Rs 100 crore loot: ୧୦୦ କୋଟିର ମୋରମ ଲୁଟ୍! ପାହାଡ଼ ହୋଇଗଲାଣି ପୋଖରୀ, ଅଡୁଆରେ ଖଣି, ରାଜସ୍ବ ଓ ବନ ବିଭାଗ
ଦିନେ ଯେଉଁଠି ପାହାଡ଼ ଥିଲା, ସେଠାରେ ଏବେ ପୋଖରୀ ସୃଷ୍ଟି ହେଲାଣି। ମାଫିଆ ହଜାର ହଜାର ଟ୍ରିପ୍ ମୋରମ ତାଡ଼ି ନେବାରୁ ଶହେ କୋଟିରୁ ଅଧିକ ଟଙ୍କାର ରାଜସ୍ବ କ୍ଷତି ସହିଲେଣି ସରକାର। ତଥାପି ଖଣିମନ୍ତ୍ରୀଙ୍କ ଜିଲ୍ଲାରେ ଖଣି ବିଭାଗ କାହା ଚାପରେ କାର୍ଯ୍ୟାନୁଷ୍ଠାନ ନେଉନି

ବ୍ରହ୍ମପୁର: ଦିନେ ଯେଉଁଠି ପାହାଡ଼ ଥିଲା, ସେଠାରେ ଏବେ ପୋଖରୀ ସୃଷ୍ଟି ହେଲାଣି। ମାଫିଆ ହଜାର ହଜାର ଟ୍ରିପ୍ ମୋରମ ତାଡ଼ି ନେବାରୁ ଶହେ କୋଟିରୁ ଅଧିକ ଟଙ୍କାର ରାଜସ୍ବ କ୍ଷତି ସହିଲେଣି ସରକାର। ତଥାପି ଖଣିମନ୍ତ୍ରୀଙ୍କ ଜିଲ୍ଲାରେ ଖଣି ବିଭାଗ କାହା ଚାପରେ କାର୍ଯ୍ୟାନୁଷ୍ଠାନ ନେଉନି, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ଖଲ୍ଲିକୋଟ ତହସିଲର ଶ୍ୟାମସୁନ୍ଦରପୁର ଓ ବାଘୁଆ ପାହାଡ଼ରେ ଦେଖିବାକୁ ମିଳିଛି ବେଆଇନ ମୋରମ ଖାଦାନ। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଓ ଖଣି ବିଭାଗର ଚେତା ପଶିଛି। ଆଜି ଅପରାହ୍ଣରେ ଖଲ୍ଲିକୋଟ ତହସିଲଦାର ମାଲେଶ୍ୱର ପାତ୍ର, କନିଷ୍ଠ ଖଣି ଅଧିକାରୀ ରାଜା ପ୍ରଧାନ, ଛତ୍ରପୁର ଏସ୍ଡିପିଓ ଚନ୍ଦନ ଘଡ଼େଇ ଓ ଖଲ୍ଲିକୋଟ ଥାନା ଅତିରିକ୍ତ ଥାନାଧିକାରୀ ଭୈରବ କୁମାର ଭୂୟାଁ ପ୍ରମୁଖ ସରଜମିନ ତଦନ୍ତ ପରେ ଉଭୟ ବେଆଇନ ମୋରମ ଖାଦାନକୁ ସିଲ୍ କରିଛନ୍ତି।
ପ୍ରଶ୍ନ ଉଠୁଛି, ଏତେ ପରିମାଣର ମାଟି ଓ ମୋରମ ପାହାଡ଼ରୁ ତଡ଼ାଯାଉଥିବା ବେଳେ କାହା ନଜରକୁ ଆସିଲାନି କେମିତି? ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଜିଲ୍ଲାରେ ଏଭଳି ଲଘୁଖଣିଜ ଉତ୍ତୋଳନ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ଖଣି ବିଭାଗର ନିଘା କେଉଁଠି ଥିଲା? ଅନ୍ୟପକ୍ଷରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ବେଳେ ସେମାନେ କହିଛନ୍ତି, ବର୍ଷ ବର୍ଷ ଧରି ଏଠାରୁ ମୋରମ ଉଠାଯାଉଛି। ଦିନ ହେଉ କି ରାତି, ଗାଡ଼ି ଚଳାଚଳ ହେଉଛି। ଖନନ ଯୋଗୁଁ ପାହାଡ଼ର ପ୍ରାକୃତିକ ସ୍ଥିତି ବଦଳିଗଲାଣି। ଖବର ଦେଲେ ବି ଖଣି ଅଧିକାରୀ କିମ୍ବା ତହସିଲଦାର ଘଟଣାସ୍ଥଳକୁ ଯାଉନାହାନ୍ତି ବୋଲି ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ଖଲ୍ଲିକୋଟ ତହସିଲର ଶ୍ୟାମସୁନ୍ଦରପୁର ଓ ବାଘୁଆ ସହ ଝୋଳାମାଳ, ସାନଘାଟି, ବାଦପଲ୍ଲୀ ଓ କୁମଣ୍ଡ ଅଞ୍ଚଳରେ ବି ବେଧଡ଼କ ମୋରମ ଉତ୍ତୋଳନ ହେଉଛି। ସେହିପରି ରମ୍ଭା ଥାନା ଅଞ୍ଚଳର ଶତ୍ରୁସୋଲ ଠାରୁ କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମଧ୍ୟ ଲଘୁଖଣିଜ ଉତ୍ତୋଳନ ନେଇ ଅଭିଯୋଗ ରହିଛି। ଯଦି ଏହି ସମସ୍ତ ଅଞ୍ଚଳର ବେଆଇନ ଖନନକୁ ହିସାବକୁ ନେଲେ ବିଶାଳ ଅର୍ଥନୈତିକ ଅନିୟମିତତା ପଦାକୁ ଆସିବା ସହ ବଡ଼ ରୢାକେଟ୍ର ପର୍ଦ୍ଦାଫାସ ହୋଇପାରିବ। ମୋରମ ଉତ୍ତୋଳନ ଓ ପରିବହନ ପାଇଁ ନିୟମ ରହିଛି। ଅନୁମତି, ରୟାଲଟି ଓ ଅନ୍ୟାନ୍ୟ ସରକାରୀ ଦେୟ ରହିଛି। ତେଣୁ ଖନନ ହୋଇଥିବା ଅଞ୍ଚଳର ସାଟେଲାଇଟ୍ ସର୍ଭେ କରାଯାଇ ପୂର୍ବ ଓ ବର୍ତ୍ତମାନର ଭୂମିସ୍ତରର ତୁଳନା କରିବାକୁ ଦାବି ହୋଇଛି। କେତେ ଘନମିଟର ମୋରମ ଉଠାଯାଇଛି, ତାହାର ଆକଳନ କରାଯାଇ ମାଫିଆଙ୍କଠାରୁ ଆଦାୟ କରାଯାଉ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏହି ବେଆଇନ କାର୍ଯ୍ୟକଳାପ ପଦାକୁ ଆସିବା ପରେ ଖଣି, ରାଜସ୍ବ ଓ ଜଙ୍ଗଲ ବିଭାଗ ଅଡ଼ୁଆରେ ପଡ଼ିଛି।
ସୌଜନ୍ୟ ସମ୍ବାଦ




