କଟକ: ଧାରୁଆ ଅସ୍ତ୍ରରେ ଜଣେ ମହିଳାଙ୍କ ମୁଣ୍ଡକୁ ହାଣିବା ଓ ଅନ୍ୟ କେତେକ ବ୍ୟକ୍ତିଙ୍କୁ ଆକ୍ରମଣ କରାଯିବା ଘଟଣାକୁ ନେଇ ପିପିଲି ଥାନାରେ ୨୦୨୬, ଫେବ୍ରୁଆରି ୨୬ରେ ରୁଜୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ ନିରପେକ୍ଷ ନଥିଲା ବୋଲି ହାଇକୋର୍ଟ ମତ ଦେଇଛନ୍ତି। କୌଣସି ଯୁକ୍ତିଯୁକ୍ତ କାରଣ ନଥାଇ ପିପିଲି ଥାନାର ତଦନ୍ତକାରୀ ଅଧିକାରୀ ତଥା ଏସଆଇ ଚିତ୍ତରଞ୍ଜନ ଦାଶ ଜଣେ ମହିଳା ଅଭିଯୁକ୍ତଙ୍କୁ ମାମଲାରୁ ବାଦ ଦେବାକୁ ଉଦ୍ୟମ କରିଥିଲେ ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା।
ଘଟଣାର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ
ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ଇନଜୁରି ରିପୋର୍ଟ (ଆଘାତ ରିପୋର୍ଟ) ତଦନ୍ତକାରୀ ଅଧିକାରୀ ଯାଞ୍ଚ ବା ସଂଗ୍ରହ କରି ନଥିଲେ। ଚାର୍ଜସିଟ ଦାଖଲ ପୂର୍ବରୁ ଘଟଣାରେ ଗୁରୁତର ଆହତ ସୁକାନ୍ତୀ ବିଶ୍ବାଳଙ୍କୁ ପଚରାଉଚୁରା କରି ନଥିଲେ। ତେଣୁ ଏହି ମାମଲାରେ ତଦନ୍ତ ନା ନିରପେକ୍ଷ, ନା ପକ୍ଷପାତିତାହୀନ। ଜନସାଧାରଣ ଯେପରି ପୁଲିସ ଉପରୁ ଯେପରି ଭରଷା ନ ହରାନ୍ତି ଓ ତଦନ୍ତ ଯେପରି ପକ୍ଷପାତିତାରୁ ମୁକ୍ତ ତଥା ଉପଯୁକ୍ତ ହେବ ତାହା ସୁନିଶ୍ଚିତ କରିବାକୁ ପିପିଲି ଥାନା ମାମଲା ନମ୍ବର ୧୩୧/୨୦୨୬ର ତଦନ୍ତ ରାଜ୍ୟ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯିବା ଉଚିତ। କ୍ରାଇମବ୍ରାଞ୍ଚ ସିଆଇଡି ଘଟଣାର ତଦନ୍ତ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ଭିତିରେ ପିପିଲି ଥାନା ମାମଲାର କେସ ଡାଏରି ଓ ସଂପର୍କିତ ରେକର୍ଡ କଟକ କ୍ରାଇମବ୍ରାଞ୍ଚ ଏସପିଙ୍କୁ ହସ୍ତାନ୍ତର କରାଯିବ ବୋଲି ହାଇକୋର୍ଟ କହିଛନ୍ତି।
ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବାସନ୍ତୀ ବିଶ୍ବାଳଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ମାମଲାର ବିବରଣୀରୁ ପ୍ରକାଶ ଯେ ପିପିଲି ଥାନା ଅନ୍ତର୍ଗତ ଅଞ୍ଚଳରେ ୨୦୨୬, ଫେବ୍ରୁଆରି ୨୬ରେ ଜଗନ୍ନାଥ ବିଶ୍ବାଳ, ସୁକାନ୍ତୀ ବିଶ୍ବାଳ, ବିଷ୍ଣୁ ବିଶ୍ବାଳ ଓ ମହେଶ୍ବର ବିଶ୍ବାଳଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ସୁକାନ୍ତୀଙ୍କ ମୁଣ୍ଡକୁ ଜଣେ ମହିଳା ଅଭିଯୁକ୍ତ ପନିକି ଦ୍ବାରା ଆକ୍ରମଣ କରିଥିବା ଏତଲାରେ ଦର୍ଶାଯାଇଥିଲା। ଏଥି ସହିତ ସେହି ପନିକି ଦ୍ବାରା ଅନ୍ୟ ଜଣେ ଅଭିଯୁକ୍ତ ଅନ୍ୟ ଦୁଇ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ। ପିପିଲି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ସୁକାନ୍ତୀଙ୍କୁ ପିପିଲି ସିଏଚସିରୁ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ଭେଣ୍ଟିଲେଟରରେ ରହି ସୁସ୍ଥ ହୋଇ ସୁକାନ୍ତି ଏପ୍ରିଲ ୮ରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ ମଧ୍ୟ ତାଙ୍କୁ ପୁଲିସ ଆଉ ପଚରାଉଚୁରା କରି ନଥିଲା। ମେ ୨୭ରେ ପିପିଲି ପୁଲିସ ବିଏନଏସର ଧାରା ୧୨୬(୨), ୧୧୫(୨), ୧୧୮(୧), ୧୦୯(୧), ୧୧୭(୨), ୩୫୧(୩), ୩(୫)ରେ ପ୍ରକାଶ ସ୍ବାଇଁ ଓ ସନ୍ତୋଷ ସ୍ବାଇଁଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ଅନ୍ୟପକ୍ଷରେ ଏତଲା ଓ ପୀଡ଼ିତଙ୍କ ବୟାନରେ ଉଲ୍ଲେଖ ଥିବା ମହିଳା ଅଭିଯୁକ୍ତଙ୍କୁ ପୁଲିସ ପରୋକ୍ଷରେ ସୁରକ୍ଷା ଦେଉଛି ଓ ଠିକ ଭାବେ ତଦନ୍ତ କରୁ ନାହିଁ ବୋଲି ଆବେଦନକାରୀ କରିଥିବା ଅଭିଯୋଗରେ ସତ୍ୟତା ରହିଛି ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା।
ସୌଜନ୍ୟ ସମ୍ବାଦ