Flood Crisis: ଆନନ୍ଦପୁର ଏବଂ ଆଖୁଆପଦାରେ ବିପଦ ସଙ୍କେତଠାରୁ ଢେର ଉପରେ ବୈତରଣୀ, ରାଜଘାଟରେ ଉଚ୍ଛୁଳିଲା ସୁବର୍ଣ୍ଣରେଖା

ଭୁବନେଶ୍ବର, ୨୯/୦୭ (ଡିଜିଟାଲ୍ ଡେସ୍କ): ଚିନ୍ତା ବଢ଼ାଉଛି ବୈତରଣୀ ବନ୍ୟା। ଆନନ୍ଦପୁର ଏବଂ ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀ । ଆନନ୍ଦପୁରରେ ବୈତରଣୀର ବିପଦ ସଙ୍କେତ ୩୮.୩୬ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୩୯.୪୮ ମିଟର ରହିଛି। ସେହିପରି ଆଖୁଆପଦାରେ ବିପଦ ସଂକେତ ୧୮.୩୩ ମିଟର ରହିଥିବାବେଳେ ଜଳସ୍ତର ୨୦.୩୫ ମିଟର ରହିଛି । ସେଠାରେ ଜଲସ୍ତର କ୍ରମଶଃ ବଢ଼ିବାରେ ଲାଗିଛି। ସେହିପରି ସୁବର୍ଣ୍ଣରେଖା ରାଜଘାଟରେ ୧୦.୩୬ ମିଟର ବିପଦ ସଂକେତ ରହିଥିବାବେଳେ ଏବେ ଜଳସ୍ତର ୭.୦୨ ମିଟର ରହିଛି । ଏଠାରେ ଜଳସ୍ତର ଉପରମୁହାଁ ରହିଛି, କ୍ରମଶଃ ଏଠାରେ ମଧ୍ୟ ଜଳସ୍ତର ବଢୁଛି।
ଦଶରଥପୁର:
ଯାଜପୁର ଦଶରଥପୁରରେ ବନ୍ୟା ଆଣିଛି ବୈତରଣୀ। ରାସ୍ତାରେ ଚାଲୁଛି ପାଣି। ଜଳବନ୍ଦୀ ଅବସ୍ଥାରେ ଅଛନ୍ତି କାପୁଡ଼ିଆ ସାହି ଓ ମାଝୀ ସାହି ବାସିନ୍ଦା। ଲୋକଙ୍କୁ ପାଣି ଘେରରୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଉଦ୍ୟମ । NDRF ଟିମ୍ ଡଙ୍ଗାରେ ଯାଇ ଲୋକଙ୍କୁ ଉଦ୍ଧାର କରୁଛନ୍ତି ।
କୋରେଇ:
ସେପଟେ କୋରେଇ ବ୍ଲକର ରଣପୁର, ଗୌରପୁର, ମୁକୁନ୍ଦପୁର, ବନ୍ଦାଳ, ମୁଳାପାଳ, ଅମବୃତିଆ ୬ଟି ପଞ୍ଚାୟତର ୧୫ଟି ଗାଁ ଏବେ ପାଣି ଘେରରେ l ପାଖାପାଖି ୪୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି l ପାଣି ଘେରରେ ଥିବା ଲୋକ ମାନଙ୍କ ପାଖକୁ ବୋଟ ପଠା ଯାଇଥିବା କହିଛନ୍ତି କୋରେଇ ବିଡ଼ିଓ। ସେପଟେ ଅନେକ ଅଂଚଳ ରେ ପ୍ରଶାସନ ପହଂଚି ନଥିବା ଅଭିଯୋଗ କରିଛନ୍ତି ବନ୍ୟା ପୀଡିତ ।
ସୌଜନ୍ୟ ପ୍ରମେୟ




