The problem of wood: ସ୍ବର୍ଗଦ୍ବାରରେ କାଠ ସଙ୍କଟ: ୫ ବର୍ଷରେ ବଢ଼ିଛି ତିନିଗୁଣା ଶବ, ନାଲିଫିତା ତଳେ ବିକଳ୍ପ ଦାହ ବ୍ୟବସ୍ଥା
ସ୍ବର୍ଗଦ୍ବାରରେ ଦାହ ହେଲେ ଆଉ ପୁନର୍ଜନ୍ମ ମିଳେନି। ଏଭଳି ଏକ ବିଶ୍ବାସ କାହୁଁ କେତେ ଦିନରୁ ରହିଆସିଛି। ଯେଉଁଥିପାଇଁ ଶବଦାହ ପାଇଁ ସ୍ବର୍ଗଦ୍ବାରରେ ଭିଡ଼ ଲାଗୁଛି। କ୍ରମାଗତ ଭାବରେ ଶବସଂଖ୍ୟା ବଢ଼ିବଢ଼ି ଚାଲିଛି।

ପୁରୀ: ସ୍ବର୍ଗଦ୍ବାରରେ ଦାହ ହେଲେ ଆଉ ପୁନର୍ଜନ୍ମ ମିଳେନି। ଏଭଳି ଏକ ବିଶ୍ବାସ କାହୁଁ କେତେ ଦିନରୁ ରହିଆସିଛି। ଯେଉଁଥିପାଇଁ ଶବଦାହ ପାଇଁ ସ୍ବର୍ଗଦ୍ବାରରେ ଭିଡ଼ ଲାଗୁଛି। କ୍ରମାଗତ ଭାବରେ ଶବସଂଖ୍ୟା ବଢ଼ିବଢ଼ି ଚାଲିଛି। ସରକାରୀ ହିସାବ ମୁତାବକ ଗତ ୫ ବର୍ଷ ମଧ୍ୟରେ ଏଠାରେ ଶବ ସଂଖ୍ୟା ତିନିଗୁଣା ହୋଇଛି। କାଠରେ ଶବଦାହ ଆମ ପରମ୍ପରା ସହ ଯୋଡ଼ି ହୋଇ ରହିଥିବାରୁ ଏଠାରେ ଅନ୍ୟ କୌଣସି ବିକଳ୍ପ ସଫଳ ହୋଇ ପାରିନାହିଁ। ଗୋଟିଏ ପଟେ ଶବ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ କାଠ ଯୋଗାଣ କମି କମି ଯାଉଛି। ଫଳରେ ଅଚଳାବସ୍ଥା ସୃଷ୍ଟି ହେଉଛି। ବିକଳ୍ପ ଦାହ ବ୍ୟବସ୍ଥା ନ ହେଲେ ସଂକଟ ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ପୂର୍ବରୁ ଦିନକୁ ୫୦ରୁ ୬୦ ଶବ ଆସୁଥିବା ବେଳେ ଏବେ ସେହି ସଂଖ୍ୟା ୧୫୦ରୁ ଅଧିକରେ ପହଞ୍ଚିଛି। ଅନ୍ୟପଟେ ହରିଶ୍ଚନ୍ଦ୍ର ଯୋଜନାରେ ସରକାର ମାଗଣାରେ ଦେଢ଼ କ୍ୱିଣ୍ଟାଲ କାଠ ଯୋଗାଉଛନ୍ତି। ଅନେକ ଧନୀ ଘର ଲୋକ ଏହାର ଫାଇଦା ନେଉଛନ୍ତି। ଆଉ ଏକ ବଡ଼କଥା ହେଉଛି ଏଠାରେ ପୂର୍ବାପେକ୍ଷା ବହୁତ ସୁବିଧା ହୋଇଛି। ବର୍ଷା, ଝଡ଼ତୋଫାନରେ ମଧ୍ୟ ଶବଦାହରେ ସମସ୍ୟା ହେଉନାହିଁ। ଦାହସଂସ୍କାର କାମରେ ପରିଜନଙ୍କୁ ମଧ୍ୟ ହାତ ମାରିବାକୁ ପଡ଼ୁନାହିଁ। ସାରା ରାଜ୍ୟରୁ ଏବେ ଶବ ଦାହ ପାଇଁ ଏଠାକୁ ଆସୁଛନ୍ତି। ଯେଉଁଥି ପାଇଁ କାଠର ଅଭାବ ସୃଷ୍ଟି ହୋଇଛି। କାଠ ଅଭାବ ନେଇ ଅଭିଯୋଗ ଆସିବା ପରେ ପ୍ରଶାସନ ତତ୍ପର ହୋଇଛି। ବନ ବିଭାଗ କାଠ ଯୋଗାଣ ସ୍ୱଭାବିକ କରିବା ପାଇଁ ପଦକ୍ଷେପ ନେଇଛି। ଗୋଟିଏ ଶବଦାହ ପାଇଁ ଦେଢ଼ କ୍ୱିଣ୍ଟାଲ କାଠ ଆବଶ୍ୟକ। ହିସାବ ଅନୁସାରେ ଦିନକୁ ୧୦୦ରୁ ଅଧିକ ଶବଦାହ ପାଇଁ ୧୫୦ କ୍ୱିଣ୍ଟାଲରୁ ଅଧିକ କାଠ ଲାଗୁଛି। କିନ୍ତୁ ସ୍ୱର୍ଗଦ୍ୱାର କାଠ ଗୋଦାମରେ ସେତେ ପରିମାଣର କାଠ ମହଜୁଦ ନାହିଁ। ଓଏଫ୍ଡିସି ଦ୍ୱାରା ଯୋଗାଣ ହେଉଥିବା କାଠ ଆବଶ୍ୟକତା ତୁଳନାରେ ବହୁତ କମ୍। ଜଣେ ମୃତକଙ୍କ ପରିଜନ ଭଗିଆ ଗୋଚ୍ଛାୟତ କହିଛନ୍ତି, ଆମେ ଅନେକ ସମୟରେ ଲୋକଙ୍କୁ ସହଯୋଗ କରିବା ପାଇଁ ସ୍ୱର୍ଗଦ୍ୱାର ଯାଇ ଶବ ସତ୍କାରରେ ସାହାଯ୍ୟ କରୁଛୁ। ହେଲେ ଏବେ କାଠ ସଙ୍କଟ ଉତ୍କଟ ହୋଇଛି।
