ମହାନଗର

Capital Road: ରାଜଧାନୀ ରାସ୍ତା ଭଗବାନ ଭରସା: ସାଢ଼େ ୪ ବର୍ଷରେ ଗଡ଼ିଲାଣି ୮୫୦ ମୁଣ୍ଡ

ରାଜଧାନୀବାସିନ୍ଦାଙ୍କ ଚିନ୍ତା ବଢ଼ାଉଛି ସଡ଼କ ଦୁର୍ଘଟଣା। ବେପରୁଆ ଗାଡ଼ିଚାଳନା ସାଙ୍ଗକୁ ନିଶାସେବନ, ଟ୍ରାଫିକ୍ ନିୟମ ଉଲ୍ଲଂଘନ ଭଳି ପ୍ରମୁଖ କାରଣ ପାଇଁ ରାଜଧାନୀରେ ବାରମ୍ବାର ଦୁର୍ଘଟଣା ଘଟୁଛି।

ଭୁବନେଶ୍ବର: ରାଜଧାନୀବାସିନ୍ଦାଙ୍କ ଚିନ୍ତା ବଢ଼ାଉଛି ସଡ଼କ ଦୁର୍ଘଟଣା। ବେପରୁଆ ଗାଡ଼ିଚାଳନା ସାଙ୍ଗକୁ ନିଶାସେବନ, ଟ୍ରାଫିକ୍ ନିୟମ ଉଲ୍ଲଂଘନ ଭଳି ପ୍ରମୁଖ କାରଣ ପାଇଁ ରାଜଧାନୀରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦୁର୍ଘଟଣାରେ ରୋକ୍ ଲଗାଇବା ପାଇଁ ପୁଲିସ ପାଖରେ ସେମିତି କିଛି ଯୋଜନା ନାହିଁ। ଏପରିକି ଯେଉଁ ଯୋଜନା ରହିଛି ସେ ସବୁ କାର୍ଯ୍ୟକାରୀ କରିବାରେ ମଧ୍ୟ କମିସନରେଟ୍‌ ପୁଲିସ ବିଫଳ ହୋଇଛି। ସୂଚନା ଅନୁସାରେ ଗତ ସାଢ଼େ ୪ବର୍ଷରେ ରାଜଧାନୀରେ ପ୍ରାୟ ୧୨ଶହରୁ ଅଧିକ ଦୁର୍ଘଟଣାରେ ୮୫୦ଜଣଙ୍କ ମୃତ୍ୟୁ ଘଟିଥିବା ଭୁବନେଶ୍ବର ୟୁପିଡିରେ ଅଭିଯୋଗ ହୋଇଛି। ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ଅର୍ଥାତ୍ ୬ମାସ ମଧ୍ୟରେ ଦୁର୍ଘଟଣା ସଂଖ୍ୟା ୪୦୦ ଟପିଛି ଓ ପ୍ରାୟ ୧୦୦ଟି ଅମୂଲ୍ୟ ଜୀବନ ଯାଇଛି। ପୂର୍ବ ବର୍ଷ ତୁଳନାରେ ଏହି ସଂଖ୍ୟା ୩ଗୁଣା ବଢ଼ିଛି। ରାଜଧାନୀରେ ଗାଡ଼ି ଚଳାଇବା ବେଳେ ଇଷ୍ଟ ସୁମରି ଯିବାକୁ ଏହି ସଂଖ୍ୟା ହିଁ ବୟାନ କରୁଛି। ତେବେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ଏହି ସଡ଼କ ଦୁର୍ଘଟଣା ପଛରେ ଅମାନିଆଙ୍କୁ ଦାୟୀ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ କୁମାର ନନ୍ଦ। ସେ କହିଛନ୍ତି, ଅଧିକାଂଶ ଦୁର୍ଘଟଣାରେ ଗାଡ଼ିଗୁଡ଼ିକ ପୂର୍ବରୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଛନ୍ତି। କେବଳ ଥରେ କି ୨ଥର ନୁହେଁ ଗୋଟେ ଗୋଟେ ଗାଡ଼ି ୭୦ଥର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ନଜିର୍ ରହିଛି।

ବ୍ଲାକ୍‌ସ୍ପଟ୍ ପାଲଟିଛି ଏନ୍‌ଏଚ୍‌-୧୬

ରାଜଧାନୀରେ ଯେତେସବୁ ଦୁର୍ଘଟଣା ଘଟୁଛି ସେଥିମଧ୍ୟରୁ ଏନ୍‌ଏଚ୍‌-୧୬ରେ ଅଧିକାଂଶ ଦୁର୍ଘଟଣା ଘଟୁଛି। ନିକଟରେ ଜୟଦେବବିହାର ଫ୍ଲାଏଓଭର୍‌ରେ ୨ଜଣ ନର୍ସିଂ ଛାତ୍ରଙ୍କୁ ଏକ ବସ୍ ଧକ୍କା ଦେଇ ଚମ୍ପଟ୍ ମାରିଥିଲା। ଏଥିରେ ପଶ୍ଚିମବଙ୍ଗର ସୌମ୍ୟରଂଜନ ମାନାଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ଗତ ୧୪ଜୁଲାଇ ବିଳମ୍ବିତ ରାତିରେ ଏକ ଟ୍ରକ୍ ରଶ୍ମିରଂଜନ ଦାସ ଓ  ବିଶ୍ବରଂଜନ ପଟ୍ଟନାୟକଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହିଭଳି ମାଳମାଳ ଘଟଣା ଏନ୍‌ଏଚ୍‌ରେ ଘଟୁଥିବା ସାମ୍ନାକୁ ଆସିଛି। ପୁଲିସ ରିପୋର୍ଟ ଅନୁସାରେ, ଭୁବନେଶ୍ବର ୟୁପିଡିର ପାହାଳ, ଇନ୍‌ଫୋଭ୍ୟାଲି, ଖଣ୍ଡଗିରି, ତମାଣ୍ଡୋ, ସହିଦନଗର, ନୂଆପଲ୍ଲୀ, ଧଉଳି, ମଞ୍ଚେଶ୍ବର ଓ ଜଟଣୀ ଥାନା ଅଞ୍ଚଳରେ ଦୁର୍ଘଟଣା ଚରମ ସୀମାରେ ପହଞ୍ଚିଛି। ଚଳିତବର୍ଷ ଏହି ଥାନା ଅଞ୍ଚଳରୁ ପ୍ରାୟ ୭୦ରୁ ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି। ଯାହା ସମୁଦାୟ ଦୁର୍ଘଟଣାଜନିତ ମୃତ୍ୟୁର ୭୨ପ୍ରତିଶତ। ଏହି ଥାନା ଅଞ୍ଚଳରେ ଏନ୍‌ଏଚ୍‌ ରହିଥିବାରୁ ଦୁର୍ଘଟଣା ଅଧିକ ହେଉଥିବା ଜଣାପଡ଼ିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button