ରାଜ୍ୟ

Rasgola: ଓଡ଼ିଆ ଅସ୍ମିତାର ପ୍ରତୀକ ରସଗୋଲା

ରସଗୋଲା ଆମ ଓଡ଼ିଆ ଅସ୍ମିତାର ପ୍ରତୀକ। ଷୋଡ଼ଶ ଶତାବ୍ଦୀରେ ଦାଣ୍ଡି ରାମାୟଣର ସ୍ରଷ୍ଟା ବଳରାମ ଦାସ ର‌ସଗୋଲା ସମ୍ପର୍କରେ ବ୍ୟାଖ୍ୟା କରି ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲା ପ୍ରଚଳନର ପ୍ରାଚୀନତା ସମ୍ପର୍କରେ ପ୍ରମାଣ ଦେଇଛନ୍ତି।

ପୁରୀ: ରସଗୋଲା ଆମ ଓଡ଼ିଆ ଅସ୍ମିତାର ପ୍ରତୀକ। ଷୋଡ଼ଶ ଶତାବ୍ଦୀରେ ଦାଣ୍ଡି ରାମାୟଣର ସ୍ରଷ୍ଟା ବଳରାମ ଦାସ ର‌ସଗୋଲା ସମ୍ପର୍କରେ ବ୍ୟାଖ୍ୟା କରି ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲା ପ୍ରଚଳନର ପ୍ରାଚୀନତା ସମ୍ପର୍କରେ ପ୍ରମାଣ ଦେଇଛନ୍ତି। ମହାପ୍ରଭୁ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲାକୁ ମାଧ୍ୟମ କରିବା ହିଁ ରସଗୋଲାର ମହନୀୟତାକୁ ପ୍ରତିପାଦିତ କରୁଛି। ରସଗୋଲାର ଉତ୍ପତ୍ତି କ୍ଷେତ୍ର‌ ଯେ ଓଡ଼ିଶା, ଏଥିରେ ଦ୍ବିରୁକ୍ତି ନାହିଁ। ‘ରସଗୋଲା’ ଆମର ବୋଲି କହିଦେଲେ ହେବ ନାହିଁ। ଏହାକୁ ସମଗ୍ର ବିଶ୍ବବାସୀଙ୍କ ପାଖରେ ‘ଶ୍ରୀଜଗନ୍ନାଥଙ୍କ ରସଗୋଲା’ ପରିଚୟରେ ପହଞ୍ଚାଇବା ସହ ଏହାର ପ୍ରାଚୀନତା ସମ୍ପର୍କରେ ଜଣାଇବାକୁ ପଡ଼ିବ। ଏଥିପାଇଁ ପ୍ରତ୍ୟେକ ନିଜ ସ୍ତରରେ ଉଦ୍ୟମ କରିବାକୁ ଆହ୍ବାନ ଦେଇଛନ୍ତି ଗବେଷକ, ଲେଖକ ଓ ସାଂସ୍କୃତିକ ସଂଗଠକ। ‘ସମ୍ବାଦ’, ‘କନକ ନ୍ୟୁଜ’ ଓ ‘ରେଡ଼ିଓ ଚକଲେଟ୍‌’ ପକ୍ଷରୁ ପୁରୀ ସେବା ସମିତି ପରିସରରେ ଆୟୋଜିତ ‘ରସଗୋଲା ଦିବସ’ରେ ଏହି ମତ ପ୍ରକାଶ ପାଇଛି।

