Mosquito: ରାଜଧାନୀରେ ମଶା ଭଣ ଭଣ, ଲାଗୁଛି ବିଏମ୍ସି କରୁଛି ଚାଷ, ନ୍ୟୁଇସେନ୍ସ ମଶା ସାନ୍ଧ୍ରତା ବୃଦ୍ଧି

ଭୁବନେଶ୍ୱର ୩୦/୦୭: ମାଷ୍ଟରକ୍ୟାଣ୍ଟିନ୍ ବସ୍ଷ୍ଟାଣ୍ଡ ଆଗରେ ପାଣି ଜମିଛି । ଗୋଳି ପାଣିରେ ମଶା ଅଣ୍ଡା ଦେଲେଣି । ସନ୍ଧ୍ୟା ହେଲେ ଭଣ ଭଣ ମଶା ଉଡୁଛନ୍ତି । ବସାଇ ଦେଉନାହାନ୍ତି । ୟୁନିଟ୍-୩ ମାଳିସାହିରେ ସମାନ ଅବସ୍ଥା । ବର୍ଷା ପାଣି ନିଷ୍କାସନ ହେଉନି । ୟୁନିଟ୍-୧ ମାର୍କେଟ ଅବସ୍ଥା ନ କହିଲେ ଭଲ । ସାମ୍ନାରେ ପଚାସଢ଼ା ପରିବା ପଡ଼ିଛି । ବର୍ଷା ପାଣି ଜମିବା ପରେ ମଶା ଜନ୍ମ ହେଲେଣି । ପଇଡ଼, ଟାୟାର ଭିତରେ ପାଣି ଜମିଛି । ବିଏମ୍ସି ମଶା ତଡ଼ିବ କ’ଣ, ଲାଗୁଛି ଚାଷ କରୁଛି । ସହରରେ ବର୍ଷା ଆରମ୍ଭରୁ ସ୍ଥିତି ସଙ୍ଗୀନ ଅବସ୍ଥାକୁ ଗଲାଣି । ଚାରି ଆଡ଼େ ମଶା ଉପଦ୍ରବ୍ୟ ବୃଦ୍ଧି ପାଇଛି । ସାନ୍ଧ୍ରତା ୫୫ ପାର ହେଲାଣି । ଏନେଇ ଗତ ସପ୍ତାହେ ହେବ ୩ ଜୋନ୍ରେ ସାନ୍ଧ୍ରତା ମପା ହୋଇଥିଲା । ଏଥିରୁ ମଶା ସଂଖ୍ୟା ପ୍ରବଳ ବଢ଼ିଛି ।
ରାଜଧାନୀ ଭୁବନେଶ୍ୱରରେ ସରକାରୀ ଭାବେ ଡେଙ୍ଗୁ ସଂଖ୍ୟା ଏବେ ୧୩ରେ ରହିଛି । ବେସରକାରୀ ଭାବେ ଏହାର ସଂଖ୍ୟା ୩୦ ପାର ହେଲାଣି । ବିଭିନ୍ନ ଘରୋଇ ହସ୍ପିଟାଲରେ ରୋଗୀ ଚିକତ୍ସିତ ହେଉଛନ୍ତି । ଯଦିଓ ପୂର୍ବ ୨ ବର୍ଷର ଏହି ସମୟ ତୁଳନାରେ ସଂଖ୍ୟା କମ୍ ରହିଛି କିନ୍ତୁ ନ୍ୟୁଇସେନ୍ସ ମଶା ସଂଖ୍ୟା ଢ଼େର ବଢ଼ିଛି । ଘର କବାଟ ଖୋଲିବା ମାତ୍ରେ ପଶି ଯାଉଛନ୍ତି । ପାର୍କରେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛନ୍ତି ।
