Robbery: ମୋରଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଚୋରି ଓ ଛିନତାଇ
ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀର ମୋରଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇଚାଲିଛି ଚୋରି ଓ ଛିନତାଇ। ନିୟମିତ ଗତ ୪ ଦିନରେ ଚାରିଟି ସ୍ଥାନରୁ ବଡ଼ ଧରଣର ଚୋରି ଓ ଛିନତାଇ ହେବା ଏବଂ ଗୋଟିଏ ପରେ ଗୋଟିଏ ଘଟଣା ଘଟିଚାଲିଛି ।

ଚିତ୍ରଡା:ମୟୂରଭଞ୍ଜଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀର ମୋରଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇଚାଲିଛି ଚୋରି ଓ ଛିନତାଇ। ନିୟମିତ ଗତ ୪ ଦିନରେ ଚାରିଟି ସ୍ଥାନରୁ ବଡ଼ ଧରଣର ଚୋରି ଓ ଛିନତାଇ ହେବା ଏବଂ ଗୋଟିଏ ପରେ ଗୋଟିଏ ଘଟଣା ଘଟୁଥିବା ବେଳେ ପୁଲିସ ଚୋରଙ୍କୁ ଧରିବାରେ କିମ୍ବା ଚୋରି ସାମଗ୍ରୀ ଉଦ୍ଧାର କରିବାରେ ସଫଳ ହେଉନଥିବା ବେଳେ ଚୋର ତଥା ଦୁର୍ବୃତ୍ତମାନେ ପୁଲିସକୁ ଚ୍ୟାଲେଞ୍ଜ କରି ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଇବା ସାଧାରଣରେ ଆତଙ୍କର ବାତାବରଣ ସୃଷ୍ଟି କରିଛି ।
ଗତ ରବିବାର ଠାରୁ ନିୟମିତ ଗୋଟିଏ ପରେ ଗୋଟିଏ ଚୋରି ଏବଂ ଛିନତାଇ ଘଟୁଥିବା ବେଳେ ଗତ ବୁଧବାର ରାତିରେ ଏହି ଥାନା ଅଧିନ ପଳାସବଧା ଗ୍ରାମର ପ୍ରାକ୍ତନ ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ଘର ଭିତରେ ଦୁର୍ବୃତ୍ତମାନେ ପଶି ଆଲମାରୀ ଭିତରୁ ସୁନା,ରୁପା ଅଳଙ୍କାର ସହିତ ନଗଦ ଟଙ୍କା ଏବଂ ଦାମୀ ଶାଢ଼ୀ ଲୁଗାପଟା ଚୋରି କରି ନେଇଯାଇଥିବାର ଅଭିଯୋଗ ମୋରଡ଼ା ଥାନାରେ ହୋଇଛି।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ
ଅଭିଯୋଗ ଅନୁସାରେ ଶ୍ରୀ ପଣ୍ଡାଙ୍କ ସ୍ତ୍ରୀ ଘରେ ଏକୁଟିଆ ରୋଷେଇ କରୁଥିବା ସମୟରେ ଦୁର୍ବୃତ୍ତମାନେ ଘର ଭିତରେ ପଶି ଆଲମାରୀ ଭିତରୁ ସୁନା ହାର, ମଙ୍ଗଳସୂତ୍ର, ମୁଦି, କାନଫୁଲ ସହିତ ରୁପା ଗହଣା ଏବଂ ନଗଦ ୧୦ ହଜାର ଟଙ୍କା ସହିତ ଲୁଗାପଟା ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତିକୁ ଦୁର୍ବୃତ୍ତ ମାନେ ଚୋରି କରି ନେଇଯାଇଥିବାର ଅଭିଯୋଗ ଥାନାରେ ହୋଇଛି । ଅଭିଯୋଗ ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ କି ଏହି ଥାନା ଅଞ୍ଚଳରୁ ଗତ ରବିବାର ବିଳମ୍ବିତ ରାତିରେ ଗୋଟିଏ ପିକଅପ, ସୋମବାର ରାତିରେ ଗୋଟିଏ ବାଇକ ଚୋରି ହୋଇଥିବା ବେଳେ ମଙ୍ଗଳବାର ଦିନ ଦ୍ୱିପ୍ରହର ରେ ଜଣେ ଗହଣା ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ଦୁର୍ବୃତ୍ତ ମାନେ ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଲୁଟି ନେଇଥିବାର ଅଭିଯୋଗ ହୋଇଛି। ତେବେ ଏହି ତିନିଟି ବଡ଼ ଘଟଣା ପରେ ପୁଣି ବୁଧବାର ରାତିରେ ଘର ଭିତରେ ପଶି କଳାକନା ବୁଲାଇବା ପୁଲିସକୁ ଚ୍ୟାଲେଞ୍ଜ କଲାଭଳି କରୁଛନ୍ତି ଦୁର୍ବୃତ୍ତ। ତେବେ ପୁଲିସ ଘଟଣାର ତଦନ୍ତ କରୁଥିବା ଏବଂ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବାର ଥାନାଧିକାରୀ ସୁମିତ ସୋରେନ ପ୍ରକାଶ କରିଛନ୍ତି। ତେବେ ଚୋରି ଓ ଛିନତାଇକୁ ରୋକିବା ପାଇଁ ପୁଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ ବ୍ୟାପକ କରାଯିବା ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡ଼ିକରେ ପୁଲିସ କର୍ମଚାରୀ ମୁତୟନ କରାଯିବା ସହିତ ବିଭିନ୍ନ ଛକ ବଜାର ଓ ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ବ୍ୟାପକ ପରିମାଣର ସିସି ଟିଭି କ୍ୟାମେରା ଲଗାଇବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣରେ ଦାବି ହୋଇଛି ।
ସୌଜନ୍ୟ ସମ୍ବାଦ