ନିମନ୍ତ୍ରିତ ଗବେଷକ, ଲେଖକ, ସେବକମାନେ କହିଛନ୍ତି, ବଙ୍ଗଳାବାସୀ ରସଗୋଲାକୁ ନିଜର ବୋଲି ଦାବି କରୁଥିଲେ ହେଁ ସେମାନେ ଉନବିଂଶ ଶତାବ୍ଦୀର ତଥ୍ୟ ଆଧାରରେ ଏକଥାକୁ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ବଳରାମ ଦାସ ଦାଣ୍ଡି ରାମାୟଣରେ ଷୋଡ଼ଶ ଶତାବ୍ଦୀରୁ ହିଁ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିସାରିଛନ୍ତି। ଏହି ବାର୍ତ୍ତା ସମଗ୍ର ବିଶ୍ବକୁ ପରିବ୍ୟାପ୍ତ ହେବା ଆବଶ୍ୟକ ବୋଲି ଅତିଥିମାନେ କହିଛନ୍ତି। ଶହଶହ ବର୍ଷ ଧରି ଶ୍ରୀମନ୍ଦିର ଭୋଗ ପରମ୍ପରାରେ ରସଗୋଲା ଭୋଗ ନୀଳାଦ୍ରି ବିଜେ ଦିନ ହେବାର ପରମ୍ପରା ପ୍ରଚଳିତ। ଏପରିକି ନିମ୍ବାର୍କ, ରାମାନନ୍ଦୀ, ରାମାନୁଜ, ଅତିବଡ଼ୀ ଭଳି ବିଭିନ୍ନ ସମ୍ପ୍ରଦାୟ ମଧ୍ୟ ରଥାରୂଢ଼ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୀଳାଦ୍ରି ବିଜେ ଦିନ ରସଗୋଲା ଭୋଗ ଅର୍ପଣ କରିଆସୁଛନ୍ତି। ଅତିଥିଙ୍କ ମତାନୁଯାୟୀ, ଜିଆଇ ଟ୍ୟାଗ ପାଇଗଲା ବୋଲି ଏତିକିରେ ଆମେ ଉତ୍ସାହିତ ହୋଇ ବସିଗଲେ ହେବ ନାହିଁ। ବରଂ ସମଗ୍ର ବିଶ୍ବରେ ଏହା ପଛରେ ଥିବା ସଂସ୍କୃତି ଓ ପ୍ରାଚୀନତାକୁ ବ୍ୟାପକ ପ୍ରଚାର କରିବାକୁ ପଡ଼ିବ। ମହାପ୍ରଭୁ ଏହି ମିଠା ମହାଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଦେଉଥିବା ବେଳେ ଖାଲି ଏକ ନୈବେଦ୍ୟ ରୂପରେ ଦେଉନାହାନ୍ତି, ବରଂ ପ୍ରେମ, ସଂପ୍ରୀତି ଓ ସଦ୍‌ଭାବନାର ଉଦ୍ରେକ ପାଇଁ ଏହାକୁ ପ୍ରଦାନ କରାଯାଉଥିବାର ଗାଥା ପହଞ୍ଚାଇବାକୁ ପଡ଼ିବ। ବିଦେଶରେ ରହୁଥିବା ଓଡ଼ିଆମାନେ ଏହି ଦିନ ବିଦେଶରେ ରସଗୋଲା ବାଣ୍ଟି ଏହା ପଛର ମହନୀୟତାକୁ ସେମାନଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିବାକୁ ଆହ୍ବାନ ଦେଇଛନ୍ତି। ଅଦିନିଆ ରଥଯାତ୍ରାକୁ ବିରୋଧ କରି ଯେପରି ବିଦେଶରେ ରହୁଥିବା ଓଡ଼ିଓ ଓ ଭାରତୀୟ ଜଗନ୍ନାଥପ୍ରେମୀ ସେମାନଙ୍କର ସମର୍ଥନ ଦେଖାଇ‌ଲେ, ବିଦେଶରେ ମଧ୍ୟ ‘ଶ୍ରୀଜଗନ୍ନାଥଙ୍କ ରସଗୋଲା’ର ବ୍ରାଣ୍ଡିଂ କରି, ଦିବସ ପାଳନ କରି ଏହାର ପ୍ରଚାର ପ୍ରସାର କରନ୍ତୁ ବୋଲି ଅତିଥିମାନେ କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button