ପୁରୀ: ପଶ୍ଚିମବଙ୍ଗ ଉନବିଂଶ ଶତାବ୍ଦୀର ତଥ୍ୟ ସହ ରସଗୋଲା ତାଙ୍କର ବୋଲି ଦାବି କରୁଛନ୍ତି। ମାତ୍ର ଶ୍ରୀଜଗନ୍ନାଥ ସଂସ୍କୃତିରେ ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀରୁ ରଚିତ ଦାଣ୍ଡି ରାମାୟଣ ଅଯୋଧ୍ୟା କାଣ୍ଡରେ ରସଗୋଲା କଥା ରହିଛି। ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେଇ ତୋଷ କରିବାର ପରମ୍ପରା ବହୁ ପୁରାତନ। ରସଗୋଲା ଯେ ଓଡ଼ିଶାର ଏହା ସବୁଠୁ ବଲିଷ୍ଠ ପ୍ରମାଣ। ‘ଓଡ଼ିଶାର ରସଗୋଲା’ ନାମରେ ଆମେ ଜିଆଇ (ଭୌଗୋଳିକ ମାନ୍ୟତା) ପାଇଛେ, ମାତ୍ର ‘ଶ୍ରୀଜଗନ୍ନାଥଙ୍କ ରସଗୋଲା’ ଭାବେ ସମଗ୍ର ବିଶ୍ବରେ ବ୍ରାଣ୍ଡିଂ କରିବାକୁ ପଡ଼ିବ। ‘ସମ୍ବାଦ’, ‘କନକ ନ୍ୟୁଜ୍’ ଓ ‘ରେଡ଼ିଓ ଚକଲେଟ’ ପକ୍ଷରୁ ପୁରୀ ସେବା ସମିତି ପରିସରରେ ଆୟୋଜିତ ‘ରସଗୋଲା ଦିବସ’ରେ ଏହି ଆହ୍ବାନ ଦେଇଛନ୍ତି ଅତିଥି ଓ ଗବେଷକ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସ୍ବତନ୍ତ୍ର ସଚିବ ଦେବପ୍ରସାଦ ଦାଶ କହିଲେ, ଗୋଟିଏ ଜାତି ଯେ ଜଣେ ଠାକୁରଙ୍କୁ ନେଇ ପରିଚାଳିତ ହୁଏ, ଏହାର ଦୃଷ୍ଟାନ୍ତ ଆଉ କେଉଁଠାରେ ଦେଖିବାକୁ ମିଳେନାହିଁ। ପଶ୍ଚିମବଙ୍ଗ ଉନବିଂଶ ଶତାବ୍ଦୀର ରସଗୋଲା ଇତିହାସ ଉପସ୍ଥାପନ କରୁଥିଲେ ହେଁ ଆମ ସଂସ୍କୃତି ହଜାର ବର୍ଷର। ରସଗୋଲା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ମହତ୍ତ୍ବପୂର୍ଣ୍ଣ କଥାକୁ ନେଇ ସ୍ବତନ୍ତ୍ର ପୁସ୍ତିକା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ସେ ସରକାରଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି। ଶ୍ରୀ ଦାଶ କହିଲେ, ରଥ ନିର୍ମାଣ ପ୍ରକ୍ରିୟାଠୁ ବଡ଼ ମ୍ୟାନେଜମେଣ୍ଟ ପାଠ କିଛି ହୋଇନପାରେ। ମାତ୍ର ଶ୍ରୀକ୍ଷେତ୍ରର ଗୁରୁତ୍ବକୁ ଏଯାଏଁ ଠିକ୍ ଭାବେ ପ୍ରତିପାଦିତ କରିପାରିନାହିଁ। ଏଥିପାଇଁ ଲୋକଙ୍କ ନିକଟରେ ଠିକ୍ ବାର୍ତ୍ତା ପହଞ୍ଚାଇବା ଆବଶ୍ୟକ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ରସଗୋଲା ଜିଆଇ ଟ୍ୟାଗ୍ ପାଇଁ ଉଦ୍ୟମ କରିଥିବା ଅସିତ ମହାନ୍ତି କହିଛନ୍ତି, ଓଡ଼ିଶାର ରସଗୋଲା ନାମରେ ଜିଆଇ ମାନ୍ୟତା ମିଳିଥିଲେ ହେଁ ‘ଓଡ଼ିଶାର ଶ୍ରୀଜଗନ୍ନାଥଙ୍କ ରସଗୋଲା’ ଭାବେ ବ୍ରାଣ୍ଡିଂ କରିବା ଆବଶ୍ୟକ। ରସଗୋଲା ସହ ଛେନାଝିଲ୍ଲୀ, ଛେନାପୋଡ଼, ପୋଡ଼ପିଠା ଆଦିକୁ ମଧ୍ୟ ବ୍ରାଣ୍ଡିଂ କରିବା ଆବଶ୍ୟକ ବୋଲି କହିଛନ୍ତି।
