ଦେଶ ବିଦେଶ

Revant Reddy : ନିର୍ବାଚନ ଲଢ଼ିବାର ସର୍ବନିମ୍ନ ବୟସ ୨୧ କରିବାକୁ ରେବନ୍ତ ରେଡ୍ଡୀଙ୍କ ପ୍ରସ୍ତାବ

ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ବର୍ତ୍ତମାନର ସର୍ବନିମ୍ନ ବୟସସୀମା ୨୫ ପରିବର୍ତ୍ତେ ୨୧ ବର୍ଷ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ପ୍ରସ୍ତାବ ଦେଇଛନ୍ତି।

ହାଇଦ୍ରାବାଦ: ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ବର୍ତ୍ତମାନର ସର୍ବନିମ୍ନ ବୟସସୀମା ୨୫ ପରିବର୍ତ୍ତେ ୨୧ ବର୍ଷ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ପ୍ରସ୍ତାବ ଦେଇଛନ୍ତି। ଶନିବାର ହାଇଦ୍ରାବାଦରେ ଜେନ୍‌-ଜି ଯୁବକମାନଙ୍କ ସମର୍ଥନରେ ଆୟୋଜିତ ଏକ କ୍ୟାଣ୍ଡେଲ୍‌ ମାର୍ଚ୍ଚରେ ଯୋଗଦେଇ ସେ କହିଛନ୍ତି ଯେ, ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟ ବିଧାନସଭା ଓ ବିଧାନ ପରିଷଦର ସ୍ବତନ୍ତ୍ର ଅଧିବେଶନ ଡକାଯିବ। ସେଥିରେ ବୟସସୀମା ୨୧ ବର୍ଷକୁ ହ୍ରାସ କରିବା ସମ୍ପର୍କିତ ପ୍ରସ୍ତାବ ପାରିତ କରାଯାଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯିବ।

ରେବନ୍ତ କହିଛନ୍ତି, ଦେଶର ପ୍ରାୟ ୩୦ ପ୍ରତିଶତ ଜନସଂଖ୍ୟା ଜେନ୍‌-ଜି ପିଢ଼ିର ହୋଇଥିଲେ ମଧ୍ୟ ଲୋକସଭାରେ ସେମାନଙ୍କ ପ୍ରତିନିଧିତ୍ୱ ୧ ପ୍ରତିଶତରୁ ମଧ୍ୟ କମ୍‌। ତେଣୁ ଯୁବପିଢ଼ିକୁ ଆଇନ ପ୍ରଣୟନ ଓ ଦେଶ ପରିଚାଳନାରେ ଅଧିକ ସୁଯୋଗ ଦେବା ଆବଶ୍ୟକ। ତାଙ୍କ ମତରେ, ଦେଶର ଭବିଷ୍ୟତ ଯୁବପିଢ଼ିଙ୍କ ହାତରେ ରହିଛି ଏବଂ ସେମାନଙ୍କୁ ରାଜନୀତିରେ ଶୀଘ୍ର ପ୍ରବେଶର ସୁଯୋଗ ମିଳିବା ଉଚିତ। ନିଜ ପ୍ରସ୍ତାବକୁ ସମର୍ଥନ କରି ସେ କହିଛନ୍ତି, ୨୧ ବର୍ଷ ବୟସର ଯୁବକ କିମ୍ବା ଯୁବତୀ ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଅଧିକାରୀ ହୋଇପାରୁଛନ୍ତି। ସ୍ଥାନୀୟ ସ୍ବାୟତ୍ତ ସଂସ୍ଥା ନିର୍ବାଚନ ଲଢ଼ିପାରୁଛନ୍ତି। ତେବେ ସେହି ବୟସରେ ବିଧାୟକ କିମ୍ବା ସାଂସଦ ହେବାର ସୁଯୋଗ କାହିଁକି ମିଳିବ ନାହିଁ? ଜର୍ମାନୀ, ବ୍ରିଟେନ୍‌ ଓ ସିଙ୍ଗାପୁର ଭଳି ଦେଶରେ କମ୍‌ ବୟସରେ ରାଜନୈତିକ ନେତୃତ୍ୱ ଦେବାର ସୁଯୋଗ ରହିଥିବା ଉଦାହରଣ ମଧ୍ୟ ସେ ଦେଇଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୬୧ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଭୋଟଦାନ ବୟସ ୨୧ରୁ ୧୮ ବର୍ଷକୁ ହ୍ରାସ କରିଥିବା ଏବଂ ପିଭି ନରସିଂହ ରାଓଙ୍କ ସମୟରେ ସ୍ଥାନୀୟ ସଂସ୍ଥା ନିର୍ବାଚନ ଲଢ଼ିବା ପାଇଁ ୨୧ ବର୍ଷ ବୟସର ଯୁବକମାନଙ୍କୁ ସୁଯୋଗ ମିଳିଥିବା କଥା ରେବନ୍ତ ରେଡ୍ଡୀ ସ୍ମରଣ କରାଇଛନ୍ତି। ସେ କହିଛନ୍ତି, ଏହି ପ୍ରସଙ୍ଗକୁ କଂଗ୍ରେସ ସଂସଦରେ ମଧ୍ୟ ଉଠାଇବ ଏବଂ ସମ୍ବିଧାନ ସଂଶୋଧନ ପାଇଁ ଅନ୍ୟ ଦଳମାନଙ୍କ ସମର୍ଥନ ଲୋଡ଼ିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button