Traffic shelters: ଜନପଥରେ ଯାତ୍ରୀ ଅନୁକୂଳ ଟ୍ରାଫିକ୍ ଆଶ୍ରୟସ୍ଥଳ
ଯାତ୍ରୀଙ୍କ ସୁବିଧା ବୃଦ୍ଧି ଓ ସହରର ସୌନ୍ଦର୍ଯ୍ୟୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ବିଏମ୍ସି ଓ ବିଡିଏ ମିଳିତ ଭାବେ ଜନପଥ କରିଡର୍ର ପ୍ରମୁଖ ସ୍ଥାନଗୁଡ଼ିକରେ ଆଧୁନିକ ଟ୍ରାଫିକ୍ ଓ ପାର୍କିଂ ସହ ଯାତ୍ରୀ ଆଶ୍ରୟସ୍ଥଳ ନିର୍ମାଣ ପାଇଁ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛନ୍ତି।

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ବୃଦ୍ଧି ଓ ସହରର ସୌନ୍ଦର୍ଯ୍ୟୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ବିଏମ୍ସି ଓ ବିଡିଏ ମିଳିତ ଭାବେ ଜନପଥ କରିଡର୍ର ପ୍ରମୁଖ ସ୍ଥାନଗୁଡ଼ିକରେ ଆଧୁନିକ ଟ୍ରାଫିକ୍ ଓ ପାର୍କିଂ ସହ ଯାତ୍ରୀ ଆଶ୍ରୟସ୍ଥଳ ନିର୍ମାଣ ପାଇଁ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛନ୍ତି। ସହରର ଦୁଇ ବ୍ୟସ୍ତବହୁଳ ଅଞ୍ଚଳ ରୁପାଲି ଛକ ଓ ପାୱାର ହାଉସ୍ ଛକରେ ନୂଆ ଟ୍ରାଫିକ୍ ସେଡ୍ (ଆଶ୍ରୟସ୍ଥଳ) ନିର୍ମାଣ କାର୍ଯ୍ୟ ଚାଲିଛି। ଏହା ବ୍ୟତୀତ ଜନପଥ କରିଡର୍ର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ୪ଟି ପାର୍କିଂ ସହ ଯାତ୍ରୀ ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ପଥଚାରୀ, ଯାତ୍ରୀ ଓ ଗାଡ଼ି ଚାଳକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଉଛି। ସ୍ଥାୟିତ୍ବ ପାଇଁ ଏହି ଆଶ୍ରୟସ୍ଥଳୀରେ ଫ୍ୟାବ୍ରିକ୍ କ୍ୟାନୋପି ଉପରେ ଫ୍ଲେମ୍ ଭାଇନ୍ କ୍ରିପର୍ର ବ୍ୟବହାର କରାଯାଇଛି।
ଧଳାର ଏହି ପରିବେଶ ଅନୁକୂଳ ବ୍ୟବସ୍ଥା ଖରାଦିନେ ତାପକୁ କମାଇବ ସହ ଟ୍ରାଫିକ୍ ଛକ କିମ୍ବା ପାର୍କିଂ ସ୍ଥାନରେ ଅପେକ୍ଷା କରୁଥିବା ଲୋକଙ୍କୁ ଶୀତଳ ଓ ଆରାମଦାୟକ ପରିବେଶ ଦେବ। ରାସ୍ତାଘାଟକୁ ଅଧିକ ଆକର୍ଷଣୀୟ କରିବାକୁ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନ୍ସିଏପି) ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ସହରରେ ବାୟୁର ଗୁଣବତ୍ତାରେ ଉନ୍ନତି ଆଣିବାରେ ଏହା ସହାୟକ ହେବ ବୋଲି ବିଡିଏ କର୍ତ୍ତୃପକ୍ଷ କହିଛନ୍ତି। ଟ୍ରାଫିକ୍ ଆଶ୍ରୟସ୍ଥଳଗୁଡ଼ିକରେ ସ୍ତମ୍ଭ ମଧ୍ୟରେ ବିଶେଷ ଡିଜାଇନ୍ର ସମାନ୍ତରାଳ ସ୍କ୍ରିନ୍ ପ୍ୟାନେଲ୍ ଲଗାଯାଇଛି, ଯାହା ଦିନସାରା ବିଭିନ୍ନ କୋଣରୁ ଆସୁଥିବା ସୂର୍ଯ୍ୟକିରଣକୁ ଅଟକାଇ ଟାଣ ଖରାରୁ ଲୋକଙ୍କୁ ସୁରକ୍ଷା ଦେବ ଓ ବର୍ଷା ସମୟରେ ମଧ୍ୟ ପଥଚାରୀ ଆଶ୍ରୟ ନେଇପାରିବେ। ପାର୍କିଂ ସହ ଯାତ୍ରୀ ଆଶ୍ରୟସ୍ଥଳ ଦ୍ବାରା ବିଶେଷ କରି ବୟସ୍କ, ଗର୍ଭବତୀ ପ୍ରମୁଖ ଲାଭବାନ ହେବେ।
ସୌଜନ୍ୟ ସମ୍ବାଦ




