Flood: ବ୍ରାହ୍ମଣୀ ଓ ଖରସ୍ରୋତାର ମଝିରେ ଥିବା ୧୪ ପଞ୍ଚାୟତର ଲୋକେ ଭୋଗୁଛନ୍ତି ଦୁର୍ଦଶା
ବ୍ରାହ୍ମଣୀ ବନ୍ୟାର କରାଳ ଛବି ଶୁକ୍ରବାର ଆସ୍ବସ୍ତି ଦେଇଛି। ମାତ୍ର ବ୍ରାହ୍ମଣୀ ଓ ଖରସ୍ରୋତାର ଶାଖାନଦୀର ମଝିରେ ଥିବା ବରୀ ବ୍ଲକର ୧୪ ପଞ୍ଚାୟତର ସ୍ଥିତି ଆଜି ବି ସଂଗୀନ ରହିଛି। ଗତ ଗୁରୁବାର ଦିନ ବ୍ରାହ୍ମଣୀ ନଦୀର ବାମ ଓ ଦକ୍ଷିଣ ପାର୍ଶ୍ବରେ ସୃଷ୍ଟି ହୋଇଛି ୪ଗୋଟି ଘାଇ।

ବରୀ(ସଂଜୟ କୁମାର ବେହେରା):ବ୍ରାହ୍ମଣୀ ବନ୍ୟାର କରାଳ ଛବି ଶୁକ୍ରବାର ଆଶ୍ବସ୍ତି ଦେଇଛି। ମାତ୍ର ବ୍ରାହ୍ମଣୀ ଓ ଖରସ୍ରୋତାର ଶାଖାନଦୀର ମଝିରେ ଥିବା ବରୀ ବ୍ଲକର ୧୪ ପଞ୍ଚାୟତର ସ୍ଥିତି ଆଜି ବି ସଂଗୀନ ରହିଛି। ଗତ ଗୁରୁବାର ଦିନ ବ୍ରାହ୍ମଣୀ ନଦୀର ବାମ ଓ ଦକ୍ଷିଣ ପାର୍ଶ୍ବରେ ସୃଷ୍ଟି ହୋଇଥିବା ୪ଗୋଟି ଘାଇରୁ ୩ଟିରେ ଏବେ ନଦୀରେ ଜଳ ପ୍ରବାହିତ ହେଉଛି। ମାତ୍ର ବାଙ୍କସାହି ଘାଇରେ ଏବେବି କିଛି ପରିମାଣ ବନ୍ୟା ପାଣି ହେଉଛି।
ଅପରପକ୍ଷରେ ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ବ ଘାଇରୁ ପଶିଆସିଥିବା ବନ୍ୟାପାଣି କିମ୍ଭିରିପାଳ, ଭଅଁରା, ରଂପା, ଅଟିରାର ଆଂଶିକ, ବରୀ, ବାଲିବିଲି, ଅଲିପୁର, ଅନ୍ୟାସୀପୁର, କାଇପଡା, ଅରଙ୍ଗାବଦ, ଉଦୟନାଥପୁର ପଞ୍ଚାୟତକୁ ବନ୍ୟାଘେରରେ ରଖିଥିଲା ବେଳେ ଖରସ୍ରୋତା ନଦୀର ବନ୍ୟା ବୋଦୁଅ, ରତଳାଙ୍ଗ, ଅଙ୍ଗାଳୋ, ମଧୁସୁଦନପୁର ପଞ୍ଚାୟତକୁ ବନ୍ୟାଘେରରେ ରଖିଛି। ଖରତ୍ସୋତାର ଶାଖାନଦୀ ଗୁଡ଼ିକ ଏବେବି କୂଳଲଂଘି ରହିଥିବାରୁ ବନ୍ୟାପାଣି ଏହି ସବୁ ପଞ୍ଚାୟତରୁ ନିଷ୍କାସନ ହୋପାରୁ ନାହିଁ। ଫଳରେ ଏବେବି ଅନେକ ଗ୍ରାମ୍ୟରାସ୍ତା ବୁଡ଼ି ରହିଥିଲା ବେଳେ ବରୀ କଳାମାଟିଆ ରାସ୍ତାଉପରେ ଅନେକ ସ୍ଥାନରେ ପ୍ରଖର ବନ୍ୟାଜଳ ଚାଲିଛି।
ମୂଖ୍ୟରାସ୍ତାରେ ଚଳାଚଳ ବନ୍ଦ
