ଦେଶ ବିଦେଶ

SIR controversy: ଏସ୍‌ଆଇଆର୍‌ ବିବାଦ ଥମୁନି: ସାମ୍ବିଧାନିକ ସଙ୍କଟ, ଦେଶରେ ୧୪% ଭୋଟରଙ୍କ ନାମ ବାଦ୍‌

ନିର୍ବାଚନ କମିସନରେ ଗତ ୧୦ ମାସ ଧରି ମତଭେଦ ରହିଥିବା ରିପୋର୍ଟ ସାମ୍ନାକୁ ଆସିବା ପରେ ଜାତୀୟ ରାଜନୀତି ସରଗରମ ରହିଛି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ...

ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ନିର୍ବାଚନ ମଣ୍ଡଳୀଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ସ୍ୱତନ୍ତ୍ର  ସଘନ ସଂଶୋଧନ (ଏସ୍‌ଆଇଆର୍) କାର୍ଯ୍ୟକ୍ରମ ବର୍ତ୍ତମାନ ଏକ  ସାମ୍ବିଧାନିକ ସଙ୍କଟର ରୂପ ନେଉଛି। ଭୋଟର ତାଲିକାରୁ ନକଲି, ମୃତ ଓ ଅଣ-ନାଗରିକ ଭୋଟରଙ୍କ ନାମ ହଟାଇବା ପାଇଁ ୨୦୨୫ ଜୁନ୍‌ ୨୪ରେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ବିହାରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତେବେ ୨୦୨୬ ମଧ୍ୟଭାଗ ସୁଦ୍ଧା ଏହା ବ୍ୟାପକ ଭାବେ  ଭୋଟରଙ୍କୁ ବଞ୍ଚିତ କରିଥିବା ଏବଂ ଅଳ୍ପସଂଖ୍ୟକ, ପ୍ରବାସୀ ଓ ଅବହେଳିତ ବର୍ଗଙ୍କୁ ଟାର୍ଗେଟ୍‌ କରାଯାଇଥିବା ଏବେ ଅଭିଯୋଗ ହେଲାଣି। ନିର୍ବାଚନ କମିସନଙ୍କ କେତେକ ଆଭ୍ୟନ୍ତରୀଣ ଦସ୍ତାବିଜ ପଦାକୁ ଆସିବା ପରେ ଜଣାପଡ଼ିଛି ଯେ ଦୁଇ ସଦସ୍ୟ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ସିଇସିଙ୍କ ‘ଏକତରଫା’ ନିଷ୍ପତ୍ତି ବିରୋଧରେ ଅନ୍ତତଃ ୧୪ ଥର ଆପତ୍ତି ଦାଖଲ କରିଛନ୍ତି।

