ସାବଧାନ ! ପୋଖରୀ ଭିତରେ ଲୁଚିଛି କୁମ୍ଭୀର, ମାରି ଖାଇଲାଣି ୧୦୦ ହଂସ

ମାଲକାନଗିରି,୧୧/୦୮: ୪ ଦିନ ପୂର୍ବରୁ ବିରାଟ କୁମ୍ଭୀର ପୋଟେରୁ ନଦୀରୁ ଚାଲି ଆସିଥିଲା ପୋଖରୀକୁ । ଗୋଟିଏ ପରେ ଆଉ ଗୋଟେ ହଂସ ଗିଳି ଚାଲିଥିଲା । ୪ ଦିନ ଭିତରେ ପ୍ରାୟ ଶହେ ହଂସ ଖାଇ ସାରିଲାଣି। କେବଳ ସେତିକି ନୁହେଁ,ସାନବଡ଼ ମାଛ,ଅନ୍ୟ ଜଳଚର ଜୀବ ହାବୁଡ଼ରେ ଯିଏ ବି ପଡ଼ୁଥିଲା କେହି ବର୍ତ୍ତି ନ ଥିଲେ। ସ୍ବାଦିଷ୍ଟ ମାଂସ ପାଟିରେ ଲାଗିବା ପରେ ପୋଖରୀ ଛାଡ଼ି ଯିବାକୁ ମନ ବଳାଉ ନ ଥିଲା କୁମ୍ଭୀର।
ଦିନକ ଦିନକୁ ଦିନ ହଂସ କମି ଚାଲିଥିଲେ। ମନରେ ସନ୍ଦେହ ହୋଇଥିଲା ପୋଖରୀ ମାଲିକଙ୍କର। ଶେଷରେ ଏହି ହଂସଖିଆ କୁମ୍ଭୀର ନଜରକୁ ଆସିଛି। ଏବେ ତାକୁ କାବୁ କରିବାକୁ ଆରମ୍ଭ ହୋଇଛି ଅପରେସନ। ବନ ବିଭାଗର ରାପିଡ୍ ରେସପନ୍ସ ଟିମ କୁମ୍ଭୀର ଧରିବାକୁ ଉଦ୍ୟମ ଚଳାଇଛି।
ମାଲକାନଗିରି ଜିଲ୍ଲା ବାଲିମେଳା ରେଞ୍ଜ୍ ଚିତାପାରି -୩ ପଞ୍ଚାୟତର ଏମଭି-୧୦୪ ଗାଁରେ ଏହି କୁମ୍ଭୀର ଆତଙ୍କ ଦେଖାଦେଇଛି। ବନ ବିଭାଗର ଟିମ୍ ଆଣିଥିବା ଜାଲରେ କୁମ୍ଭୀର ଧରାପଡ଼ିନି। ଏବେ ବଡ଼ ଜାଲ ଆଣିବା ପରେ କୁମ୍ଭୀରକୁ ଧରାଯିବ। ଅଧିକ କ୍ଷମତାସମ୍ପନ୍ନ ଜାଲ ଦ୍ବାରା କୁମ୍ଭୀରକୁ ଧରିବା ପରେ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଟିମ୍ ମୁଖ୍ୟ ସମୀର ଜେନା।
ମାଛ ପୋଖରୀରେ କୁମ୍ଭୀର
ଏମ୍ଭି-୧୦୪ ଗାଁର ମହାନନ୍ଦ ମଣ୍ଡଳଙ୍କ ଏକ ଏକରର ପୋଖରୀଟିଏ ରହିଛି। ସେଥିରେ ସେ ମାଛଚାଷ କରିଛନ୍ତି । ପୋଖରୀରେ ଛାଡ଼ିଛନ୍ତି ହଂସ। ଦୁଇ ଦିନ ହେଲା ହଂସ କମି ଚାଲିଥିବା ସେ ଜାଣିବାକୁ ପାଇଥିଲେ। କୁମ୍ଭୀର ହଂସ ଖାଉଥିବା ନେଇ ପ୍ରଥମେ ତାଙ୍କ ମନରେ ସନ୍ଦେହ ହୋଇଥିଲା। ସୋମବାର ସକାଳେ ସେ ପୋଖରୀ କୂଳରେ ବୁଲୁଥିଲେ। ସେହି