ରାଜ୍ୟ

Soumya Ranjan Death Case: ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ ଡିଏଫ୍‌ଓ ନିଲମ୍ବିତ, ଚର୍ଚ୍ଚାକୁ ଫେରିଲା ମୃତ୍ୟୁ ପଛର ରହସ୍ୟ

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅଭିଯୁକ୍ତ ଆଇଏଫ୍‌ଏସ୍‌ ଅଧିକାରୀ ତଥା ଗଜପତିର ପୂର୍ବତନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଥିଲା। ଆଜି ରାଜ୍ୟ ସରକାର ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅଭିଯୁକ୍ତ ଆଇଏଫ୍‌ଏସ୍‌ ଅଧିକାରୀ ତଥା ଗଜପତିର ପୂର୍ବତନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଥିଲା। ଆଜି ରାଜ୍ୟ ସରକାର ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ସଂଗ୍ରାମ ବର୍ତ୍ତମାନ ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ୍ କର୍ପୋରେସନର ନିର୍ଦ୍ଦେଶକ (ବାଣିଜ୍ୟ) ଭାବେ କାର୍ଯ୍ୟରତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାସହିତ ଏହି ଘଟଣା ପଛର ରହସ୍ୟ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି।

ପୂର୍ବ ସରକାରଙ୍କ ଅମଳରେ ମାମଲାର ତଦନ୍ତ ଠିକ୍‌ ଭାବେ ହୋଇ ନଥିବା ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଆସୁଥିଲା। ପ୍ରାକ୍ତନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତର ଦିଗ ପରିବର୍ତ୍ତନ ସହ ଅଭିଯୁକ୍ତ ଡିଏଫ୍‌ଓ ସଂଗ୍ରାମଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରିଆସୁଥିଲେ। ବହୁଦିନର ଆଇନଗତ ଲଢ଼େଇ ପରେ ସଂଗ୍ରାମଙ୍କ ବିରୋଧରେ ହତ୍ୟା ଓ ହତ୍ୟା ଷଡ୍‌ଯନ୍ତ୍ର ଅଭିଯୋଗର ବିଚାର ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସଂଗ୍ରାମ ଆତ୍ମସମର୍ପଣ କରିବା ପରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଥିଲା।

ବର୍ତ୍ତମାନ ସଂଗ୍ରାମ ନିଲମ୍ବନ ହେବା ପରେ ପୁଣି ଅନେକ ପୁରୁଣା ପ୍ରଶ୍ନ ସାମନାକୁ ଆସିଛି। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପାଇଁ ପ୍ରକୃତରେ ଦାୟୀ କିଏ? ତଦନ୍ତ ସମୟରେ ସମସ୍ତ ଦିଗକୁ ସମାନ ଗୁରୁତ୍ୱ ଦିଆଯାଇଥିଲା କି? ପରିବାରର ଅଭିଯୋଗ ଅନୁଯାୟୀ, ପୁଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଅଣଦେଖା କରାଯାଇଥିଲା କି? ପ୍ରକୃତରେ ଯଦି ତାଙ୍କୁ ହତ୍ୟା କରାଯାଇଥିଲା ତେବେ ଏହା ପଛର କାରଣ ଅନୈତିକ ସଂପର୍କ ନା ଆଉ କିଛି ରହିଛି? ଏହି ସମସ୍ତ ପ୍ରଶ୍ନର ଉତ୍ତର ଅଦାଲତର ବିଚାର ପ୍ରକ୍ରିୟା, ସାକ୍ଷ୍ୟ ଓ ପ୍ରମାଣ ଉପରେ ନିର୍ଭର କରିବ। ସେହିପରି, ଘଟଣାସ୍ଥଳ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନ ନଥିଲା ବୋଲି ମଧ୍ୟ ପରିବାର ଦାବି କରିଆସୁଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button