ଭୁବନେଶ୍ୱର ନଗର ସ୍ୱାସ୍ଥ୍ୟ ଅଧିକାରୀ ଦୀପକ କୁମାର ବିଷୋଇଙ୍କ କହିବା କଥା । ଲଗାଣ ବର୍ଷାରେ ପାଣି ଅସ୍ଥିର ରହୁଛି । ତେଣୁ ସଫା ପାଣିରେ ଡେଙ୍ଗୁ ମଶା ଅଣ୍ଡା ଦେବା ସମ୍ଭବ ନୁହେଁ, ହେଲେ ନୁଇସେନ୍ସ ମଶା ଏବେ କଲବଲ କରୁଛନ୍ତି । ରାଜଧାନୀରେ ଡ୍ରେନ୍ ଭିତରେ ମଶା ଅଣ୍ଡା ଦେଉଛନ୍ତି । ଡ୍ରେନ୍ ଉପରେ ସ୍ଲାବ ପଡୁଥିବାରୁ ସେଠାରେ ବିଏମ୍ସି ପକ୍ଷରୁ ମଶା ତେଳ ସିଞ୍ଚନ କରାଯାଇ ପାରୁନି । ଫଳରେ ମଶା ବଂଶ ବୃଦ୍ଧି ପାଉଛି ।
ବର୍ଷା ଆରମ୍ଭରୁ ରାଜଧାନୀରେ ସଫେଇକୁ ଜୋରଦାର କରିବାକୁ ଅଣ୍ଟା ଭିଡ଼ିଲା । ହେଲେ ଫଳ ଶୂନ । ଏକାଧିକ ୱାର୍ଡରେ ସଫେଇକୁ ଗୁରୁତ୍ୱ ଦିଆଯାଉନି । ଦକ୍ଷିଣ-ପୂର୍ବ ଜୋନ୍ରେ ଏକାଧିକ ଅଞ୍ଚଳରେ ବୁସ୍ କଟିଂ ହୋଇନି । ଦାୟିତ୍ୱ ନେଇଥିବା ସଂସ୍ଥା ପାଖରେ ବୁସ୍ କଟିଂ ମେସିନ୍ ନାହିଁ । ବଣ ଓ ବୁଦଡ୍ଢି ଚାଲିଥିବାରୁ ମଶା ଉପଦ୍ରବ ଯଥେଷ୍ଟ ବଢ଼ିଛି । ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମଶା ପାଇଁ ସଚେତନତା ଚାଲିଛି । ବୁସ କଟିଂ ଏବଂ ତେଲ ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ସରିବା ପରେ ଧୂଆଁ ଦିଆହେବ ।
କୁଆଡ଼େ ଗଲା ମଶା ଧୂଆଁ ଗାଡ଼ି?
ରାଜଧାନୀରେ ମଶା ସଂଖ୍ୟା ବୃଦ୍ଧି ପାଉଛି । ହେଲେ ବିଏମ୍ସି ପକ୍ଷରୁ ଏ ପର୍ଯ୍ୟନ୍ତ ୱାର୍ଡରେ ମଶା ଧୂଆଁ ଗାଡ଼ି ବୁଲି ପାରିଲା ନାହିଁ । ଧୂଆଁ ଗାଡି ନ ବୁଲୁ ଥିବାରୁ ସ୍ଥିତି ଆସ୍ତେ ଆସ୍ତେ ଜଟିଳ ହୋଇପଡ଼ିଲାଣି । ବିଏମ୍ସି ପକ୍ଷରୁ ମୋଟ୍ ୧୫ଟି ବଡ଼ ଗାଡି ଏବଂ ୧୬ଟି ହ୍ୟାଣ୍ଡ ଟିଫା ମେସିନ ରହିଛି । ୬୭ ୱାର୍ଡ ରହିଛି । ଏହି ସବୁ ଗାଡ଼ି ସଖ୍ୟାକୁ ଦେଖିଲେ ସମୁଦ୍ରକୁ ଶଙ୍ଖେ । ସେଥିରୁ ଭିଆଇପିଙ୍କ ସେବାରେ ୨ ଗାଡ଼ି । ସନ୍ଧ୍ୟା ହେବା କ୍ଷଣି ମନ୍ତ୍ରୀ, ଆଇଏଏସ୍ ଏବଂ ଆଇପିଏସ୍ ବାବୁଙ୍କ କ୍ୱାର୍ଟର୍ସ ଆଖପାଖରେ ଧୂଆଁ ଗାଡ଼ି ବୁଲୁଛି । ଲୋକେ କହୁଛନ୍ତି କମିଶନରଙ୍କ କ୍ୱାର୍ଟର୍ସ ଆଖପାଖରେ ମଶା ଦେଖିବାକୁ ମିଳୁନାହାନ୍ତି । ପୁଣି ବିଧାନସଭା ଆରମ୍ଭ ହେଲେ ସେଥିରୁ ଗୋଟିଏ ଗାଡ଼ି ସେଠାରେ ରହିବ । ହେଲେ ବାକି ୧୨ ମଶା ଧୂଆଁ ଗାଡ଼ି ଓ ହ୍ୟାଣ୍ଡ ଟିଫା ମେସିନ୍କୁ କେହି କେବେ ଦେଖିବାକୁ ପାଉନାହାନ୍ତି । ସାଧାରଣ ଲୋକଙ୍କୁ ମଶାରେ କଲବଲ କରିବାକୁ ଛାଡ଼ି ଦେଇଛି ବିଏମ୍ସି ।
ବାବୁଙ୍କ ବାଡ଼ି ପଛ ଅବଢ଼ା ହାଣ୍ଡିରୁ ମଶାଙ୍କ ଉତ୍ପତି
ଡେଙ୍ଗୁ ମଶା ସଚେତନତା ପାଇଁ ବିଏମ୍ସି ପକ୍ଷରୁ ପ୍ରତ୍ୟେକ ଦିନ ଅଳିଆ ଗାଡ଼ି ବୁହା ଗାଡ଼ିରେ ବାର୍ତ୍ତା ଦିଆଯାଉଛି । ସେହିପରି ବସ୍ତି ବସ୍ତି ବୁଲି ସଚେତନତା କରାଯାଉଛି । ହେଲେ ଅସଲି ମଶା ବଡ଼ ବଡ଼ିଆ ସରକାରୀ ବାବୁଙ୍କ ବାଡ଼ି ପଛରେ । ଅବଢ଼ା ଖାଇ ଘର ପଛରେ ପିଙ୍ଗିଲେ ଅବଢ଼ା ହାଣ୍ଡିକୁ । ଅବଢ଼ା ହାଣିରେ ବର୍ଷା ପାଣି ଜମି ସେଠାରେ ମଶା ଅଣ୍ଡା ଦେଲେଣି । ସର୍ବାଧିକ ଡେଙ୍ଗୁ ମଶାର ଲାର୍ଭା ନେତା, ବିଧାୟକ, ସରକାରୀ ବାବୁଙ୍କ ବାଡ଼ି ପଟୁ ବାହାରୁଛି ବୋଲି ଜଣେ ବିଏମ୍ସି କର୍ମଚାରୀ ଅଭିଯୋଗ କରିଛନ୍ତି ।
ସଫା ହେଲାନି କନ୍ଜରଭେନ୍ସି ଲେନ୍
ରାଜଧାନୀର ବିଭିନ୍ନ କନଜରଭେନ୍ସି ଲେନ୍ ମଶାଙ୍କ ହବ ପାଲଟିଛି । ବିଏମ୍ସି ପକ୍ଷରୁ କନଜରଭେନ୍ସି ଲେନ୍ ସଫା କରାଯାଉନି । ସେଠାରେ ବଣ, ବୁଦା ହୋଇ ମଶା ଅଣ୍ଡା ଦେଉଛନ୍ତି । ୟୁନିଟ୍-୨, ୟୁନିଟ-୧, ୟୁନିଟ୍-୬ ସରକାରୀ କ୍ୱାର୍ଟର୍ସ ମଝିରେ ଥିବା କନଜରଭେନ୍ସି ଲେନ୍ ଅବସ୍ଥା ଏମିତି । ଦାୟିତ୍ୱ ନେଇଥିବା ସଂସ୍ଥା ସଫା ନ କରିବାରୁ ଏପରି ପରିସ୍ଥିତି ଉପୁଜୁଛି।
ସୌଜନ୍ୟ ପ୍ରମେୟ




