ରାଜ୍ୟ

‘ଆମେ କଟକିଆ’ ସମାବେଶରେ ମୃତ ଗଡ଼ଖାଇକୁ ନେଇ କ୍ଷୋଭ: କେବେ ସାକାର ହେବ ୧୦୦‌ କୋଟିର ସ୍ବପ୍ନ?

କଟକର ଅନ୍ୟତମ ପରିଚୟ ହେଉଛି ବାରବାଟୀ ଦୁର୍ଗ ଏବଂ ତା’ ଚାରିପଟେ ରହିଥିବା ଐତିହାସିକ ଗଡ଼ଖାଇ। ବାରବାଟୀ ଦୁର୍ଗ ଓ ଗଡ଼ଖାଇର ପୁନରୁଦ୍ଧାର ପାଇଁ ୧୯୮୯ ମସିହାରୁ ପ୍ରୟାସ ହୋଇ ଆସିଛି। କିନ୍ତୁ ୩୭ ବର୍ଷ ପରେ ବି ସବୁ ପ୍ରୟାସ ନିଷ୍ଫଳ ହୋଇଛି।

କଟକ: କଟକର ଅନ୍ୟତମ ପରିଚୟ ହେଉଛି ବାରବାଟୀ ଦୁର୍ଗ ଏବଂ ତା’ ଚାରିପଟେ ରହିଥିବା ଐତିହାସିକ ଗଡ଼ଖାଇ। ବାରବାଟୀ ଦୁର୍ଗ ଓ ଗଡ଼ଖାଇର ପୁନରୁଦ୍ଧାର ପାଇଁ ୧୯୮୯ ମସିହାରୁ ପ୍ରୟାସ ହୋଇ ଆସିଛି। କିନ୍ତୁ ୩୭ ବର୍ଷ ପରେ ବି ସବୁ ପ୍ରୟାସ ନିଷ୍ଫଳ ହୋଇଛି। ସମ୍ବାଦ-କନକ ନ୍ୟୁଜ୍‌ ପକ୍ଷରୁ ‘ଆମେ କଟକିଆ-ଆମେ କହିବୁ କଟକ କଥା’ ସମାବେଶରେ କଟକର ବୁଦ୍ଧିଜୀବୀ, ସଚେତନ ନାଗରିକମାନେ ଏ ପ୍ରସଙ୍ଗରେ ଏକାଠି ହୋଇ ସ୍ବର ଉତ୍ତୋଳନ କରିଛନ୍ତି। ଗଡ଼ଖାଇର ପୁନରୁଦ୍ଧାର କେବଳ କଟକର ଇତିହାସ ଓ ଗୌରବର କଥା କହିବ ନାହିଁ, ବରଂ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ଭାବେ କଟକ ସହରବାସୀଙ୍କ ପାଇଁ ରୋଜଗାରର ବାଟ ଫିଟାଇବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। କିନ୍ତୁ ଏତେ ବର୍ଷ ପରେ ବି ପ୍ରୟାସ ସଫଳ ହୋଇପାରୁ ନଥିବାରୁ ବିଶିଷ୍ଟ ଅଭିନେତା ସତ୍ୟବ୍ରତ ତ୍ରିପାଠୀ (କୁନା) କ୍ଷୋଭର ସହ କହିଛନ୍ତି ଯେ ଗଡ଼ଖାଇ ସଫେଇ ଦାୟିତ୍ବ କଟକିଆଙ୍କ ହାତକୁ ଦେଇ ଦିଆଯାଉ।

ସେମାନେ ମିଳିମିଶି ଦଳ ସଫା କରି ଦେ‌ଖେଇ ଦେବେ। ତଥ୍ୟ ଅନୁଯାୟୀ କଟକ ସହରର ହଜାରେ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ବିଶିଷ୍ଟ ସମାଜସେବୀ ଗିରିଜାଭୂଷଣ ପଟ୍ଟନାୟକ, ଜଷ୍ଟିସ୍‌ ହରିହର ମହାପାତ୍ରଙ୍କ ଭଳି ବ୍ୟକ୍ତିବିଶେଷଙ୍କ ପ୍ରୟାସରେ ୧୯୮୯ ଡିସେମ୍ବର ୧ ତାରିଖରେ ଏଏସ୍‌ଆଇ ପକ୍ଷରୁ ବାରବାଟୀ ଦୁର୍ଗ ଖନନ ଆରମ୍ଭ ହୋଇଥିଲା। ସେହି ଖନନରୁ ଯାହା ମିଳିଥିଲା, ତାହା ଏବେ ସେଠାରେ ରହିଛି ସତ କିନ୍ତୁ ତାହାକୁ ଆଉ ଅଧିକ ଆକର୍ଷଣୀୟ କରାଯାଇ ପାରିନାହିଁ। ଅଧାରେ କାମକୁ ଛାଡ଼ି ଦିଆଯାଇଛି। ଏ ସଂପର୍କରେ ୟୁନିଭର୍ସର ସଂପାଦକ ବ୍ୟାପ୍ତି ପଟ୍ଟନାୟକ କହିଛନ୍ତି ଯେ ଅଧାରେ ରହି ଯାଇଥିବା କାମକୁ ଆଗେଇ ନେବା ପାଇଁ ବିଭିନ୍ନ ସମୟରେ ଦାବି ରଖାଯାଇଛି। ଏଏସ୍‌ଆଇର ମହାନିର୍ଦ୍ଦେଶକ ୱାଇ.ଏସ୍‌. ରାୱତଙ୍କୁ ପତ୍ର ଲେଖି ଗଡ଼ଖାଇର ପୁନରୁଦ୍ଧାର ଓ ବାରବାଟୀ ଦୁର୍ଗର ବିକାଶ ପାଇଁ ଅନୁରୋଧ କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଏଏସ୍‌ଆଇ ପକ୍ଷରୁ କୌଣସି ସକାରାତ୍ମକ ପ୍ରତିକ୍ରିୟା ମିଳି ପାରି ନାହିଁ।

