ଜିଲ୍ଲାରାଜ୍ୟ

ଓଡ଼ିଶା ପୋଲିସରେ ହଇଚଇ ! ଡିସିପି ମୀନାଙ୍କ ପରେ ଏବେ ଟ୍ରେନିଂ ଅଧାରୁ ଚାକିରି ଛାଡ଼ିଲେ ଯୁବ IPS

ଭୁବନେଶ୍ୱର: ଓଡ଼ିଶା ପୋଲିସ ମହଲରେ ଚାକିରି ଛାଡ଼ିବାର ଧାରା ଏବେ ଆଲୋଡ଼ନ ସୃଷ୍ଟି କରିଛି। ରାଜଧାନୀ ଭୁବନେଶ୍ୱରର ଡିସିପି ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର (VRS) ଚର୍ଚ୍ଚା ଥମି ନଥିବା ବେଳେ, ଏବେ ପୁଣି ଜଣେ ଆଇପିଏସ୍ ଅଫିସର ଖାକି ବର୍ଦ୍ଦି ଖୋଲିଦେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ଓ ପ୍ରଶାସନିକ ସେବାରେ ବିଧିବଦ୍ଧ ଭାବେ ଯୋଗ ନଦେଉଣୁ ଟ୍ରେନିଂ ଅଧାରୁ ହିଁ ଚାକିରିକୁ ବାଏ-ବାଏ କହିଛନ୍ତି ୨୦୨୫ ବ୍ୟାଚର ଓଡ଼ିଶା କ୍ୟାଡର ଯୁବ ଆଇପିଏସ୍ ଚଉଧର ଅଭିଜିତ ରାମଦାସ। ମାତ୍ର ୩୩ ବର୍ଷ ବୟସରେ ଏଭଳି ସମ୍ମାନଜନକ ପଦବୀରୁ ମୁହଁ ଫେରାଇ ନେବା ଘଟଣା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଇସ୍ତଫା ଦେଇଥିବା ଏହି ଅଫିସର ହେଉଛନ୍ତି ୨୦୨୫ ବ୍ୟାଚର ଆଇପିଏସ୍ ଚଉଧର ଅଭିଜିତ ରାମଦାସ। ତାଙ୍କର ମୂଳ ଘର ମହାରାଷ୍ଟ୍ରରେ ହୋଇଥିବା ବେଳେ, ୟୁପିଏସସିରେ କୃତକାର୍ଯ୍ୟ ହେବା ପରେ ତାଙ୍କୁ ଓଡ଼ିଶା କ୍ୟାଡର ମିଳିଥିଲା। ବର୍ତ୍ତମାନ ସେ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ନିଜର ଟ୍ରେନିଂ ନେଉଥିଲେ।

ତେବେ ଟ୍ରେନିଂ ଅଧାରେ ଥିବା ବେଳେ ସେ ହଠାତ୍ ନିଜର ଇସ୍ତଫାପତ୍ର ଏନପିଏର ଡିଜିଙ୍କ ନିକଟରେ ପ୍ରଦାନ କରିଛନ୍ତି। ମାତ୍ର ୩୩ ବର୍ଷ ବୟସରେ କଠିନ ପରିଶ୍ରମ କରି ଏଭଳି ଏକ ସମ୍ମାନଜନକ ପଦବୀ ହାସଲ କରିବା ଏବଂ ପ୍ରଶାସନିକ ସେବାରେ ବିଧିବଦ୍ଧ ଭାବେ ଯୋଗ ନଦେଉଣୁ ଚାକିରିରୁ ମୁହଁ ଫେରାଇ ନେବା ଘଟଣା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତାଙ୍କର ଏହି ହଠାତ୍ ନିଷ୍ପତ୍ତି ପଛର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ।

ଗୋଟିଏ ପଟେ ବରିଷ୍ଠ ଆଇପିଏସ୍ ତଥା ରାଜଧାନୀର ଡିସିପି ଜଗମୋହନ ମୀନା ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଭିଆରଏସ୍ ନେଇଥିବା ବେଳେ, ଏବେ ଜଣେ ଓଡ଼ିଶା କ୍ୟାଡରର ଟ୍ରେନିଂପ୍ରାପ୍ତ ନୂଆ ଅଫିସରଙ୍କ ଇସ୍ତଫା ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଲଗାତାର ଭାବେ ଆଇପିଏସ୍ ସ୍ତରର ଅଧିକାରୀମାନେ ଏଭଳି ଚାକିରିରୁ ଦୂରେଇ ଯିବା ପଛରେ ବ୍ୟକ୍ତିଗତ କାରଣ ରହିଛି ନା ଆଉ କିଛି, ତାହାକୁ ନେଇ ଏବେ ସାଧାରଣରେ ନାନା କଳ୍ପନାଜଳ୍ପନା ଲାଗିରହିଛି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button