ଜୟପୁର: କୋରାପୁଟ ଜିଲ୍ଲାରୁ ବାର୍ଷିକ ଉତ୍ପାଦନ ହେଉଛି ୨୯ ହଜାର ୮୭୦ ମେଟ୍ରିକ୍ ଟନ୍ କନ୍ଦମୂଳ। ହେଲେ ବିକ୍ରିବଟା ଲାଗି ସରକାରୀ ସ୍ତରରେ ନାହିଁ କୌଣସି ସୁବିଧା। ଓଡ଼ିଶା ବଜାର ତୁଳନାରେ ଆନ୍ଧ୍ର, ପଶ୍ଚିମବଙ୍ଗ, ବିହାର ଓ ଉତ୍ତରପ୍ରଦେଶକୁ ଯାଉଛି ଉତ୍ପାଦନର ସିଂହଭାଗ କନ୍ଦମୂଳ। ବେପାରୀ ଚାଷୀଙ୍କ ଘରେ, ଜମି ନିକଟରେ ଓ ସାପ୍ତାହିକ ହାଟରେ ଗାଡ଼ି ଲଗାଇ କିଲୋ ପିଛା ୧୨ରୁ ୧୩ ଟଙ୍କାରେ କିଣି ନେଉଛନ୍ତି। ତାହାକୁ ବଜାରରେ ୪୦ ଟଙ୍କାରେ ବିକ୍ରି କରି ଭଲ ମୁନାଫା କମାଉଛନ୍ତି। ବର୍ଷତମାମ ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷୀ ଉତ୍ପାଦିତ କନ୍ଦମୂଳରୁ ଲାଭ ପାଇବା ବଦଳରେ ଅଭାବୀ ବିକ୍ରିର ଶିକାର ହେଉଛି।
ଭୂସୁନା, ଭୂକ୍ରିଷ୍ଣାକୁ ମିଳୁନି ବଜାର, ଅଭାବୀ ବିକ୍ରି
ଆନ୍ଧ୍ର, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶକୁ ଚାଲାଣ
ବେପାରୀ କିଣିନେଉଛନ୍ତି ୧୨ ଟଙ୍କାରେ, ବିକୁଛନ୍ତି ୪୦ରେ
କୋରାପୁଟର ଜଳବାୟୁ କନ୍ଦମୂଳ ଚାଷ ପାଇଁ ବେଶ ଅନୁକୂଳ। ଜିଲ୍ଲାର ପଟାଙ୍ଗି, ସେମିଳିଗୁଡ଼ା, ନନ୍ଦପୁର, ଲମତାପୁଟ ଓ ଦଶମନ୍ତପୁର ବ୍ଲକ୍ରେ ବ୍ୟାପକ ପରିମାଣର କନ୍ଦମୂଳ ଚାଷ ହେଉଛି। ଜିଲ୍ଲାର ୩ ହଜାର ୪୧୦ ହେକ୍ଟର ଜମିରେ ଚାଷ ହେଉଥିଲେ ମଧ୍ୟ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀଙ୍କ ପାଇଁ କୌଣସି ସହାୟତା ଯୋଜନା ନାହିଁ। ନିଜେ ଚାଷୀ ବିହନ ବୁଣି ଯତ୍ନ ନେଇ ଅମଳ କନ୍ଦମୂଳ ବିକ୍ରି ନିଜେ କରୁଛି। ଉତ୍ପାଦିତ କନ୍ଦମୂଳ ମଧ୍ୟର ଭୂସୁନା ଓ ଭୂକ୍ରିଷ୍ଣା କନ୍ଦମୂଳର ବେଶ ଚାହିଦା ରହିଛି। କୋରାପୁଟ ଜିଲ୍ଲାର ୨୧ ହଜାର ଚାଷୀ କନ୍ଦମୂଳ ଚାଷ କରୁଥିଲେ ମଧ୍ୟ ଉଚିତ ମୂଲ୍ୟ ପାଉନି। ଦୈନିକ କୁନ୍ଦୁଲି ହାଟରୁ ଆନ୍ଧ୍ରପ୍ରଦେଶ, ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି କନ୍ଦମୂଳ। ପଶ୍ଚିମବଙ୍ଗର ଦୀପାବଳି ଏବଂ ବିହାରର ଛଟ ପୂଜା ଲାଗି କୋରାପୁଟରୁ ୨୦୦ରୁ ଊର୍ଦ୍ଧ୍ବ ଟ୍ରକ୍ରେ କନ୍ଦମୂଳ ଉଭୟ ରାଜ୍ୟକୁ ଯାଇଥିବା ସ୍ଥାନୀୟ ବ୍ୟବସାୟୀ କହିଛନ୍ତି।
ପଟାଙ୍ଗି ବ୍ଲକ୍ର ପୁକାଲି, ନୂଆଗାଁ, ମାଳିପୁଟ, ପଟାଙ୍ଗି, ରାଲେଗଡ଼ା, ସେମିଳିଗୁଡ଼ା ବ୍ଲକର ମାଳିମାର୍ଲା, ଦଶମନ୍ତପୁର ବ୍ଲକ୍ର ଆଡମୁଣ୍ଡା, ପୋଡ଼ାଗଡ଼, ପଟ୍ଟାମାଳିଗୁଡ଼ା, ଲଣ୍ଡାମାଳିଗୁଡ଼ା, ଢେପଗୁଡ଼ା ଅଞ୍ଚଳରୁ ଶହ ଶହ କ୍ବିଣ୍ଟାଲ କନ୍ଦମୂଳ ଉତ୍ପାଦନ ହୋଇଛି। ଲଗାତାର ଲଘୁଚାପ ବର୍ଷା, ଉତ୍ପାଦନ ପରେ ଅଧିକ ଦିନ ରଖିଲେ ନଷ୍ଟ ହେବାର ଭୟ ଥିବାରୁ ଚାଷୀମାନେ ବେପାରୀ ପହଞ୍ଚିବା କ୍ଷଣି ଶସ୍ତାରେ ବିକ୍ରି କରିଦେଉଛନ୍ତି। ପଟାଙ୍ଗି ବ୍ଲକ୍ କୃଷି ଉଦ୍ୟାନ ଅଧିକାରୀ କହିଛନ୍ତି, କନ୍ଦମୂଳ ପାଇଁ ଉଦ୍ୟାନ କୃଷି ବିଭାଗର କୌଣସି ଯୋଜନା ନାହିଁ। ସରକାର ଏଥିପ୍ରତି ଦୃଷ୍ଟି ଦେଇ ଚାଷୀଙ୍କୁ ପ୍ରୋତ୍ସାହନ, ବଜାର ବ୍ୟବସ୍ଥା ଯୋଗାଇଦେଲେ କୋରାପୁଟ ଚାଷୀଙ୍କୁ ଏହି ସୁନାର ଫସଲର ଉଚିତ ଦର ମିଳିପାରନ୍ତା।
ସୌଜନ୍ୟ ସମ୍ବାଦ