୧୯୮୯ରୁ ବାରମ୍ବାର ପ୍ରୟାସ ପରେ ବି ସଫଳ ହେଉନି
ଏଏସ୍‌ଆଇ ଡିଜିଙ୍କ ସହ ଆଲୋଚନା ଯୋଜନା

ତଥ୍ୟ ଅନୁଯାୟୀ ପ୍ରଥମେ ୨୦୧୭ରେ ପୌର ନିଗମ ପକ୍ଷରୁ ଗଡ଼ଖାଇର ପୁନରୁଦ୍ଧାର ପାଇଁ ୧୭ କୋଟି ୩୬ ଲକ୍ଷ ଟଙ୍କା ପାଣ୍ଠି ଦିଆଯାଇଥିଲା। କିନ୍ତୁ ଏଏସ୍‌ଆଇ ଓ ପୌର ନିଗମ ମଧ୍ୟରେ ସମନ୍ବୟ ଅଭାବରୁ ସେହି ପାଣ୍ଠି ବିନିଯୋଗର ସ୍ଥିତି ଅଜଣା ହୋଇରହିଛି। ପରେ ୨୦୨୨ରେ ଗଡ଼ଖାଇରୁ ଦଳ ସଫେଇ ପାଇଁ ୩ କୋଟି ୬୦ ଲକ୍ଷ ଟଙ୍କା ପୌର ନିଗମ ‌ଦେବା ସହିତ ଏହାର କାର୍ଯ୍ୟ ଆରମ୍ଭ ହେଲା। ମେୟର ସୁବାସ ସିଂହଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ କିନ୍ତୁ କିଛି ଅଂଶ ଦଳ ସଫେଇ ଓ ପାଚେରି ନିର୍ମାଣ ପରେ ଅଟକି ଗଲା। ଦଳ ଭର୍ତ୍ତି ଗଡ଼ଖାଇକୁ ଆଧୁନିକ ରୂପ ଦେବା ପାଇଁ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ ବିଧାନସଭାରେ ଦାବି ଉଠାଇଛନ୍ତି। ପର୍ଯ୍ୟଟନ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ତାହା ଏଯାଏଁ କୌଣସି ଚୂଡ଼ାନ୍ତ ରୂପ ନେଇପାରି ନାହିଁ। ସୋଫିଆ କହିବା ଅନୁଯାୟୀ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗଡ଼ଖାଇ ଓ ସଂପୂର୍ଣ୍ଣ ବାରବାଟୀ କିଲ୍ଲାକୁ ଆକର୍ଷଣୀୟ କରିବା ପାଇଁ ୧୦୦ କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ ହୋଇଛି। ଆସନ୍ତାକାଲି ନୂଆଦିଲ୍ଲୀରେ ଏଏସ୍‌ଆଇ ମହାନିର୍ଦ୍ଦେଶକଙ୍କ ସହିତ ଏ ପ୍ରସଙ୍ଗରେ ଆଲୋଚନା‌ ହେବାର ଅଛି। ଗଡ଼ଖାଇ, ସତ୍ୟବ୍ରତ ଷ୍ଟାଡିୟମ, କିଲ୍ଲା, କଟକ କ୍ଲବ୍‌ର ବିକାଶ ଏହି ଯୋଜନାରେ ରହିଛି। ଯଦି ଏଏସ୍‌ଆଇ ଅନୁକୂଳ ମନୋଭାବ ପୋଷଣ କରେ ତେବେ ହୁଏତ କଟକିଆଙ୍କ ଦାବି ବାସ୍ତବ ରୂପ ନେବ ବୋଲି ସୋଫିଆ କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button