AIIMS Bhubaneswar: ଏମ୍ସ ପ୍ରଫେସରଙ୍କୁ ଜାରି କାରଣ ଦର୍ଶାଅ ନୋଟିସ ଉପରେ ରହିତାଦେଶ ଜାରି କଲେ କ୍ୟାଟ୍
ବିନା କୌଣସି ଠୋସ କାରଣରେ ଭୁବନେଶ୍ବର ଏମ୍ସର ଫାର୍ମାକୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଦେବାଶିଷ ହୋତାଙ୍କୁ ହଇରାଣ କରାଯିବା ଅଭିଯୋଗ ନେଇ ଦାୟର ମାମଲାକୁ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

କଟକ: ବିନା କୌଣସି ଠୋସ କାରଣରେ ଭୁବନେଶ୍ବର ଏମ୍ସର ଫାର୍ମାକୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଦେବାଶିଷ ହୋତାଙ୍କୁ ହଇରାଣ କରାଯିବା ଅଭିଯୋଗ ନେଇ ଦାୟର ମାମଲାକୁ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ୨୦୨୬, ଜୁନ ୨୭ରେ ଶ୍ରୀ ହୋତାଙ୍କୁ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜାରି କରିଥିବା କାରଣ ଦର୍ଶାଅ ନୋଟିସ ଉପରେ କ୍ୟାଟ୍ ରହିତାଦେଶ ଜାରି କରିଛନ୍ତି। ଜୁଲାଇ ୧୩ରେ ପ୍ରତିପକ୍ଷଙ୍କୁ ମାମଲାରେ ଜବାବ ରଖିବାକୁ କ୍ୟାଟ ୧୪ ଦିନ ସମୟ ପ୍ରଦାନ କରିଥିଲେ। ଏହାପରେ ମାମଲାର ଶୁଣାଣି ବେଳେ ଜବାବ ଦାଖଲ ପାଇଁ ପୁଣି ପ୍ରତିପକ୍ଷଙ୍କ ତରଫରୁ ଅଧିକ ମହଲତ ଲୋଡ଼ାଯାଇଥିଲା। କ୍ୟାଟ୍ ଜବାବ ଦାଖଲ ପାଇଁ ତିନି ସପ୍ତାହ ମହଲତ ପ୍ରତିପକ୍ଷଙ୍କୁ ପ୍ରଦାନ କରିବା ସହିତ ଜୁନ ୨୭ର କାରଣ ଦର୍ଶାନ ନୋଟିସ ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି। ଅଗଷ୍ଟ ୩୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଏସ.ଆର.ମିଶ୍ର ଓ ପି.କେ.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ହୋତାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
କାରଣ ଦର୍ଶାଅ ନୋଟିସ
ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ୱର ଏମ୍ସରେ ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ଦିଆ ନଯିବା ଓ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ବିରୋଧ କରି ଏମ୍ସର ଫ୍ୟାକଲ୍ଟି ଆସୋସିଏସନ ସହିତ ଆବେଦନକାରୀ ଓ ଅନ୍ୟ କତେକ ଡାକ୍ତର ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଗତ ଜୁନ ୯ରେ ହାଇକୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ଜବାବ ତଲବ କରିଥିଲେ। ଏହାପରେ ଆବେଦନକାରୀ ଏକ ଦିନ ଛୁଟି (ସିଏଲ) ପାଇଁ ନିର୍ଦ୍ଧାରିତ ତାରିଖର ତିନି ଦିନ ପୂର୍ବରୁ ଦରଖାସ୍ତ କରିଥିଲେ। ସଂପୃକ୍ତ ଦରଖାସ୍ତ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନଥିଲା। ବିଚାରାଧୀନ ଅବସ୍ଥାରେ ତିନି ଦିନ ବିତି ଯିବାରୁ ଛୁଟି ଦରଖାସ୍ତ ଆପେ ମଞ୍ଜୁର ହେବା କଥା। ଏହାପରେ ଆବେଦନକାରୀ ଦିନକ ପାଇଁ ଛୁଟି ନେଇଥିଲେ। ଛୁଟିରୁ ଫେରିବା ପରେ ଆବେଦନକାରୀଙ୍କୁ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।
ବିନା ଅନୁମତିରେ ଛୁଟିରେ ଯିବା ଓ ଏହି ଛୁଟିକୁ ତାଙ୍କ ଚାକିରିରେ ବ୍ୟାହାତ ଭାବେ କହିଁକି ଗ୍ରହଣ କରା ନ ଯିବ ସେ ନେଇ କାରଣ ଦର୍ଶାଇବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଆବେଦନକାରୀଙ୍କ ମଞ୍ଜୁରୀପ୍ରାପ୍ତ ଛୁଟି ଉପଲବ୍ଧ ରହିଛି। ଏଥି ସହିତ ଯଥେଷ୍ଟ ଆଗରୁ ଛୁଟି ଦରଖାସ୍ତ ସେ ଦେଇଥିଲେ। କିନ୍ତୁ ହାଇକୋର୍ଟରେ ମାମଲା ଦାୟର କରିଥିବା କାରଣରୁ ଜାଣିଶୁଣି ହାଇରାଣ କରିବାକୁ ତାଙ୍କୁ ଏପରି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ଦର୍ଶାଇ ଆବେଦନକାରୀ କ୍ୟାଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏମ୍ସ ଆଇନର ଉଲ୍ଲଂଘନ କରି ତଥା କ୍ଷମତା ପରିସର ବାହାରକୁ ଯାଇ ଏପରି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବାରୁ ଏହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ତ୍ରିଲୋଚନ ରଥ ମାମଲା ପରିଚାଳନା କରୁଛନ୍ତି।
ସୌଜନ୍ୟ ସମ୍ବାଦ




