ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ

ବରୀ, ୧୦।୧୧ (ମହେନ୍ଦ୍ର ସ୍ୱାଇଁ): ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ କଳାମାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର କୈଳାସ ଚନ୍ଦ୍ର ପତିଙ୍କ ବଦଳିକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଧାରଣାରେ ବସିଥିଲେ।
ତେବେ ଜିଲା ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ଡାକ୍ତରଙ୍କ ବଦଳି ଆଦେଶ ବାତିଲ କରିବାକୁ ପ୍ରତିଶ୍ରୁତି ମିଳିବା ସହ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ସଭ୍ୟସାଚୀ ଦାସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଫଳରେ ଗ୍ରାମବାସୀ ଧାରଣା ପ୍ରତ୍ୟାହାର କରିଥିଲେ।
ପ୍ରକାଶ ଥାଉକି ବଦଳି ହୋଇଥିବା ଡାକ୍ତର କୈଳାଶ ଚନ୍ଦ୍ର ପତି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ହେବା ପରେ ଉତ୍ତମ ସେବା ଯୋଗାଇଦେବା ଏବଂ ନିଜର ବ୍ୟବହାର ପାଇଁ ସାଧାରଣ ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ସୋମବାର ସ୍ଥାନୀୟ ଲୋକମାନେ ଜିଲାପାଳଙ୍କ ଜନଶୁଣାଣୀ ଶିବିରରେ ଉପସ୍ଥିତ ରହି ବଦଳି ହୋଇଥିବା ଡାକ୍ତରଙ୍କ ବଦଳିକୁ ବାତିଲ କରିବା ନିମନ୍ତେ ଲିଖିତ ଭାବେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ମର୍ମରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରେ ସେ କୁହନ୍ତି ସ୍ଥାନୀୟ ଲୋକମାନଙ୍କର ଲିଖିତ ଅଭିଯୋଗ ମୋର ହସ୍ତଗତ ହୋଇଛି । ଯେହେତୁ ସେବା ଯୋଗାଇ ଦେବା କ୍ଷେତ୍ରରେ ଦାୟିତ୍ୱରେ ଥିବା ଡାକ୍ତର କୈଳାଶ ଚନ୍ଦ୍ର ପତି ଲୋକମାନଙ୍କର ବିଶ୍ୱାସ ଭାଜନ ହୋଇପାରିଛନ୍ତି ତାଙ୍କର ବଦଳିକୁ ବାତିଲ କରାଯାଇ ସେହିଠାରେ ହିଁ ତାଙ୍କୁ ଅବସ୍ଥାପିତ କରାଯିବ।
ସୌଜନ୍ୟ ଧରିତ୍ରୀ




