ଦେଶ ବିଦେଶ

SupremeCourt: ‘ସ୍ତନକୁ ଧରିବା ଦୁଷ୍କର୍ମ ଉଦ୍ୟମ ନୁହେଁ’ ରାୟ ଉପରେ ପାଟନା ହାଇକୋର୍ଟଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

ସ୍ତନକୁ ଜୋରରେ ଧରିବା ଓ ସାଲୱାର ଖୋଲିବାକୁ ଚେଷ୍ଟା କରିବା ‘ଦୁଷ୍କର୍ମ ଉଦ୍ୟମ’ ନୁହେଁ ବୋଲି ପାଟନା ହାଇକୋର୍ଟ ଦେଇଥିବା ରାୟକୁ ନେଇ ସୁପ୍ରିମ୍‌କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀ: ସ୍ତନକୁ ଜୋରରେ ଧରିବା ଓ ସାଲୱାର ଖୋଲିବାକୁ ଚେଷ୍ଟା କରିବା ‘ଦୁଷ୍କର୍ମ ଉଦ୍ୟମ’ ନୁହେଁ ବୋଲି ପାଟନା ହାଇକୋର୍ଟ ଦେଇଥିବା ରାୟକୁ ନେଇ ସୁପ୍ରିମ୍‌କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ରାୟ ଦେବା ପୂର୍ବରୁ ପର୍ଯ୍ୟାପ୍ତ ଅଧ୍ୟୟନ କରାଯାଇ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିବା ସହ ଯୌନ ଅପରାଧ ସମ୍ବନ୍ଧୀୟ ମାମଲାରେ ବିଚାରପତିମାନେ ଅଧିକ ସମ୍ବେଦନଶୀଳ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଯୌନ ଅପରାଧ ମାମଲାରେ ବୈଚାରିକ ଦୃଷ୍ଟିଭଙ୍ଗୀକୁ ନେଇ ସ୍ୱତଃପ୍ରବୃତ୍ତ ମାମଲାର ଶୁଣାଣି କରୁଥିବା ବେଳେ ବରିଷ୍ଠ ଆଇନଜୀବୀ ଶୋଭା ଗୁପ୍ତା ପାଟନା ହାଇକୋର୍ଟଙ୍କ ସଦ୍ୟ ରାୟ ସମ୍ପର୍କରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ, ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ରାୟ ପରେ ମଧ୍ୟ ଏଭଳି ରାୟ ଆସିବା ଚିନ୍ତାଜନକ। ଏହା ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନ ବିଚାରପତି କହିଥିଲେ, ଏଭଳି ରାୟ ଦେବା ପୂର୍ବରୁ ଗଭୀର ଅଧ୍ୟୟନ ହେବା ଉଚିତ। ଅଦାଲତ କହିଥିଲେ, ଯୌନ ଅପରାଧ ମାମଲାରେ ବିଚାରପତିମାନଙ୍କ ସମ୍ବେଦନଶୀଳତା ବୃଦ୍ଧି ପାଇଁ ଜାତୀୟ ନ୍ୟାୟିକ ଏକାଡେମି ପ୍ରସ୍ତୁତ କରିଥିବା ରିପୋର୍ଟକୁ ସୁପ୍ରିମ୍‌କୋର୍ଟ ଓ ସମସ୍ତ ହାଇକୋର୍ଟଙ୍କ ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଯିବ, ଯାହାଫଳରେ ସମସ୍ତ ବିଚାରପତି ଏହାକୁ ପଢ଼ିପାରିବେ।

ଉଲ୍ଲେଖଯୋଗ୍ୟ, ପାଟନା ହାଇକୋର୍ଟ ଏକ ମାମଲାରେ କହିଥିଲେ ଯେ, ଜଣେ ମହିଳାଙ୍କ ସାଲୱାର ଖୋଲିବାକୁ ଉଦ୍ୟମ କରିବା ଓ ତାଙ୍କ ସ୍ତନକୁ ଚିପିବା ଘଟଣାକୁ ‘ଦୁଷ୍କର୍ମ ଉଦ୍ୟମ’ ବୋଲି କୁହାଯାଇପାରିବ ନାହିଁ। ଅଦାଲତଙ୍କ ମତରେ, ଏହି କାର୍ଯ୍ୟ ମହିଳାଙ୍କ ଶ୍ଳୀଳତାହାନି ଅପରାଧ ମଧ୍ୟରେ ଆସିବ। ଏହି ରାୟ ଦେଇ ହାଇକୋର୍ଟ ତଳ ଅଦାଲତଙ୍କ ‘ଦୁଷ୍କର୍ମ ଉଦ୍ୟମ’ ନେଇ ଦୋଷୀ ସାବ୍ୟସ୍ତ ରାୟକୁ ରଦ୍ଦ କରିଥିଲେ। ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ସମାନ ପ୍ରକାରର ଏକ ରାୟ ଦେଇଥିଲେ। ସେହି ମାମଲାରେ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ କରି ହାଇକୋର୍ଟଙ୍କ ରାୟକୁ ଖାରଜ କରିଥିଲେ ଓ ସ୍ପଷ୍ଟ କରିଥିଲେ ଯେ, ପୀଡ଼ିତାଙ୍କ ସ୍ତନକୁ ଧରିବା ଓ ପୋଷାକ ଖୋଲିବାକୁ ଉଦ୍ୟମ କରିବା ଭଳି କାର୍ଯ୍ୟ ପରିସ୍ଥିତି ଅନୁସାରେ ‘ଦୁଷ୍କର୍ମ ଉଦ୍ୟମ’ ଅପରାଧ ଭାବେ ବିବେଚନା କରାଯାଇପାରିବ। ବର୍ତ୍ତମାନ ପାଟନା ହାଇକୋର୍ଟଙ୍କ ରାୟକୁ ନେଇ ମଧ୍ୟ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଟିପ୍ପଣୀ ନ୍ୟାୟିକ ମହଲରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button