Mango: ହଜିଯାଉଛି ଦେଶୀ ଆମ୍ୱର ଅସ୍ତିତ୍ୱ: ‘ହାମିଲ୍ଟନ୍ ସୁନ୍ଦରୀ’ ଓ ‘ବଳଦେବ’ ଆମ୍ୱକୁ ବ୍ରାଣ୍ଡିଂ କରିବାକୁ ପ୍ରୟାସ
ଭାରତରେ ସବୁଠୁ ଲୋକପ୍ରିୟ ଫଳ ହେଉଛି ମଧୁର, ରସାଳ ଓ ସୁସ୍ବାଦୁ ଆମ୍ବ। ଏହାର ସ୍ୱତନ୍ତ୍ର ସ୍ୱାଦ, ସୁଗନ୍ଧ ଓ ବହୁଳମାତ୍ରାରେ ଉତ୍ପାଦନ ପାଇଁ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଆମ୍ୱ ଖାଇବାକୁ ଭଲ ପାଆନ୍ତି।

ଭୁବନେଶ୍ୱର: ଭାରତରେ ସବୁଠୁ ଲୋକପ୍ରିୟ ଫଳ ହେଉଛି ମଧୁର, ରସାଳ ଓ ସୁସ୍ବାଦୁ ଆମ୍ବ। ଏହାର ସ୍ୱତନ୍ତ୍ର ସ୍ୱାଦ, ସୁଗନ୍ଧ ଓ ବହୁଳମାତ୍ରାରେ ଉତ୍ପାଦନ ପାଇଁ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଆମ୍ୱ ଖାଇବାକୁ ଭଲ ପାଆନ୍ତି। ସମଗ୍ର ବିଶ୍ବରେ ଯେତେ ପରିମାଣର ଆମ୍ବ ଉତ୍ପାଦିତ ହୁଏ, ତା’ର ଅର୍ଦ୍ଧେକ ଫଳେ ଭାରତରେ। ସେହିପରି ଓଡ଼ିଶାର ୨.୫ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଆମ୍ବ ଚାଷ ହେଉଛି। ହେଲେ ବଜାରରେ ବଡ଼ ବାଇଗଣପଲେଇ ସହ ଦାମୀ ଆମ୍ରପଲ୍ଲୀ, ଆଲ୍ଫନ୍ସୋ, ଲଙ୍ଗଡ଼ା, ଦସେରି ଓ ଚଉସା ଭଳି ଆମ୍ବ ଭିଡ଼ରେ ଦେଶୀ ଆମ୍ବର ଅସ୍ତିତ୍ବ ହଜିଯାଇଛି। ଓଡ଼ିଶାର ବଳଦେବ, ପଞ୍ଚାସ୍ୱାଦୀ, କାଳିଆଗଜା, ହାମିଲ୍ଟନ୍ ସୁନ୍ଦରୀ, ଶିମିଳିପାଳ ସୁନ୍ଦରୀ, ଦହିପାଖୁଡ଼ି ଭଳି ଆମ୍ୱର ନାମ ମଧ୍ୟ ଅନେକ ଭୁଲିଗଲେଣି। ରାଜ୍ୟର ନିଜସ୍ବ କିସମର ଆମ୍ବ ସ୍ବାଦ ଓ ଗୁଣରେ ଉତ୍କୃଷ୍ଟ ହୋଇଥିଲେ ମଧ୍ୟ ପ୍ରଚାରପ୍ରସାର ଅଭାବରୁ ସେସବୁ ବଜାରରେ ଲୋକପ୍ରିୟ ହୋଇପାରୁନାହିଁ। ଉପଯୁକ୍ତ ସଂରକ୍ଷଣର ଅଭାବରୁ ପ୍ରତିବର୍ଷ ଟନ୍ଟନ୍ ଆମ୍ୱ ନଷ୍ଟ ମଧ୍ୟ ହେଉଛି।
ଯଦିଓ ଓଡ଼ିଶାର ସବୁ ଜିଲ୍ଲାରେ ଆମ୍ବଚାଷ ହୁଏ, କିନ୍ତୁ ବିଶେଷକରି ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ସୋନପୁର, ଦେବଗଡ଼, କୋରାପୁଟ, ପୁରୀ, ଗଞ୍ଜାମ ଆଦି ଜିଲ୍ଲାରେ ବହୁଳ ଆମ୍ୱ ଉତ୍ପାଦନ ହୁଏ। ହେଲେ ବ୍ୟବସାୟିକ ଦୃଷ୍ଟିକୋଣରୁ ଉତ୍କୃଷ୍ଟ ଥିବାରୁ ଉତ୍ତର ଭାରତରୁ ଆସିଥିବା ‘ଆମ୍ରପଲ୍ଲୀ’ କିସମର ବହୁଳ ଭାବରେ ଚାଷ କରାଯାଏ। ଏହା ପଛକୁ ମଲ୍ଲିକା, କେଶର, ଦସେରି, ହିମସାଗର, ସୁନ୍ଦରୀ, ବାଇଗଣପଲେଇ, ସୁନ୍ଦରୀ ଆଦି ଚାଷ ହେଉଛି। ବର୍ତ୍ତମାନ ଓଡ଼ିଶାର ଆମ୍ରପଲ୍ଲୀ, ଦସେରୀ, ମଲ୍ଲିକା ଆମ୍ୱ ବିଦେଶରେ ମଧ୍ୟ ପହଞ୍ଚିଲାଣି। ହେଲେ ବିଦେଶୀ ଓ ଶଙ୍କର ଜାତୀୟ ଏହି ଆମ୍ୱ ପରିବର୍ତ୍ତେ ଓଡ଼ିଶାର ନିଜସ୍ବ ଆମ୍ବର ପ୍ରସାର କରିବାର ଆବଶ୍ୟକତା ରହିଛି। ଗତ ମାସ କେନ୍ଦ୍ରୀୟ ଉଦ୍ୟାନକୃଷି ପରୀକ୍ଷଣ କେନ୍ଦ୍ର ପରିସରରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଚାଷୀଙ୍କ ଆୟ ବୃଦ୍ଧି କରିବା ଓ କୃଷି ରପ୍ତାନିକୁ ବଢ଼ାଇବା ପାଇଁ ଓଡ଼ିଶା ଆମ୍ବର ଏକ ସ୍ୱତନ୍ତ୍ର ‘ବ୍ରାଣ୍ଡିଂ’ କରିବାର ଆବଶ୍ୟକତା
ରହିଛି ବୋଲି କହିଥିଲେ।
ସୌଜନ୍ୟ ସମ୍ବାଦ




