି କୌଣସି ପ୍ରମାଣ ମିଳି ନାହିଁ ଯେ ମୋବାଇଲ ଫୋନ ବ୍ୟବହାର ଯୋଗୁ ପିଲାମାନଙ୍କ କ୍ୟାନ୍ସର ବଢ଼ୁଛି। ନନ୍-ଆୟୋନାଇଜିଂ ରେଡିଏସନର ପ୍ରଭାବ ପିଲା ଓ ବୟସ୍କଙ୍କ ଉପରେ ପ୍ରାୟ ସମାନ ରହିଥାଏ।

ବ୍ଲୁଟୁଥ୍ ଇୟରବଡ୍ସରୁ କ୍ୟାନସର ହୋଇପାରେ କି?

ବ୍ଲୁଟୁଥ୍ ଇୟରବଡ୍ସ ମଧ୍ୟ ନନ୍-ଆୟୋନାଇଜିଂ ରେଡିଏସନ୍ ବ୍ୟବହାର କରେ। ତେବେ ଏଥିରୁ ବାହାରୁଥିବା ରେଡିଓଫ୍ରିକ୍ୱେନ୍ସିର ମାତ୍ରା ସାଧାରଣ ମୋବାଇଲ ଫୋନ ତୁଳନାରେ ବହୁତ କମ୍। ତେଣୁ ବ୍ଲୁଟୁଥ୍ ଇୟରବଡ୍ସ କ୍ୟାନ୍ସର ସୃଷ୍ଟି କରେ ବୋଲି କୌଣସି ବିଶ୍ୱସନୀୟ ପ୍ରମାଣ ନାହିଁ।

ବିଶେଷଜ୍ଞଙ୍କ ପରାମର୍ଶ

ଯଦିଓ ମୋବାଇଲ ଫୋନ ଓ କ୍ୟାନ୍ସର ମଧ୍ୟରେ ସିଧାସଳଖ ସମ୍ପର୍କର ପ୍ରମାଣ ମିଳିନାହିଁ, ତଥାପି ସାବଧାନତା ଅବଲମ୍ବନ କରିବା ଭଲ। ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ-

ଫୋନରେ କଥା ହେବା ସମୟରେ ସ୍ପିକର ମୋଡ୍ କିମ୍ବା ହେଡଫୋନ ବ୍ୟବହାର କରନ୍ତୁ।
ଅନାବଶ୍ୟକ ସ୍କ୍ରିନ୍ ଟାଇମ୍ କମାନ୍ତୁ।
ମୋବାଇଲ ବ୍ୟବହାରରେ ସନ୍ତୁଳନ ରଖନ୍ତୁ।

ଏସବୁ ସାବଧାନତା ଅବଲମ୍ବନ କଲେ ସ୍କ୍ରିନ ଟାଇମ ଦ୍ୱାରା ଦେଖାଯାଉଥିବା ମାନସିକ ସମସ୍ୟାରୁ ଆପଣ ନିଶ୍ଚି ସୁରକ୍ଷା ପାଇପାରିବେ।

 

 

 

ସୌଜନ୍ୟ Prameya News7

 

Show More

Leave a Reply

Your email address will not be published. Required fields are marked *

Back to top button