ନାଲିଫିତା ତଳେ ବିକଳ୍ପ ଦାହ ବ୍ୟବସ୍ଥା
ସଙ୍କଟ ଆହୁରି ବଢ଼ିବା ଆଶଙ୍କା: ଡିଏଫ୍ଓ
ପର୍ଯ୍ୟାପ୍ତ କାଠ ନ ଆସିବାରୁ ଶବ ସତ୍କାର ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡୁଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ସମାଧାନ କରୁ। କାଠର ବିକଳ୍ପ ସମ୍ପର୍କରେ ବି ଚିନ୍ତା ହେଉ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, କାଠ ଯୋଗାଣ ସ୍ୱାଭାବିକ କରିବା ପାଇଁ ଆଲୋଚନା ହୋଇଛି। ବିକଳ୍ପ ବ୍ୟବସ୍ଥା ପାଇଁ ମଧ୍ୟ ଯୋଜନା ହେଉଛି। ପୁରୀ ବନଖଣ୍ଡ ଅଧିକାରୀ ମଗର ଧାନାଜି ରାଓସୋ କହିଛନ୍ତି, ବର୍ଷା ଯୋଗୁଁ ବଡ଼ ଗାଡ଼ିରେ କାଠ ଆଣିବାରେ ଅସୁବିଧା ହେଉଛି। ଏଣୁ ଛୋଟ ଗାଡ଼ିରେ କାଠ ଅଣାଯାଉଛି। ଗତ ପାଞ୍ଚ ବର୍ଷରେ ଶବଦାହ ସଂଖ୍ୟା ବହୁତ ବଢ଼ିଛି। ସେଥିପାଇଁ ଯୋଗାଣରେ ସମସ୍ୟା ଦେଖାଦେଇଛି। କାଠର ବିକଳ୍ପ ଭାବେ କ’ଣ କରାଯାଇପାରିବ ସେ ନେଇ ସରକାରଙ୍କୁ କିଛି ପ୍ରସ୍ତାବ ଦିଆଯାଇଛି। ନିର୍ଦ୍ଦେଶ ଆସିବା ପରେ ସ୍ୱର୍ଗଦ୍ୱାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।
ଜଙ୍ଗଲ ସୀମିତ ଥିବା ବେଳେ ଶବଦାହ ବଢ଼ି ଚାଲିଛି। କାଠର ବିକଳ୍ପ ବ୍ୟବସ୍ଥା ନ ହେଲେ ଆଗାମୀ ଦିନରେ ସଙ୍କଟ ଆହୁରି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି। ଏଠାରେ ସୂଚାଇ ଦିଆଯାଇପାରେ, ପୂର୍ବରୁ ବିଦ୍ୟୁତ୍ ଚୁଲା ବ୍ୟବସ୍ଥା ହୋଇଥିଲା। କିନ୍ତୁ କାଠରେ ଦାହ କରିବା ପାଇଁ ଚାହିଦା ରହିବାରୁ ଏହା ସଫଳ ହେଲାନାହିଁ। ଆଉ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ମେସିନ୍ ସହାୟତାରେ ପୋଡ଼ାଯିବ, କିନ୍ତୁ କାଠ ବ୍ୟବହାର ହେବ। ଅର୍ଥାତ୍ ଯେତିକି କାଠ ବ୍ୟବହାର ହେବ, ସେଥିରୁ ବାହାରୁଥିବା ଉତ୍ତାପ ଶବଦାହ ପାଇଁ ବ୍ୟବହାର ହେବ। କିଛି ନଷ୍ଟ ହେବ ନାହିଁ। ଏଭଳି ଏକ ପ୍ରସ୍ତାବ ନାଲି ଫିତା ତଳେ ପଡ଼ିଛି। କାଠର ବିକଳ୍ପ ଚିନ୍ତା କରା ନଗଲେ ସ୍ବର୍ଗଦ୍ବାରରେ ଶବଦାହ କରିବା ସମସ୍ତଙ୍କ ଭାଗ୍ୟରେ ଜୁଟିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି।
ସୌଜନ୍ୟ ସମ୍ବାଦ




