ଦେଶ ବିଦେଶ

FCAS: ଷଷ୍ଠ ପିଢ଼ିର ଯୁଦ୍ଧବିମାନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଭାରତର ପ୍ରୟାସ

ଆଧୁନିକ ଯୁଦ୍ଧ କୌଶଳରେ ଭାରତୀୟ ବାୟୁସେନାର ସାମରିକ ସାମର୍ଥ୍ୟ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଷଷ୍ଠ ପିଢ଼ିର ଯୁଦ୍ଧବିମାନ ବିକାଶ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି।

ନୂଆଦିଲ୍ଲୀ: ଆଧୁନିକ ଯୁଦ୍ଧ କୌଶଳରେ ଭାରତୀୟ ବାୟୁସେନାର ସାମରିକ ସାମର୍ଥ୍ୟ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଷଷ୍ଠ ପିଢ଼ିର ଯୁଦ୍ଧବିମାନ ବିକାଶ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଫ୍ରାନ୍ସ ସରକାରଙ୍କ ନେତୃତ୍ୱରେ ପରିଚାଳିତ ‘ଫ୍ୟୁଚର୍ କମ୍ବାଟ୍ ଏୟାର୍ ସିଷ୍ଟମ୍’ (ଏଫ୍‌ସିଏସ୍‌) କାର୍ଯ୍ୟକ୍ରମରେ ଯୋଗଦେବା ଏବଂ ଏଭଳି ଅତ୍ୟାଧୁନିକ ଯୁଦ୍ଧବିମାନ ହାସଲ କରିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରୋଡ୍‌ମ୍ୟାପ୍ ପ୍ରସ୍ତୁତି ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାର ସଂସଦରେ ଉପସ୍ଥାପିତ ପ୍ରତିରକ୍ଷା ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିର ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ଆଧୁନିକ ଆକାଶମାର୍ଗୀୟ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଷଷ୍ଠ ପିଢ଼ିର (୬ଜି) ଯୁଦ୍ଧବିମାନ ବିକାଶ ଏବଂ ସେଗୁଡ଼ିକର କ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କମିଟି ମନ୍ତ୍ରଣାଳୟକୁ ସୁପାରିସ କରିଛି। ୧୮ଶ ଲୋକସଭାର ପ୍ରତିରକ୍ଷା ସ୍ଥାୟୀ କମିଟିର ୨୦ତମ ରିପୋର୍ଟ ‘୨୦୨୬-୨୭ ବର୍ଷ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁଦାନ ଦାବି (ସ୍ଥଳସେନା, ବାୟୁସେନା, ନୌସେନା, ଯୁଗ୍ମ କର୍ମଚାରୀ, ପ୍ରାକ୍ତନ ସୈନିକ ସ୍ୱାସ୍ଥ୍ୟ ଯୋଜନା ଏବଂ ସଶସ୍ତ୍ର ବାହିନୀ ଚିକିତ୍ସା ସେବା ମହାନିର୍ଦ୍ଦେଶାଳୟ)’ ଉପରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଆଧାରରେ ଏହି ତଥ୍ୟ ପ୍ରକାଶ ପାଇଛି। କମିଟିକୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ବିଶ୍ୱରେ ଦୁଇଟି ବଡ଼ ସଂଗଠନ (କନସୋର୍ଟିୟମ୍) ଷଷ୍ଠ ପିଢ଼ିର ଯୁଦ୍ଧବିମାନ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି। ଏଥିମଧ୍ୟରୁ ଗୋଟିଏ ବ୍ରିଟେନ୍, ଇଟାଲୀ ଓ ଜାପାନର ମିଳିତ ସଂଗଠନ ହୋଇଥିବା ବେଳେ ଅନ୍ୟଟି ଫ୍ରାନ୍ସ, ଜର୍ମାନୀ ଓ ସ୍ପେନର ଭାଗିଦାରୀରେ ଗଠିତ ସଂଗଠନ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button