ରାଜ୍ୟ

MP Bhartruhari: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ସାଂସଦ ଭର୍ତ୍ତୃହରିଙ୍କ ନେତୃତ୍ବରେ ବୈଠକ: ଐତିହାସିକ ଗଡ଼ଖାଇ ପୁନରୁଦ୍ଧାର ପ୍ରସଙ୍ଗ‌ରେ ମୋହର

କଟକର ଐତିହାସିକ ଗଡ଼ଖାଇର ପୁନରୁଦ୍ଧାର ପ୍ରସଙ୍ଗ ଶେଷରେ ସଫଳ ରୂପ ନେବାକୁ ଯାଉଛି। ଏଥିପାଇଁ କେନ୍ଦ୍ରୀୟସ୍ତରରେ ପ୍ରୟାସ ଆରମ୍ଭ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଶ୍ରୀ ମହତାବଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

କଟକ: କଟକର ଐତିହାସିକ ଗଡ଼ଖାଇର ପୁନରୁଦ୍ଧାର ପ୍ରସଙ୍ଗ ଶେଷରେ ସଫଳ ରୂପ ନେବାକୁ ଯାଉଛି। ଏଥିପାଇଁ କେନ୍ଦ୍ରୀୟସ୍ତରରେ ପ୍ରୟାସ ଆରମ୍ଭ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଶ୍ରୀ ମହତାବଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଭେଟି ଗଡ଼ଖାଇ ଓ ସତ୍ୟବ୍ରତ ଷ୍ଟାଡିୟମ ପୁନରୁଦ୍ଧାର ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ସହିତ ଏହି ବୈଠକରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)ର ମହାନିର୍ଦ୍ଦେଶକ ଯଦୁବୀର ସିଂହ ରାୱତ, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ଏଏସ୍‌ଆଇର ଓଡ଼ିଶା ଅଧିକାରୀ, ସଂସ୍କୃତି ଓ କ୍ରୀଡ଼ା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୫ ଦିନ ଭିତରେ କଟକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ସାଂସଦ ଶ୍ରୀ ମହତାବଙ୍କ ନେତୃତ୍ବରେ ଏକ ସମନ୍ବୟ ବୈଠକ ବସିବ। ଏହି ବୈଠକରେ ଗଡ଼ଖାଇର ପୁନରୁଦ୍ଧାର ସହିତ ସତ୍ୟବ୍ରତ ଷ୍ଟାଡିୟମର ଆଧୁନିକୀକରଣ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହି ବୈଠକରେ କଟକ ଜିଲ୍ଲାପାଳଙ୍କ ସମେତ ଏଏସ୍‌ଆଇ, ଜଳ ସଂପଦ ବିଭାଗ, କ୍ରୀଡ଼ା ବିଭାଗ, କଟକ ପୌର ନିଗମ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ସାଂସଦ ଭର୍ତ୍ତୃହରିଙ୍କ ନେତୃତ୍ବରେ ବୈଠକ
୧୫ ଦିନ ଭିତରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ କଟକରେ ବସିବ ବୈଠକ

ସୂଚନା ଅନୁଯାୟୀ ଇତିମଧ୍ୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗଡ଼ଖାଇର ପୁନରୁଦ୍ଧାର ପାଇଁ ଏକ ପ୍ରସ୍ତାବ ଦିଆଯାଇଛି। ପାଖାପାଖି ଶହେ କୋଟି ଟଙ୍କା ବ୍ୟୟ ଅଟକଳର ପ୍ରସ୍ତାବ ରହିଛି। ଗଡ଼ଖାଇର ଖନନ ସହିତ ସେଠାରେ ବୋଟିଂ ବ୍ୟବସ୍ଥା ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ଅନ୍ୟାନ୍ୟ ବ୍ୟବସ୍ଥାର ଯୋଜନା କରାଯାଇଛି। ସେହିଭଳି ସତ୍ୟବ୍ରତ ଷ୍ଟାଡିୟମରେ କୌଣସି କଂକ୍ରିଟ ନିର୍ମାଣ କରିବା ବଦଳରେ ସିନ୍ଥେଟିକ ଟ୍ରାକ୍‌, ଫୁଟ୍‌ପାଥ୍‌, ଫୁଟ୍‌ବଲ୍‌, ବାସ୍କେଟ୍‌ ବଲ୍‌, ହାଇଜମ୍ପ ଓ ଲଙ୍ଗଜମ୍ପ ଭଳି କ୍ରୀଡ଼ା ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଯୋଜନା ରହିଛି। ସତ୍ୟବ୍ରତ ଷ୍ଟାଡିୟମରୁ ଜଳ ନିଷ୍କାସନ ବ୍ୟବସ୍ଥା ସୁଗମ କରିବା ପାଇଁ ଏଥିରେ ସ୍ବତନ୍ତ୍ର ବ୍ୟବସ୍ଥାର ପ୍ରସ୍ତାବ ରହିଛି।

ସୂଚନାଯୋଗ୍ୟ ଯେ ଗଡ଼ଖାଇର ପୁନରୁଦ୍ଧାର ପ୍ରସଙ୍ଗ, ଶୈଳବାଳା ବିଶ୍ବବିଦ୍ୟାଳୟ, ଉତ୍କଳ ଦୀପିକା ଜମି ପୁନରୁଦ୍ଧାର, ତାଳଦଣ୍ଡା ଓ କଟକ ସହର ପ୍ରଦୂଷଣମୁକ୍ତ ଭଳି ପ୍ରସଙ୍ଗକୁ ନେଇ ‘ସମ୍ବାଦ-କନକ ନ୍ୟୁଜ୍‌’ ପକ୍ଷରୁ ‘ଆମେ କଟକିଆ- ଆମେ କହିବା କଟକ କଥା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦଳମତ ନିର୍ବିଶେଷର କଟକର ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ଲୋକ ଯୋଡ଼ି ହେଇ ଏହି ପ୍ରସଙ୍ଗକୁ ଏକ ସ୍ବରରେ ସମର୍ଥନ କରିଛନ୍ତି। ଏହା ଏକ ଆନ୍ଦୋଳନର ରୂପ ନେଇଥିବା ବେଳେ ସାଂସଦ ଶ୍ରୀ ମହତାବଙ୍କ ନେତୃତ୍ବରେ ଅଧିକାରୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବା ସ୍ବତନ୍ତ୍ର ଗୁରୁତ୍ବ ରଖୁଛି। ପୂର୍ବରୁ ଗଡ଼ଖାଇ ପୁନରୁଦ୍ଧାର ପାଇଁ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ, ମେୟର ସୁବାସ ସିଂହ, ‘ଦି ୟୁନିଭର୍ସ’ ପକ୍ଷରୁ ବ୍ୟାପ୍ତି ପଟ୍ଟନାୟକଙ୍କ ଭଳି ବ୍ୟକ୍ତିବିଶେଷ ନିଜନିଜ ସ୍ତରରେ ପ୍ରୟାସ କରି ଆସିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button