ମନୋରଞ୍ଜନ

ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ବଡ଼ ଝଟକା: ଦୋଷୀ ସାବ୍ୟସ୍ତ କଲେ ଦିଲ୍ଲୀ ହାଇକୋର୍ଟ;ଜେଲ ଦଣ୍ଡ ସହ ଲଗାଇଲେ ଫାଇନ

ଚେକ୍ ବାଉନ୍ସ ମାମଲାରେ ବଲିଉଡ କମେଡି ଷ୍ଟାର୍ ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ରାଜପାଲଙ୍କ ବିରୋଧରେ ଲାଗିଥିବା ଏକାଧିକ ଚେକ୍ ବାଉନ୍ସ ମାମଲାରେ ତାଙ୍କ ଦୋଷୀ ସାବ୍ୟସ୍ତକୁ ଶୁକ୍ରବାର କାଏମ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ।

ନୂଆଦିଲ୍ଲୀ: ଚେକ୍ ବାଉନ୍ସ ମାମଲାରେ ବଲିଉଡ କମେଡି ଷ୍ଟାର୍ ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ରାଜପାଲଙ୍କ ବିରୋଧରେ ଲାଗିଥିବା ଏକାଧିକ ଚେକ୍ ବାଉନ୍ସ ମାମଲାରେ ତାଙ୍କ ଦୋଷୀ ସାବ୍ୟସ୍ତକୁ ଶୁକ୍ରବାର କାଏମ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ। ବିବାଦର ସମାଧାନ ପାଇଁ ରାଜପାଲ ବାରମ୍ବାର ପ୍ରତିଶ୍ରୁତି ଦେଇ ମଧ୍ୟ ପାଳନ କରିବାରେ ବିଫଳ ହୋଇଛନ୍ତି ବୋଲି ହାଇକୋର୍ଟ କହିଛନ୍ତି। ତେଣୁ ତାଙ୍କୁ ୭ଟି ଚେକ୍ ବାଉନ୍ସ ମାମଲାରେ ପ୍ରତ୍ୟେକରେ ୩ ମାସ ଲେଖାଏଁ ସାଧାରଣ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ତେବେ ସମସ୍ତ ଦଣ୍ଡ ଏକାସାଙ୍ଗରେ ଚାଲିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ସେସନ୍ସ କୋର୍ଟଙ୍କ ରାୟରେ ପରିବର୍ତ୍ତନ କଲେ ହାଇକୋର୍ଟ

ଲାଇଭ୍ ଲ (LiveLaw) ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ସ୍ୱରଣା କାନ୍ତା ଶର୍ମା ରାଜପାଲ ଯାଦବଙ୍କ ଦୋଷୀ ସାବ୍ୟସ୍ତକୁ ବଜାୟ ରଖିବା ସହ ପୂର୍ବରୁ ସେସନ୍ସ କୋର୍ଟ ଦେଇଥିବା ଦଣ୍ଡରେ ସଂଶୋଧନ କରିଛନ୍ତି। ହାଇକୋର୍ଟ ରାଜପାଲ ଯାଦବଙ୍କୁ ୭ଟି ଚେକ୍ ବାଉନ୍ସ ମାମଲାର ପ୍ରତ୍ୟେକରେ ଅଭିଯୋଗକାରୀଙ୍କୁ ୧.୦୫ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ପ୍ରତ୍ୟେକ ମାମଲାରେ ୧.୦୪ ଲକ୍ଷ ୭୫ ହଜାର ଟଙ୍କା ଅଭିଯୋଗକାରୀଙ୍କୁ ଦେବା ସହ ରାଜ୍ୟ ସରକାରଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପତ୍ନୀ ରାଧା ଯାଦବଙ୍କୁ ମଧ୍ୟ ଜରିମାନା

ଦିଲ୍ଲୀ ହାଇକୋର୍ଟ ରାଜପାଲ ଯାଦବଙ୍କ ପତ୍ନୀ ରାଧା ଯାଦବଙ୍କୁ ମଧ୍ୟ ପ୍ରତ୍ୟେକ ମାମଲାରେ ୫,୫୧,୩୮୦ ଟଙ୍କା ଅଭିଯୋଗକାରୀଙ୍କୁ ପ୍ରଦାନ କରିବାକୁ କହିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାଜପାଲ ଯାଦବ ପୂର୍ବରୁ ଜମା କରିଥିବା ୨.୨୫ କୋଟି ଟଙ୍କା ଅନ୍ତିମ ଦେୟ ରାଶିରୁ ସମନ୍ୱୟ (Adjust) କରାଯିବ।

ରାଜପାଲଙ୍କ ବିରୋଧରେ ହୋଇଥିବା ମାମଲା କ’ଣ ?

ଏହି ମାମଲା ଏମ୍/ଏସ୍ ମୁର୍ଲି ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟସ୍ ଆକ୍ଟର ଧାରା ୧୩୮ ଅନୁସାରେ ଦାଖଲ କରାଯାଇଥିବା ଅଭିଯୋଗରୁ ଆରମ୍ଭ ହୋଇଥିଲା। ରାଜପାଲଙ୍କକ ପକ୍ଷରୁ ଜାରି କରାଯାଇଥିବା ଚେକ୍ଗୁଡ଼ିକ ବାଉନ୍ସ ହୋଇଥିଲା ବୋଲି ଅଭିଯୋଗରେ ଦର୍ଶଯାଇଥିଲା।