ବରୀ କଳାମାଟିଆ ମୁଖ୍ୟରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଅନେକ ଘର ଏବେ ବନ୍ୟାଘେରରେ ରହିଥିଲା ବେଳେ କିମ୍ଭରିଆପାଳ ପଞ୍ଚାୟତର ମାଳଦା ନିକଟରେ ଥିବା ଏକ ୨୦/୨୫ଘରର ବସ୍ତିଟି ସ୍ଥାନାନ୍ତର ହୋଇ କଲ୍ୟାଣମଣ୍ଡପର ଉପର ମହଲାରେ ଆଶ୍ରୟନେଇଛନ୍ତି। ଗତକାଲି ସେମାନଙ୍କୁ ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା ବେଳେ ଆଜି ଓଡ୍ରାପ ଟିମ୍ ସକାଳେ ଖାଦ୍ୟା ନେଇ ପହଞ୍ଚାଇଛନ୍ତି। ଭଅଁରା ପଞ୍ଚାୟତର ପଣସପଡା ଦଳିତ ବସ୍ତି ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ହୋଇ ରହିଥିବା ଜଣାପଡ଼ିଛି। ମିଳିମିଳାପୁର ଗ୍ରାମଟି ବିଚ୍ଛିନ୍ନ ଥିଲା ବେଳେ ବନ୍ୟାଜଳ ନିଷ୍କାସନରେ ବିଳମ୍ବ ଘଟୁଥିବା ଏହି ପଞ୍ଚାୟତଗୁଡ଼ିକ ଆଜି ପୁଣି ନଦୀରେ ଜଳସ୍ତର ବୃଦ୍ଧିପାଇବାର ଖବର ପରେ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ। ପ୍ରଶାସନ ସ୍ବତନ୍ତ୍ର ଭାବେ ଏହି ପଞ୍ଚାୟତଗୁଡ଼ିକ ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।
ବିଧାୟକ ବିଶ୍ବରଂଜନ ମଲ୍ଲିକ ବରୀରେ ଉପସ୍ଥିତ ରହି ପ୍ରଶାସନର ବନ୍ୟା ପ୍ରସ୍ତୁତି ଉପରେ ନଜର ରଖିବା ସହିତ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ସେପଟେ ବିଜେପି ନେତା ତଥା ବରୀର ପରାଜିତ ବିଜେପି ବିଧାୟକ ପ୍ରାର୍ଥୀ ଉମେଶ ଜେନା ବରୀର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସହିତ ବିପନ୍ନଙ୍କ ନିକଟରେ ପହଞ୍ଚିଥିଲେ। ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଘାଇ ଦେଖିବା ସହିତ ତୁରନ୍ତ ବିପନ୍ନମାନଙ୍କ ପାଖରେ ସରକାରୀ ସହାୟତା ଯେଗାଇ ଦେବାକୁ ପ୍ରଶାସନ ସହିତ ଆଲୋଚନା କରିଥିଲେ। ଗୁରୁବାର ଅପରାହ୍ନରେ ବିଜେପିର ରାଜ୍ୟ ମୁଖପାତ୍ର ତଥା ବିଜେପି ନେତା ମନୋଜ ମହାପାତ୍ର ବରୀ ବନ୍ୟା ଅଞ୍ଚଳ ବୁଲିବା ସହିତ ଅରୁଆଳ ଘାଇ ସହିତ ବିଭିନ୍ନ ଘାଇ ଓ ବିପନ୍ନମାନଙ୍କୁ ଭେଟିଥିଲେ। ବିଶେଷ ଭାବେ କିପରି ବରୀକୁ ବନ୍ୟା ବିପନ୍ନଙ୍କ ପାଇଁ ସରକାରୀ ସହାୟତା ତୁରନ୍ତ ଆସିବ ସେନେଇ ସରକାରଙ୍କ ଦୃଷ୍ଟିକୁ ଆଣିବେ ବୋଲି କହିଛନ୍ତି। ଅପରାହ୍ନରେ ବରୀ ଅନ୍ୟତମ ନେତୃତ୍ବ ସେକ୍ ସଫିକ୍ ଉଦ୍ଦିନ୍ ମଧ୍ୟ ବନ୍ୟା ଅଞ୍ଚଳ ବୁଲି ବିପନ୍ନମାନଙ୍କୁ ଭେଟି ଛନ୍ତି।
ସୌଜନ୍ୟ ସମ୍ବାଦ