ସାଧାରଣତଃ ନିର୍ବାଚନ କମିସନ ବାର୍ଷିକ ସଂକ୍ଷିପ୍ତ ସଂଶୋଧନ ଜରିଆରେ ଭୋଟର୍‌ ତାଲିକା ପରିବର୍ତ୍ତନ କରିଥାନ୍ତି। ମାତ୍ର ଏସ୍‌ଆଇଆର୍‌ରେ ଘରକୁ ଘର ବୁଲି ନୂଆ ଭୋଟର୍‌ ତାଲିକା ପ୍ରସ୍ତୁତ କରାଯାଏ। ବିହାର ଭଳି ରାଜ୍ୟରେ ୨୦୦୩ ପରଠାରୁ ଏପରି ସଂଶୋଧନ ହୋଇନଥିଲା। ୨୦୨୫ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ନୂତନ ଭୋଟର୍‌ଙ୍କ ନାମ କିମ୍ବା ତାଙ୍କ ପିତାମାତାଙ୍କ ନାମ ୨୦୦୨ ଭୋଟର୍‌ ତାଲିକାରେ ରହିବା ବାଧ୍ୟତାମୂଳକ କରାଯାଇଥିଲା। ଏହି ନିୟମ ଯୋଗୁଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଚିଠା ଭୋଟର୍‌ ତାଲିକାରୁ ୧୩ କୋଟିରୁ ଅଧିକ ନାମ ବାଦ୍ ପଡ଼ିଥିଲା। ବୟସ ଓ ନାମର ସାମାନ୍ୟ ଭୁଲ୍ କାରଣରୁ ନୋଟିସ୍ ପଠାଯିବା ପରେ ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ’ (ଏଡିଆର୍) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ୨୦୨୬ ମେ’ ମାସରେ ସୁପ୍ରିମକୋର୍ଟ ଧାରା ୩୨୪ ଅଧୀନରେ ଆୟୋଗର କ୍ଷମତାକୁ କାଏମ ରଖିଥିଲେ ସୁଦ୍ଧା ପଦ୍ଧତିଗତ ସୁରକ୍ଷା କିନ୍ତୁ ପ୍ରଶ୍ନଘେରରେ ରହିଥିଲା। କେତେକ ରିପୋର୍ଟ ଅନୁଯାୟୀ, ଆଭ୍ୟନ୍ତରୀଣ ସଙ୍କଟର ସବୁଠାରୁ ବଡ଼ କାରଣ ସାଜିଥିଲା ନୂତନ ଭୋଟର୍‌ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ ଆଇନଗତ ‘ଫର୍ମ-୬’ରେ ସିଇସିଙ୍କ ଦ୍ୱାରା କରାଯାଇଥିବା  ପରିବର୍ତ୍ତନ। ଏହିଠାରୁ ହିଁ ସୂତ୍ରପାତ ହୋଇଛି ବିବାଦ।  ସଂସଦୀୟ ନିୟମ ଅଧୀନରେ ସୁରକ୍ଷିତ ଥିବା ‘ଫର୍ମ-୬’କୁ କେନ୍ଦ୍ର ସରକାରଙ୍କ ବିନା ସଂଶୋଧନରେ ବଦଳାଯାଇପାରିବ ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଆଇନବିରୋଧୀ ବୋଲି ଦୁଇ  ନିର୍ବାଚନ କମିସନର ଡ. ସୁଖବୀର ସିଂହ ସାନ୍ଧୁ ଓ ଡ. ବିବେକ ଯୋଶୀ ଯୁକ୍ତି କରିଥିବା କୁହାଯାଉଛି। ଏପରିକି ଏହାକୁ ଇସିିଆଇ ଜ୍ଞାନେଶ କୁମାର ଅଣଦେଖା କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ,  କେନ୍ଦ୍ରୀକୃତ ସଫ୍ଟୱେର୍ ‘ଇସିନେଟ୍’ ଜରିଆରେ ସ୍ଥାନୀୟ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ଙ୍କ ସ୍ୱାଧୀନ ନିଷ୍ପତ୍ତି କ୍ଷମତାକୁ ରଦ୍ଦ କରିଥିବା ମଧ୍ୟ କୁହାଯାଉଛି। ଏହି ସଫ୍ଟୱେର୍ ତ୍ରୁଟି ଯୋଗୁଁ ଗୋଆରେ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ୯୭ ଜଣ ଯୋଗ୍ୟ ଭୋଟର ତାଲିକାରୁ ବାଦ୍ ପଡ଼ିଥିଲେ।

ତୃତୀୟତଃ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଡାଟା ଆକ୍ସେସ୍ ସୀମିତ ରହିବା ପରିସ୍ଥିତିକୁ ଜଟିଳ କରିଛି। ଏଭଳି ପରିସ୍ଥିତିରେ କମିସନର ସାନ୍ଧୁ ଓ ଯୋଶୀ ଆଇଆଇଟି ବିଶେଷଜ୍ଞଙ୍କ ଦ୍ୱାରା ସଫ୍ଟୱେର୍ ଅଡିଟ୍ ପାଇଁ ଦେଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇନଥିବାରୁ ବିବାଦ ଗମ୍ଭୀର ହୋଇଛି। ଆୟୋଗ ଏହି ମତଭେଦକୁ ସାଧାରଣ ପ୍ରଶାସନିକ ଆଲୋଚନା ବୋଲି ସଫେଇ ଦେଇଥିଲେ ସୁଦ୍ଧା ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି।

