Sahara Desert Feeds Amazon Rainforest : ଆମାଜନ୍କୁ ପୋଷଣ ଯୋଗାଉଛି ସାହାରା ମରୁଭୂମି, ପ୍ରତି ବର୍ଷ ଫସଫରସ୍ ମିଶା ୨.୭୭ କୋଟି ଟନ୍ ଧୂଳି ପଠାଉଛି

ନୂଆଦିଲ୍ଲୀ ୩୦/୦୭: ଆଟ୍ଲାଣ୍ଟିକ୍ର ଗୋଟିଏ ପାର୍ଶ୍ୱରେ ରହିଛି ସାହାରା, ପୃଥିବୀର ସର୍ବବୃହତ ଉତ୍ତପ୍ତ ମରୁଭୂମି । ଅପର ପାର୍ଶ୍ୱରେ ଆମାଜନ୍, ପୃଥିବୀର ସର୍ବବୃହତ ଉଷ୍ଣମଣ୍ଡଳୀୟ ହେନ୍ତାଳବନ । ଗୋଟିଏ ମୁକ୍ତ ଖଣିଜପୂର୍ଣ୍ଣ ଭୂଖଣ୍ଡ ଓ କ୍ୱଚିତ୍ ବର୍ଷା ପାଇଁ ପରିଚିତ । ଅନ୍ୟଟିରେ ଏତେ ମାତ୍ରାରେ ବର୍ଷା ହୁଏ ଯେ ପାଣି ନିରନ୍ତର ମାଟିରୁ ଦୁର୍ଲଭ ପଦାର୍ଥସବୁକୁ ଭସାଇନିଏ । ପରସ୍ପରଠୁ ବିପରୀତ ଦୃଶ୍ୟମାନ ହେଉଥିବା ଉଭୟ ଧୂଳିର ଏକ ଗତିଶୀଳ ପରସ୍ତ ଦ୍ୱାରା ଯୋଡ଼ି ହୋଇଛନ୍ତି । ଏହି ସମ୍ପର୍କ ହେଉଛି ବର୍ଷକୁ ୨.୭୭ କୋଟି ଟନ୍ ଧୂଳି । ନାସା ନେତୃତ୍ୱାଧୀନ ଏକ ସାଟେଲାଇଟ୍ ବିଶ୍ଳେଷଣରୁ ଏହା ସାମ୍ନାକୁ ଆସିଛି, ଯାହା ଆମାଜନ୍ ଅବବାହିକାରେ ଜମା ଆଫ୍ରିକୀୟ ଧୂଳିର ପରିମାଣକୁ ଆକଳନ କରିଛି । ଏହି ଧୂଳିରେ ମହଜୁଦ ଫସଫରସ୍ର ମାତ୍ରା ୨୨ ହଜାର ଟନ୍ ଆକଳନ କରାଯାଇଛି । ଏହା ବର୍ଷା ଓ ବନ୍ୟା ଯୋଗୁ ଆମାଜନ୍ ଅବବାହିକାରୁ ବର୍ଷକୁ ଧୋଇଯାଉଥିବା ପରିମାଣର ପାଖାପାଖି ବୋଲି ଗବେଷକମାନେ ଆକଳନ କରିଛନ୍ତି ।
ଗ୍ରହ ସନ୍ତୁଳନକୁ ନେଇ ଏହା ଏକ ଚମତ୍କାର କାହାଣୀ ପ୍ରସ୍ତୁତ କରିଛି । ସାହାରା ବାସ୍ତବରେ ଆମାଜନ୍ର କିଛି ଅଂଶକୁ ଉର୍ବର କରେ, କିନ୍ତୁ ଏହା ଜଙ୍ଗଲର ଏକମାତ୍ର ପୋଷଣ ଉତ୍ସ ନୁହେଁ । ତେଣୁ ୨.୭୭ କୋଟି ଟନ୍ ଧୂଳିକୁ ନିଶ୍ଚିତ ବାର୍ଷିକ ବିତରଣ ଅପେକ୍ଷା ଏକ ପ୍ରଭାବଶାଳୀ ଆକଳନ ରୂପେ ଗ୍ରହଣ କରାଯିବା ଉଚିତ୍ । ନାସାର କ୍ଲାଉଡ୍-ଏରୋସଲ ଲିଡାର ଓ ଇନ୍ଫ୍ରାରେଡ୍ ପାଥ୍ଫାଇଣ୍ଡର ଅବ୍ଜର୍ଭେସନ୍ (କାଲିପ୍ସୋ)ର ତଥ୍ୟରୁ ଏହି ଆକଳନ ସାମ୍ନାକୁ ଆସିଛି । ଏହାର ଲିଡାର ବାୟୁମଣ୍ଡଳକୁ ଆଲୋକର ପଲ୍ସ ପଠାଇଲା ଏବଂ କଣିକାଗୁଡ଼ିକ ସହ ଧକ୍କା ହେବା ପରେ ଯାହା ଫେରିଲା, ତାକୁ ମାପିଲା । ଦୃଶ୍ୟ ସଙ୍କେତ ଗବେଷକଙ୍କୁ ଅନ୍ୟ ଧୂଳିକଣାରୁ ଖଣିଜ ଗୁଣ୍ଡକୁ ପୃଥକ କରିବାରେ ଏବଂ ଏହାର ଗତିଶୀଳ ଭୂଲମ୍ବ ଖଣ୍ଡ ନିର୍ମାଣରେ ସାହାଯ୍ୟ କଲା ।
ସୌଜନ୍ୟ ପ୍ରମେୟ




