Sikandar Alam: ୮୭ତମ ସିକନ୍ଦର ଆଲାମ୍ ଜୟନ୍ତୀ: ‘ସିକନ୍ଦର ଆଲାମ୍ ଓଡ଼ିଆ ଜାତିର ଅସ୍ମିତା ପୁରୁଷ’
ମହମ୍ମଦ ସିକନ୍ଦର ଆଲାମ୍ ଯେତେବେଳେ ଶ୍ରୀଜଗନ୍ନାଥଙ୍କ ଭଜନ ଗାଆନ୍ତି, କେହି ତାଙ୍କ ସମ୍ପ୍ରଦାୟର କଥା ଭାବିପାରନ୍ତି ନାହିଁ। କାରଣ ତାଙ୍କ କଣ୍ଠର ଯାଦୁକରୀ ଶକ୍ତି ଶ୍ରୋତାଙ୍କୁ ଭାବରେ ଭିଜାଇ ଦେଉଥିଲା।

ଭୁବନେଶ୍ବର: ମହମ୍ମଦ ସିକନ୍ଦର ଆଲାମ୍ ଯେତେବେଳେ ଶ୍ରୀଜଗନ୍ନାଥଙ୍କ ଭଜନ ଗାଆନ୍ତି, କେହି ତାଙ୍କ ସମ୍ପ୍ରଦାୟର କଥା ଭାବିପାରନ୍ତି ନାହିଁ। କାରଣ ତାଙ୍କ କଣ୍ଠର ଯାଦୁକରୀ ଶକ୍ତି ଶ୍ରୋତାଙ୍କୁ ଭାବରେ ଭିଜାଇ ଦେଉଥିଲା। ସଙ୍ଗୀତ ପ୍ରତି ତାଙ୍କ ସମର୍ପଣ ଭାବ ତାଙ୍କୁ ଏମିତି ଏକ ସ୍ତରରେ ପହଞ୍ଚାଇଥିଲା ଯେଉଁଠି କେବଳ ସଙ୍ଗୀତ ହିଁ ସଙ୍ଗୀତ ହିଁ ଥିଲା, ନଥିଲା କୌଣସି ପ୍ରକାର ଭେଦଭାବର କଥା। ଓଡ଼ିଆ ସଙ୍ଗୀତର ଜଗତର ସେ ଥିଲେ ଅସଲ ସିକନ୍ଦର। ଆମ ଓଡ଼ିଆ ଜାତିର ଅସ୍ମିତା ପୁରୁଷ। ଆଜି ରବୀନ୍ଦ୍ରମଣ୍ଡପରେ ଆୟୋଜିତ ୮୭ତମ ସିକନ୍ଦର ଆଲାମ୍ ଜୟନ୍ତୀ ଅବସରରେ ଅତିଥିମାନେ ଏଭଳି କହିଛନ୍ତି। ଏହି ଅବସରରେ ଶାସ୍ତ୍ରୀୟ ସଙ୍ଗୀତଶିଳ୍ପୀ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କୁ ‘ସିକନ୍ଦର ଆଲାମ୍ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିପାଇଁ ତାଙ୍କୁ ମାନପତ୍ର, ଉପଢୌକନ ଓ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଅନୁରୂପ ଭାବେ ପ୍ରଖ୍ୟାତ ବୀଣାବାଦକ କେ. ରାମାରାଓ ପାତ୍ରଙ୍କୁ ‘ସିକନ୍ଦର ଆଲାମ୍ ବାଦ୍ୟରତ୍ନ ସମ୍ମାନ’ ବାବଦରେ ମାନପତ୍ର, ଉପଢୌକନ ଓ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।
ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କୁ ‘ସିକନ୍ଦର ଆଲାମ୍ ସ୍ମୃତି ସମ୍ମାନ’
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଏକାମ୍ର ବିଧାୟକ ବାବୁ ସିଂ କହିଲେ ଯେ ଓଡ଼ିଆ ଜାତି ପାଇଁ ଯେଉଁ ବରପୁତ୍ରମାନେ ଅବଦାନ ରଖିଯାଇଛନ୍ତି, ସେମାନଙ୍କୁ ଉତ୍ତରପିଢ଼ି ସ୍ମରଣ କରିବା ଜରୁରି। ମୁଖ୍ୟବକ୍ତା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ଓଡ଼ିଆମାନେ ସାମ୍ପ୍ରଦାୟିକ ସଦ୍ଭାବନାରେ ବିଶ୍ବାସ କରନ୍ତି। ସିକନ୍ଦର ଆଲାମ୍ଙ୍କ ଭଳି ଅସ୍ମିତା ପୁରୁଷ ଓଡ଼ିଆ ଜାତିର ସାମ୍ପ୍ରଦାୟିକ ସଦ୍ଭାବ ପରମ୍ପରାର ଜ୍ବଳନ୍ତ ଉଦାହରଣ ହୋଇ ରହିଛନ୍ତି। ସମ୍ମାନିତ ଅତିଥି ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟ କହିଲେ ଯେ ସଙ୍ଗୀତର ଯାଦୁକର ସିକନ୍ଦର ଆଲମ୍ଙ୍କ କଣ୍ଠରୁ ଭଜନ ଶୁଣିବା ବେଳେ ଈଶ୍ବରଙ୍କ ଉପସ୍ଥିତି ବା ସାନ୍ନିଧ୍ୟ ମିଳିବା ଭଳି ମନେହୁଏ। ସମ୍ମାନିତ ଅତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପୂର୍ବତନ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଲେ ଯେ ସର୍ବଧର୍ମ ସମନ୍ବୟର ପ୍ରତୀକ ସିକନ୍ଦର ଆଲାମ୍ଙ୍କ ଭଜନ ଯେତିକି ଭାବ ବିହ୍ବଳିତ କରେ, ତାଙ୍କ ରୋମାଣ୍ଟିକ୍ ସଙ୍ଗୀତ ଶ୍ରୋତାମାନଙ୍କୁ ସେତିକି ଆମୋଦିତ କରେ।
ସୌଜନ୍ୟ ସମ୍ବାଦ




