Paddy cultivation: କଷ୍ଟକର ହେଲାଣି ଧାନଚାଷ: ନୂଆ ଅଡ଼ୁଆ ‘ଏଗ୍ରିଷ୍ଟାକ୍ ଫାର୍ମର ଆଇଡି’
ଚାଷୀ ପଞ୍ଜୀକରଣ ପାଇଁ ଚଳିତ ବର୍ଷ ବାଧ୍ୟତାମୂଳ ହୋଇଛି ଏଗ୍ରିଷ୍ଟାକ୍ ଫାର୍ମର ଆଇଡି। ଅର୍ଥାତ ଜମିପଟ୍ଟା ସହିତ ଆଧାରକାର୍ଡ ସଂଯୋଗ ପରେ ଯେଉଁ ୧୪ ଅଙ୍କ ବିଶିଷ୍ଟ ଆଇଡି (ଏଗ୍ରିଷ୍ଟାକ୍ ଫାର୍ମର ଆଇଡି) ମିଳିବ, ତାହା ଧାନ ସଂଗ୍ରହ ପଞ୍ଜୀକରଣ ସମୟରେ ଦେବାକୁ ପଡ଼ିବ।

ସମ୍ବଲପୁର: ଚାଷୀ ପଞ୍ଜୀକରଣ ପାଇଁ ଚଳିତ ବର୍ଷ ବାଧ୍ୟତାମୂଳ ହୋଇଛି ଏଗ୍ରିଷ୍ଟାକ୍ ଫାର୍ମର ଆଇଡି। ଅର୍ଥାତ ଜମିପଟ୍ଟା ସହିତ ଆଧାରକାର୍ଡ ସଂଯୋଗ ପରେ ଯେଉଁ ୧୪ ଅଙ୍କ ବିଶିଷ୍ଟ ଆଇଡି (ଏଗ୍ରିଷ୍ଟାକ୍ ଫାର୍ମର ଆଇଡି) ମିଳିବ, ତାହା ଧାନ ସଂଗ୍ରହ ପଞ୍ଜୀକରଣ ସମୟରେ ଦେବାକୁ ପଡ଼ିବ। ପଟ୍ଟା ମାଲିକାନା (କଲମ-୨) ସଂଶୋଧିତ ହୋଇ ପାରି ନଥିବାରୁ ଫାର୍ମର ଆଇଡି ତିଆରି ହୋଇପାରୁ ନାହିଁ। ଫଳସ୍ବରୂପ ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରେ କେବଳ ୪୫.୫୩% ଏବଂ ସମ୍ବଲପୁର ଜିଲ୍ଲାରେ ୫୩.୪୪% ଫାର୍ମର ଆଇଡି ତିଆରି ହୋଇ ପାରିଛି। ଅଗଷ୍ଟ ଶେଷ ସୁଦ୍ଧା ଏହାକୁ ଶତପ୍ରତିଶତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସମ୍ବଲପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସତ୍ୟବାନ ସୋରେନ। ଅନ୍ୟଦିଗରେ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ କହିଛି, ଚଳିତ ବର୍ଷ ପ୍ରଥମଥର ପାଇଁ ଚାଷଜମି ପଟ୍ଟା ସହିତ ଆଧାରକାର୍ଡ ସଂଯୋଗ ବ୍ୟବସ୍ଥା କରାଯାଇ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି ସୃଷ୍ଟି କରାଯାଇଛି। ଯାହାକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରଚାର-ପ୍ରସାର ହୋଇ ନାହିଁ। ଏଭଳି ସ୍ଥିତିରେ ଧାନ ପଞ୍ଜୀକରଣରେ ଚାଷୀ ସମସ୍ୟାର ସମ୍ମୁଖୀନ ହେବା ସ୍ପଷ୍ଟ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନର ସଭାପତି ବ୍ୟୋମକେଶ ଠାକୁର। ବିଶେଷ କରି ଭାଗଚାଷୀମାନଙ୍କୁ ଚାଷ ଜମିରେ ଅଧିକାର ପ୍ରଦାନର ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଚାଷୀମାନେ କହୁଛନ୍ତି।
ସୌଜନ୍ୟ ସମ୍ବାଦ




