Chief Minister: ନିଶା କାରବାର ନେଇ କଠୋର ହେଲେ ମୁଖ୍ୟମନ୍ତ୍ରୀ: ବୁଲ୍ଡୋଜର୍ ଚଳାଇବାକୁ ଧମକ
ନିଶା କାରବାରରୁ ବିରତ ନ ରହିଲେ ବୁଲ୍ଡୋଜର୍ ଚାଲିବ। ଓଡ଼ିଶା ସମେତ ସମଗ୍ର ଦେଶରେ ଆଜିଠାରୁ ‘ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନ’ ଆରମ୍ଭ ପରିପ୍ରେକ୍ଷୀରେ ନିଶା ମାଫିଆଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାବାସୀଙ୍କୁ କହିଛନ୍ତି....

ଭୁବନେଶ୍ବର: ନିଶା କାରବାରରୁ ବିରତ ନ ରହିଲେ ବୁଲ୍ଡୋଜର୍ ଚାଲିବ। ଓଡ଼ିଶା ସମେତ ସମଗ୍ର ଦେଶରେ ଆଜିଠାରୁ ‘ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନ’ ଆରମ୍ଭ ପରିପ୍ରେକ୍ଷୀରେ ନିଶା ମାଫିଆଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାବାସୀଙ୍କୁ କହିଛନ୍ତି, ନିଶା କାରବାର ସମ୍ପର୍କରେ ସାମାନ୍ୟ ସୂଚନା ପାଇଲେ ପୁଲିସକୁ ଜଣାନ୍ତୁ। ଅନ୍ୟପକ୍ଷରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କହିଛନ୍ତି ଯେ କେବଳ ସରକାରଙ୍କ ଉଦ୍ୟମ ଦ୍ୱାରା ନିଶାମୁକ୍ତ ସମାଜ ସମ୍ଭବ ନୁହେଁ। ପିତାମାତା, ଶିକ୍ଷକ, ସାମାଜିକ ଅନୁଷ୍ଠାନ, ବିଶେଷ କରି ଯୁବପିଢ଼ି ଏହି ଆନ୍ଦୋଳନର ବାର୍ତ୍ତାବହ ହେବା ଦରକାର। ତେବେ ଯାଇ ଏହା ଏକ ଜନଆନ୍ଦୋଳନରେ ପରିଣତ ହୋଇପାରିବ। କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ‘ମାଇଁ ଭାରତ’ ଦ୍ୱାରା ପରିଚାଳିତ ‘ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମ ରବିବାର କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ବୋଧିତ ହୋଇଥିବା ଏହି ଜାତୀୟ କାର୍ଯ୍ୟକ୍ରମକୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଆଭାସୀ ମାଧ୍ୟମରେ ଦେଖିଥିଲେ। ରାଜ୍ୟପାଳ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନର ଶପଥପାଠ କରାଇଥିଲେ। ଏହି ଅବସରରେ ରାଜ୍ୟପାଳ ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣର ପ୍ରମୁଖ କର୍ଣ୍ଣଧାର ଭାବେ ଅଭିହିତ କରି ନିଶାମୁକ୍ତ ସମାଜ ଗଠନ ପାଇଁ କ୍ରୀଡ଼ା, ଫିଟ୍ନେସ୍, ଯୋଗ, ସଂସ୍କାର ଓ ସମାଜସେବାକୁ ନିଶାର ବିକଳ୍ପ ଭାବେ ବାଛିବାକୁ ପରାମର୍ଶ ଦେଇଥିଲେ।
ଯୁବପିଢ଼ି ନିଶା ଛାଡ଼ି ଖେଳପଡ଼ିଆ ଓ କ୍ଲାସ୍ ରୁମ୍କୁ ଆପଣାନ୍ତୁ: ରାଜ୍ୟପାଳ
କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅଭିଯାନ ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ଆଗାମୀ ୧୦୦ ସପ୍ତାହ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଚାଲିବ। ସଂପ୍ରତି ନିଶା କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ହୋଇ ରହିନାହିଁ, ବରଂ ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶରେ ବଡ଼ ପ୍ରତିବନ୍ଧକ ସାଜୁଛି। ରାଜ୍ୟରେ ନିଶାଦ୍ରବ୍ୟର ବେଆଇନ କାରବାର ସିଣ୍ଡିକେଟ୍ଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରାଯିବ। ୨୦୨୪ରୁ ୨୦୨୬ ଜୁନ୍ ମାସ ମଧ୍ୟରେ ୬୩,୭୨୦ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଏହାସହ ୨୫୭୬ଟି ମାମଲା ରୁଜୁ କରାଯାଇ ୩୬୯୯ ଜଣଙ୍କୁ ଗିରଫ କରାଯାଇଛି ଏବଂ ୨୧୦୬ କୋଟି ଟଙ୍କାର ୪୩୨ ଟନ୍ ଗଞ୍ଜେଇ ଜବତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୁବଶକ୍ତିର ସାମର୍ଥ୍ୟ ଓ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭାସୀ ଉପସ୍ଥିତିରେ ଦେଶର ୧୦,୦୦୦ରୁ ଅଧିକ ସ୍ଥାନରେ ୧ କୋଟିରୁ ଊର୍ଦ୍ଧ୍ୱ ଯୁବକଯୁବତୀ ନିଶାମୁକ୍ତ ଭାରତ ଗଠନ ପାଇଁ ସଂକଳ୍ପ ନେଇଛନ୍ତି। ରାଜ୍ୟର ୪୫୩ଟି କେନ୍ଦ୍ରରେ ଏହାର ସିଧାପ୍ରସାରଣ କରାଯାଇଥିବା ବେଳେ ୧.୬ ଲକ୍ଷରୁ ଊର୍ଦ୍ଧ୍ୱ ଦର୍ଶକ ଓ ଯୁବପିଢ଼ି ଏକତ୍ରିତ ହୋଇ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ କ୍ରୀଡ଼ା ବିଭାଗ ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟ ଧନ୍ୟବାଦ ଦେଇଥିଲେ।
ସୌଜନ୍ୟ ସମ୍ବାଦ




