climate resilience Odisha ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନିଅନ୍ତୁ ଯୁବପିଢ଼ି: ରାଜ୍ୟପାଳ
ଓଡ଼ିଶାର ଯୁବପିଢ଼ି ଜଳବାୟୁ ସହନଶୀଳତା, ସବୁଜ ବିକାଶ, ଅକ୍ଷୟ ଶକ୍ତି, ସ୍ଥାୟୀ କୃଷି ଓ ରୋଜଗାର ସୃଷ୍ଟିରେ ନେତୃତ୍ୱ ନେବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ୱାନ ଦେଇଛନ୍ତି।

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ି ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନିଅନ୍ତୁ। ଏତଦବ୍ୟତୀତ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା, ଅକ୍ଷୟ ଶକ୍ତିର ପ୍ରସାର, ସ୍ଥାୟୀ କୃଷି ଓ ରୋଜଗାର ସୃଷ୍ଟି ଦିଗରେ ଯୁବପିଢ଼ି କାର୍ଯ୍ୟ କରିବା ଆବଶ୍ୟକ ବୋଲି ଓଡ଼ିଶାର ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି I
ସୋମବାର ଜଟଣୀସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓଡ଼ିଶା କନଫରେନ୍ସ ଅଫ ୟୁଥ (OCOY) ୪.୦ କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।
ରାଜ୍ୟପାଳ କହିଥିଲେ ଯେ, ଯୁବପିଢ଼ିଙ୍କ ଶକ୍ତି ଓ ସୃଜନଶୀଳତାକୁ ସକାରାତ୍ମକ କାର୍ଯ୍ୟରେ ବିନିଯୋଗ କରିପାରିଲେ ‘ବିକଶିତ ଭାରତ @୨୦୪୭’ ର ଲକ୍ଷ୍ୟ ବାସ୍ତବ ରୂପ ନେବ ବୋଲି ରାଜ୍ୟପାଳ କହିଥିଲେ। ୩-ଆର୍ ନୀତି ‘Reduce, Reuse and Recycle’ର ସହ ‘ମିଶନ ଲାଇଫ ’କୁ ଜୀବନଶୈଳୀର ଅଂଶ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। Mission 30 by 30’ ର ଆହ୍ୱାନ ଦେଇ ରାଜ୍ୟପାଳ ୨୦୩୦ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଜଳବାୟୁ ସହନଶୀଳତା କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ଯୁବପିଢ଼ିଙ୍କୁ କହିବା ସହ ସ୍ଥାନୀୟ ଜ୍ଞାନକୌଶଳ ସହ ବିଜ୍ଞାନ ଓ ପ୍ରଯୁକ୍ତିକୁ ଯୋଡ଼ି ଜିଲ୍ଲାଭିତ୍ତିକ ପରିବେଶ ସମସ୍ୟାର ସମାଧାନ ଖୋଜିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର କୁଳପତି ଡ ଫାଦର କେ ଏସ୍. କାସିମିର୍ ଏସ୍ଜେ, ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟର ଜେନେରାଲ୍ ମ୍ୟାନେଜର ତଥା ଇଏସ୍ଜି ଆମ୍ବାସାଡର ହର୍ଷା ଭରଦା, ୟୁନିସେଫ୍ ଓଡ଼ିଶାର ଫିଲ୍ଡ ଅଫିସର ମୁଖ୍ୟ ପ୍ରଶାନ୍ତ କୁମାର ଦାଶ ଏବଂ ସମ୍ଭବର ସହ-ପ୍ରତିଷ୍ଠାତା ସାବରମତୀ ଅପା ମଧ୍ୟ ଉଦବୋଧନ ଦେଇଥିଲେ। ୟୁନିସେଫ୍ ଓଡ଼ିଶାର WASH-CCES ବିଶେଷଜ୍ଞ ସିପ୍ରା ସକ୍ସେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଳେ। Youth4Water Plusର ନିର୍ଦ୍ଦେଶକ ବ୍ଲୋରିନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ସୌଜନ୍ୟ ସମ୍ବାଦ