ଓଡ଼ିଆ ଅସ୍ମିତାର ପ୍ରଥମ ପ୍ରମାଣ ‘ଶ୍ରୀଜଗନ୍ନାଥ’
ଜିଆଇ ପରାମର୍ଶଦାତା ଏବଂ ‘ରସଗୋଲା ଓଡ଼ିଶାର’ ପ୍ରମାଣ କରିବା ପାଇଁ ସୋସିଆଲ୍ ମିଡିଆରେ ଅଭିଯାନ ଆରମ୍ଭ କରିଥିବା ଅନିତା ସାବତ କହିଛନ୍ତି, ଶ୍ରୀଜଗନ୍ନାଥ ସଂସ୍କୃତି ସହ ରସଗୋଲାର ସମ୍ପର୍କକୁ ଅଧିକ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି। ଯେ ପର୍ଯ୍ୟନ୍ତ ରସଗୋଲା ଓଡ଼ିଶା ସଂସ୍କୃତି ସହ ବହୁ ପୁରାତନ କାଳରୁ ଜଡ଼ିତ ବୋଲି ସମଗ୍ର ବିଶ୍ବବାସୀଙ୍କର ଦ୍ବନ୍ଦ୍ବ ଦୂର ହୋଇନାହିଁ, ସେ ପର୍ଯ୍ୟନ୍ତ ଗବେଷକ, ଲେଖକମାନେ ଏହା ଉପରେ ନିୟମିତ ପ୍ରଚାର କରିବା ଆବଶ୍ୟକ ବୋଲି କହିଛନ୍ତି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ଆମ ଓଡ଼ିଆ ଅସ୍ମିତାର ପ୍ରଥମ ପ୍ରମାଣ ହେଲେ ‘ଶ୍ରୀଜଗନ୍ନାଥ’। ସେ ହିଁ ଆମର ପ୍ରଥମ ଓ ପ୍ରଧାନ ପରିଚୟ। ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଆଣୁଥିବା ରସଗୋଲା କେବଳ ମାନଭଞ୍ଜନର କଥା କହୁନାହିଁ, ବରଂ ଓଡ଼ିଆ ଯୌଥ ପରିବାର ପରମ୍ପରାରେ କେହି ଘରକୁ ଫେରିବା ବେଳେ କିଛି ନା କିଛି ଆଣି ଆସିବାର ମହନୀୟ ସଂସ୍କୃତିର ପ୍ରତିଫଳନ ମଧ୍ୟ। ଅତିଥିଙ୍କୁ ରସଗୋଲା ପରସିବା, କୁଣିଆଘର ଯିବା ବେଳେ ରସଗୋଲା ନେବା, ବ୍ୟବସାୟୀମାନେ ଭଲ ଗୁଣମାନର ରସଗୋଲା ପ୍ରସ୍ତୁତ କଲେ ହିଁ ରସଗୋଲାକୁ ଆମେ ବ୍ରାଣ୍ଡିଂ କରିପାରିବା। ସମଗ୍ର ବିଶ୍ବରେ ରସଗୋଲାକୁ ବ୍ରାଣ୍ଡିଂ କରିବା ପାଇଁ ପ୍ରତ୍ୟେକଙ୍କ ଯୋଗଦାନ ମହତ୍ତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।
‘ସମ୍ବାଦ’ ଓ ’କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ କହିଛନ୍ତି, ରସଗୋଲା ଜଗନ୍ନାଥଙ୍କର। ଜଗନ୍ନାଥ ସମସ୍ତଙ୍କର। ମାତ୍ର ଓଡ଼ିଆ ଭାବେ ଜଗନ୍ନାଥ ଓ ରସଗୋଲା ଉପରେ ଆମର ବେଶି ଅଧିକାର। ରସଗୋଲାକୁ ବ୍ରାଣ୍ଡିଂ କରିବା ଅଭିଯାନରେ ସବୁ ସଚେତନ ଓଡ଼ିଆ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି। ‘ସମ୍ବାଦ’ ଓ ’କନକ ନ୍ୟୁଜ୍’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଦିବସର ଆଭିମୁଖ୍ୟ ସହ ଅତିଥିଙ୍କୁ ସ୍ବାଗତ କରିଥିଲେ। ସ୍ବସ୍ତିକା ଓ ଅବିନାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସୌଜନ୍ୟ ସମ୍ବାଦ