ପୁନଶ୍ଚ ପୃଥିବୀ

Environmental Warrior: ପରିବେଶ ଯୋଦ୍ଧା: ଅଚ୍ୟୁତଙ୍କ ସବୁଜ ସ୍ବପ୍ନ

ଧାନକ୍ଷେତରେ ବାପାଙ୍କ ସହ କାମ କରିବା ବେଳେ ଜଣେ ଛୋଟପିଲାର ମନରେ ଜନ୍ମ ନେଇଥିଲା ଗୋଟିଏ ପ୍ରଶ୍ନ- ଆମର ଚାଷ ଜମି କାହିଁକି ଧୀରେ ଧୀରେ ଉଜୁଡ଼ି ଯାଉଛି? ସେହି ପ୍ରଶ୍ନ ହିଁ ପରେ ତାଙ୍କ ଜୀବନର ଲକ୍ଷ୍ୟ ହୋଇଗଲା।

ଧାନକ୍ଷେତରେ ବାପାଙ୍କ ସହ କାମ କରିବା ବେଳେ ଜଣେ ଛୋଟପିଲାର ମନରେ ଜନ୍ମ ନେଇଥିଲା ଗୋଟିଏ ପ୍ରଶ୍ନ- ଆମର ଚାଷ ଜମି କାହିଁକି ଧୀରେ ଧୀରେ ଉଜୁଡ଼ି ଯାଉଛି? ସେହି ପ୍ରଶ୍ନ ହିଁ ପରେ ତାଙ୍କ ଜୀବନର ଲକ୍ଷ୍ୟ ହୋଇଗଲା। ସେହି ଯୁବକ ହେଲେ ବ୍ରହ୍ମପୁରର ଅଚ୍ୟୁତ ନାଏକ। ଚାଷୀ ପରିବାରରେ ବଢ଼ିଥିବା ଅଚ୍ୟୁତ ଆଜି ପରିବେଶ ସୁରକ୍ଷାକୁ ନିଜ ଜୀବନର ମୂଳ ଲକ୍ଷ୍ୟ କରିନେଇଛନ୍ତି। ଅଚ୍ୟୁତ କହନ୍ତି, “ମୁଁ ଛୋଟବେଳୁ ବାପାଙ୍କ ସହ ଚାଷ କାମକୁ ଯାଉଥିଲି। ଧୀରେ ଧୀରେ ଦେଖିଲି ଚାଷର ମହତ୍ତ୍ୱ କମିବାକୁ ଲାଗିଛି। ପରେ ଜାଣିଲି ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ଅବକ୍ଷୟ ଆମ ଚାଷଜମିକୁ ପ୍ରଭାବିତ କରୁଛି। ସେହିଦିନଠାରୁ ପରିବେଶ ପାଇଁ କିଛି କରିବାକୁ ନିଷ୍ପତ୍ତି ନେଲି।”

ଚତୁର୍ଥ ଶ୍ରେଣୀରୁ ଆରମ୍ଭ ହୋଇଥିବା ତାଙ୍କର ଏହି ସବୁଜ ଯାତ୍ରା ବି.ଏଡ୍. ପର୍ଯ୍ୟନ୍ତ ଅବିରତ ଚାଲିଛି। ଏହି ସମୟ ମଧ୍ୟରେ ସେ  ୟୁଥ୍‌ ଫର୍‌ ୱାଟର୍‌, ୟୁନିସେଫ୍, ଏସ୍‌ଏସ୍‌ଏଫ୍, ଏନ୍‌ଏସ୍‌ଏସ୍, ବନ ବିଭାଗ ଏବଂ ବିଭିନ୍ନ ସାମାଜିକ ସଂଗଠନ ସହ ମିଶି ଅନେକ ପରିବେଶମୂଳକ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ଏହି ଅନୁଭବ ତାଙ୍କୁ ଗୋଟିଏ ବଡ଼ ଶିକ୍ଷା ଦେଇଛି। ସେ କହନ୍ତି, “ଲୋକଙ୍କୁ ସଚେତନ କରିବା ସହଜ, କିନ୍ତୁ ସେମାନଙ୍କ ଅଭ୍ୟାସ ବଦଳାଇବା ବହୁତ କଷ୍ଟକର।” ଅଚ୍ୟୁତଙ୍କ ମତରେ ଆଜି ଆମେ ପ୍ରକୃତିକୁ ଭଲପାଇବାର କଥା କହୁଛୁ, କିନ୍ତୁ ଆମର ଦୈନନ୍ଦିନ ଜୀବନରେ ତାହାର ବିପରୀତ କାମ କରୁଛୁ। ଏକକ-ବ୍ୟବହାର ପ୍ଲାଷ୍ଟିକ୍, ପାଣିର ଅପଚୟ, ଅନାବଶ୍ୟକ ବିଦ୍ୟୁତ୍ ବ୍ୟବହାର ଓ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ ଆଜିର ବଡ଼ ସମସ୍ୟା। ସେ ବିଶ୍ୱାସ କରନ୍ତି, ଏହି ସମସ୍ୟା ଆମେ ସୃଷ୍ଟି କରିଛୁ, ତେଣୁ ସମାଧାନ ମଧ୍ୟ ଆମ ହାତରେ ରହିଛି।