କୋର୍ଟ ରେକର୍ଡ ଅନୁଯାୟୀ, ୨୦୧୦ ମସିହାରେ ରାଜପାଲ ଯାଦବ ନିଜେ ନିର୍ଦ୍ଦେଶକ ଭାବେ ପ୍ରଥମ ଫିଲ୍ମ ‘ଅତା ପତା ଲାପତା’ (Ata Pata Laapata) ନିର୍ମାଣ ପାଇଁ ଦିଲ୍ଲୀସ୍ଥିତ ମୁର୍ଲି ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଠାରୁ ୫ କୋଟି ଟଙ୍କା ଋଣ ନେଇଥିଲେ। ଏହି ଫିଲ୍ମ ୨୦୧୨ ମସିହାରେ ମୁକ୍ତିଲାଭ କରିଥିଲା। କିନ୍ତୁ ବକ୍ସ ଅଫିସରେ ବିଫଳ ହେବାରୁ ରାଜପାଲ ଯାଦବ ଋଣ ପରିଶୋଧ କରିପାରିନଥିଲେ। ଏହାପରେ ଆରମ୍ଭ ହୋଇଥିଲା ଦୀର୍ଘ ବର୍ଷ ଧରି ଚାଲିଥିବା ଆଇନଗତ ବିବାଦ।

୨୦୧୮ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ

୨୦୧୮ ମସିହାରେ ଏକ ମାଜିଷ୍ଟ୍ରେଟ୍ କୋର୍ଟ ରାଜପାଲ ଯାଦବ ଏବଂ ତାଙ୍କ ପତ୍ନୀ ରାଧା ଯାଦବଙ୍କୁ ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟସ୍ ଆକ୍ଟର ଧାରା ୧୩୮ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ସେମାନଙ୍କ ଜାରି କରିଥିବା ୭ଟି ଚେକ୍ ବାଉନ୍ସ ହୋଇଥିବାରୁ କୋର୍ଟ ତାଙ୍କୁ ୬ ମାସର ସାଧାରଣ କାରାଦଣ୍ଡ ଦେଇଥିଲେ। ପରେ ସେସନ୍ସ କୋର୍ଟ ମଧ୍ୟ ଏହି ଦୋଷସିଦ୍ଧିକୁ ବଜାୟ ରଖିଥିଲେ। ଏହାପରେ ରାଜପାଲ ଯାଦବ ଏହି ରାୟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୨୦୨୪ ସୁଦ୍ଧା ବକେୟା ରାଶି ବଢ଼ି ୯ କୋଟି ଟଙ୍କାରେ ପହଞ୍ଚିଛି।

ମେ ୨୦୨୪ରେ ସେସନ୍ସ କୋର୍ଟ ରାଜପାଲ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସର କାରାଦଣ୍ଡ ଶୁଣାଇଥିଲେ। ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଓକିଲଙ୍କ ଆଶ୍ୱାସନ ଆଧାରରେ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ଓକିଲ କହିଥିଲେ ଯେ ଉଭୟ ପକ୍ଷ ମଧ୍ୟରେ ବିବାଦର ସମାଧାନ କରାଯିବ। ଏହାପରେ ମାମଲାକୁ ଦିଲ୍ଲୀ ହାଇକୋର୍ଟ ମେଡିଏସନ୍ ସେଣ୍ଟରକୁ ପଠାଯାଇଥିଲା।

କିନ୍ତୁ ହାଇକୋର୍ଟ କହିଛନ୍ତି ଯେ ବାରମ୍ବାର ଆଶ୍ୱାସନ ଓ ଏକାଧିକ ଥର ମାମଲାର ଶୁଣାଣି ସ୍ଥଗିତ କରାଯାଇଥିଲେ ମଧ୍ୟ ରାଜପାଲ ଯାଦବ ସେ ଦେବାକୁ ରାଜି ହୋଇଥିବା ରାଶି ଜମା କରିନଥିଲେ। ଏଥିରେ କିସ୍ତି ଆକାରରେ ୨.୫ କୋଟି ଟଙ୍କା ପ୍ରଦାନ କରିବାର ପ୍ରତିଶ୍ରୁତି ମଧ୍ୟ ସାମିଲ ଥିଲା।

ନିର୍ଦ୍ଦେଶ ମାନିନଥିବାରୁ କରିଥିଲେ ଆତ୍ମସମର୍ପଣ

ଫେବୃଆରୀ ୨୦୨୬ରେ ହାଇକୋର୍ଟ ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହେବା ପରେ ରାଜପାଲ ଯାଦବଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜପାଲ ଆଉ କିଛି ସମୟ ମାଗିଥିଲେ। ହେଲେ କୋର୍ଟ ଅଧିକ ସମୟ ଦେବାକୁ ସେ କରିଥିବା ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ସେ ଫେବୃଆରୀ ୫ ତାରିଖରେ ଆତ୍ମସମର୍ପଣ କରିଥିଲେ ରାଜପାଲ। ପରବର୍ତ୍ତୀ ସମୟରେ ଅଭିଯୋଗକାରୀଙ୍କୁ ୧.୫ କୋଟି ଟଙ୍କା ଜମା କରିବା ପରେ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜେଲ ଦଣ୍ଡାଦେଶ ସ୍ଥଗିତ ରଖିଥିଲେ।

ଶେଷ ଥର କେଉଁ ଫିଲ୍ମରେ ନଜର ଆସିଥିଲେ?

ଚେକ୍ ବାଉନ୍ସ ମାମଲାରେ ରାଜପାଲ ଆଇନଗତ ମାମଲାରେ ଫସିଥିବା ବେଳେ ଶେଷ ଥର ତାଙ୍କୁ ‘ୱେଲକମ୍ ଟୁ ଦ ଜଙ୍ଗଲ୍’ (Welcome To The Jungle) ଏବଂ ‘ଭୂତ ବାଙ୍ଗଲା’ (Bhooth Bangla) ଫିଲ୍ମରେ ଦେଖିବାକୁ ମିଳିଥିଲା।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button