ସମୟରେ ପୋଖରୀ କଡ଼ରେ କୁମ୍ଭୀରଟି ରହିଥିଲା। ତାଙ୍କୁ ଦେଖି ପାଣି ଭିତରକୁ ପଶିଯାଇଥିଲା। ମହାନନ୍ଦ କହିଛନ୍ତି,ଏହି କୁମ୍ଭୀରଟି ପ୍ରାୟ ୮ରୁ ୧୦ ଫୁଟ୍ ହେବ। ପୋଖରୀରେ ଥିବା ୧୦୦ରୁ ଅଧିକ ହଂସକୁ ମାରି ଖାଇଦେଇଛି। ଏହାସହ ୫ କୁଇଣ୍ଟାଲରୁ ଅଧିକାଂଶ ମାଛ ମଧ୍ୟ ଖାଇଗଲାଣି। ତୁରନ୍ତ କୁମ୍ଭୀରକୁ ସ୍ଥାନାନ୍ତର କରାଯାଉ।
କୁମ୍ଭୀର ଦେଖିବାକୁ ଗହଳି
ଖବର ପ୍ରଚାର ପରେ ଲୋକଙ୍କ ଭିଡ଼ ଜମିଥିଲା। ଏ ସମ୍ପର୍କରେ ବନ ବିଭାଗକୁ ମଧ୍ୟ ଖବର ଦିଆଯାଇଥିଲା। ବନ ବିଭାଗର ରାପିଡ୍ ରେସପନ୍ସ ଟିମ୍ ମୁଖ୍ୟ ଶ୍ରୀ ଜେନା,କୈଳାସ ମହାରଣାଙ୍କ ସମେତ ଅନ୍ୟ ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ। ଆରମ୍ଭ କରିଥିଲେ କୁମ୍ଭୀରଧରା ଅଭିଯାନ । ହେଲେ ଟିମ୍ ଆଣିଥିବା ଜାଲରେ କୁମ୍ଭୀରକୁ ଧରିବା ସମ୍ଭବ ହୋଇ ନ ଥିଲା। ନିରାଶ ହୋଇଥିଲେ ଟିମ୍ । ବନ ବିଭାଗ ପକ୍ଷରୁ ଭିଡ଼ ନିୟନ୍ତ୍ରଣ କରିବା ସହ ପୋଖରୀ ପାଖକୁ କାହାକୁ ନଯିବା ପାଇଁ ଅନୁରୋଧ କରାଯାଇଛି।
ଏ ସମ୍ପର୍କରେ ଟିମ୍ ମୁଖ୍ୟ ଶ୍ରୀ ଜେନା କହିଛନ୍ତି,ପୋଖରୀରେ କୁମ୍ଭୀର ରହିଥିବା ସ୍ପଷ୍ଟ ହୋଇସାରିଛି। ବିଭାଗ ନିକଟରେ ଥିବା ଜାଲରେ ବଡ଼ କୁମ୍ଭୀରକୁ ଉଦ୍ଧାର କରିବା ସମ୍ଭବ ନୁହେଁ । ଆବଶ୍ୟକ ଜାଲ ବ୍ୟବସ୍ଥା କରି ଖୁବ୍ ଶୀଘ୍ର କୁମ୍ଭୀର ଉଦ୍ଧାର କରାଯିବ। ବାଲିମେଳା ରେଞ୍ଜର ଲିସ୍ମିତା କହଁର କହିଛନ୍ତି,ଟିମ୍ ପକ୍ଷରୁ କୁମ୍ଭୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଖରୀ ନିକଟ ଦେଇ ଏକ ବଡ଼ ନାଳ ଯାଇଛି। ନାଳଟି କିଛି ଦୂରରେ ଥିବା ପୋଟେରୁ ନଦୀରେ ମିଶିଛି। ନଦୀରେ ଖାଦ୍ୟ ଅନ୍ଵେଷଣ କରୁଥିବା ବେଳେ କୁମ୍ଭୀରଟି ପୋଖରୀକୁ ଚାଲି ଆସିଥିବା ବନ ବିଭାଗ ଅନୁମାନ କରୁଛି।
ସୌଜନ୍ୟ ପ୍ରମେୟ