ସେ ବୃକ୍ଷରୋପଣ, ସମୁଦ୍ରକୂଳ ସଫା ଅଭିଯାନ, ଅଲିଭ୍ ରିଡ୍‌ଲେ କଇଁଛ ସୁରକ୍ଷା, ହେନ୍ତାଳ ବନ ସଂରକ୍ଷଣ ଓ ବସ୍ତି ଅଞ୍ଚଳର ସ୍ୱଚ୍ଛତା ଅଭିଯାନ ସହ ଆହୁରି ପରିବେଶଭିତ୍ତିକ କାର୍ଯ୍ୟ ସକ୍ରିୟ ଭାବେ କରୁଛନ୍ତି। ପ୍ରତି ଶନିବାର ଓ ରବିବାର ସେ ଗୋପାଳପୁର ସମୁଦ୍ରକୂଳରେ ସ‌େଫଇ ଅଭିଯାନ ଚଳାନ୍ତି। ଏହି ଅଭିଯାନରେ ପର୍ଯ୍ୟଟକ, ସ୍ଥାନୀୟ ଦୋକାନୀ ଓ ଯୁବକମାନଙ୍କୁ ସାମିଲ କରି ସମୁଦ୍ରକୂଳକୁ ସ୍ୱଚ୍ଛ ରଖିବାର ବାର୍ତ୍ତା ଦିଅନ୍ତି।

ଅଚ୍ୟୁତ ଶିକ୍ଷକତାର ତାଲିମ ସମାପ୍ତ କରିଛନ୍ତି।  ତାଲିମ ସମୟରେ, ‌େସ ‘ଡବ୍ଲୁ ଟୁ ଡବ୍ଲୁ’ ନାମକ ଏକ ଇକୋ-ଷ୍ଟାର୍ଟଅପ୍ ପ୍ରୋଜେକ୍ଟ ସୃଷ୍ଟି କରିଥିଲେ, ଯାହା ପ୍ଲାଷ୍ଟିକ୍ ଅଳିଆକୁ ସୁନ୍ଦର ଘର ସାଜସଜ୍ଜା ସାମଗ୍ରୀରେ ପରିଣତ କରିବା ଉପରେ ଗୁରୁତ୍ବ ଦେଇଥିଲା। ଏହି ପ୍ରୋଜେକ୍ଟ କଲେଜସ୍ତରୀୟ ସ୍ୱୀକୃତି ପାଇଥିଲା। ବିଶ୍ୱବିଦ୍ୟାଳୟରେ ପ୍ରତିନିଧିତ୍ୱ ପାଇଁ ମନୋନୀତ ହେଲା। ଭବିଷ୍ୟତରେ ସେ ଜଣେ ଶିକ୍ଷକ ହୋଇ କେବଳ ପାଠ ପଢ଼ାଇବାକୁ ନୁହେଁ, ବରଂ ପିଲାମାନଙ୍କ ମନରେ ପ୍ରକୃତି ପ୍ରତି ଭଲପାଇବା ଓ ଦାୟିତ୍ୱବୋଧ ସୃଷ୍ଟି କରିବାକୁ ଚାହାନ୍ତି।

 

 

ସୌଜନ୍ୟ ସମ୍ବାଦ

 

 

Show More

Leave a Reply

Your email address will not be published. Required fields are marked *

Back to top button