ଦେଶରେ ୧୪% ଭୋଟରଙ୍କ ନାମ ବାଦ୍‌

ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଦେଶବ୍ୟାପୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍) କାର୍ଯ୍ୟକ୍ରମରେ ଦେଶର ମୋଟ ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ୧୪.୧ ପ୍ରତିଶତ ନାମ ଚିଠା ତାଲିକାରୁ ବାଦ୍ ପଡ଼ିଛି। ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଭଳି ବଡ଼ ରାଜ୍ୟଗୁଡ଼ିକରେ ସଂଖ୍ୟାଦୃଷ୍ଟିରୁ ସର୍ବାଧିକ ଭୋଟର କମିଥିବା ବେଳେ ସହରାଞ୍ଚଳ ଏବଂ ନିକଟରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଆନୁପାତିକ ହାର ସବୁଠାରୁ ଅଧିକ ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି, ଯେଉଁଠାରେ ନିୟମିତ ସଂଶୋଧନ ଓ ଏସ୍‌ଆଇଆର୍ ମିଶି ୫୧ ଲକ୍ଷରୁ ଅଧିକ ଅର୍ଥାତ୍ ମୋଟ ଭୋଟର୍‌ଙ୍କ ୩୫.୮୯ ପ୍ରତିଶତ ନାମ ବାଦ୍ ଦିଆଯାଇଛି। ଦିଲ୍ଲୀର ୭୦ଟି ବିଧାନସଭା ମଣ୍ଡଳୀ ମଧ୍ୟରୁ ୬୮ଟିରେ ସଫ୍ଟୱେର୍ ଜରିଆରେ ଯେଉଁ ନାମ ସବୁ କଟାଯାଇଛି ତାହାକୁ ନେଇ ବିବାଦ ଜଟିଳ ହେବାରେ ଲାଗିଛି। ସେହିପରି ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ୯୧ ଲକ୍ଷ ଭୋଟର୍‌ (୧୧.୮ ପ୍ରତିଶତ)ଙ୍କ ନାମ ହଟାଯାଇଛି। ମୁର୍ଶିଦାବାଦ, ମାଲଦା ଓ ଉତ୍ତର ୨୪ ପ୍ରଗଣା ଭଳି ଜନବହୁଳ ଜିଲ୍ଲା ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି। କେବଳ କୋଲକାତାରେ ପ୍ରାୟ ୭ ଲକ୍ଷ ନାମ ବାଦ୍ ପଡ଼ିଥିବାରୁ, ଜୀବିତ ଲୋକଙ୍କୁ ମୃତ କିମ୍ବା ସ୍ଥାନାନ୍ତରିତ ଦର୍ଶାଯାଇଥିବା ଅଭିଯୋଗ କରି ନାଗରିକମାନେ ବ୍ୟାପକ ବିରୋଧ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ରୀକୃତ ‘ଇସିନେଟ୍’ ସଫ୍ଟୱେର୍‌ର ପରୀକ୍ଷାମୂଳକ କ୍ଷେତ୍ର ସାଜିଥିବା ବିହାରରେ ୬୫.୨ ଲକ୍ଷ (୮.୨ ପ୍ରତିଶତ) ନାମ ବାଦ୍ ଦିଆଯାଇଛି। ସମୀକ୍ଷକଙ୍କ ଅନୁସାରେ, ଏଠାରେ ମାତ୍ର ୧ ପ୍ରତିଶତରୁ କମ୍ ନାମ ନାଗରିକତା ଯାଞ୍ଚ ସହ ଜଡ଼ିତ ଥିବା ବେଳେ ସଫ୍ଟୱେର ଜନିତ  ତ୍ରୁଟି ଯୋଗୁଁ ବହୁସଂଖ୍ୟକ ନାମ ରଦ୍ଦ ହୋଇଛି।
ଦେଶର ଅନ୍ୟାନ୍ୟ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୨.୮୯ କୋଟି (୧୮.୭୦%), ମହାରାଷ୍ଟ୍ରରୁ ୨.୦୬ କୋଟି (୨୧.୧୦%), କର୍ଣ୍ଣାଟକରୁ ୧.୦୭ କୋଟି (୧୫.୨%), ତାମିଲନାଡୁରୁ ୯୭.୩ ଲକ୍ଷ (୧୪.୫%), ଗୁଜରାଟରୁ ୭୭ ଲକ୍ଷ (୧୩.୧%) ଏବଂ ତେଲେଙ୍ଗାନାରୁ ୭୩ ଲକ୍ଷ (୨୧.୭୦%) ଭୋଟରଙ୍କ ନାମ ଚିଠା ତାଲିକାରୁ ବାଦ୍ ପଡ଼ିଛି। ଗ୍ରାମୀଣ ଓ ସହରୀ ପ୍ରବାସନ,  ନକଲି ନାମ ଏବଂ ଡାଟାବେସ୍ ଅସଙ୍ଗତି କାରଣରୁ ଏହି ନାମଗୁଡ଼ିକ ହଟାଯାଇଥିବା ଦର୍ଶାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button